ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୧୨ଘଣ୍ଟା ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ ବଳୟ। ୧୩ରୁ ୧୪ ତାରିଖ ମଧ୍ୟରେ ଲଘୁଚାପ ବଳୟ ଅବପାତର ରୂପ ନେବ। ଦୁଇ ଦିନ ମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବ। ଏହି ସମୟରେ ଅବପାତ ବାତ୍ୟା ରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ ବୋଲି ଆକଳନ କରାଯାଇଛି।
ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କିଛି ମାତ୍ରାରେ ପଡ଼ିବ। ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୬ ତାରିଖ ପରେ ପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷ କରି ଗଞ୍ଜାମ, ଗଜପତି, କୋରାପୁଟ ଜିଲ୍ଲାରେ ପ୍ରଭାବ ପଡ଼ିବ। ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବି ହାଲକା ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ। ପ୍ରଭାବରେ ସୋମବାରଠାରୁ ଆଣ୍ଡାମାନ ନିକୋବରରେ ପ୍ରବଳ ବର୍ଷା ଲାଗି ରହିବ। ଏହା ସମୁଦ୍ର ଭିତରେ ରହୁଥିବାରୁ ୧୪ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ସେଭଳି ବିପଦ ନାହିଁ।
ଅନ୍ୟପକ୍ଷରେ ଆସନ୍ତା ତିନି ଦିନ ମଧ୍ୟରେ ସେଭଳି ଶୀତ ଅନୁଭୂତରେ ହେବ ନାହିଁ। ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା କିଛି ମାତ୍ରାରେ କମିବ। ୧୧ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ଆକାଶ ମେଘୁଆ ରହିବ। ୧୫ ତାରିଖ ସୁଦ୍ଧା ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଅଧିକ ଥଣ୍ଡା ଅନୁଭୂତ ହେବ।