ଓଡ଼ିଶାଲାଇଭ୍ ବ୍ୟୁରୋ
“ଆମ ପାଇଲଟ୍କୁ ଫେରାଅ। ଭାରତୀୟ ବାୟୁସେନାର ପାଇଲଟ୍ଙ୍କ ଯେପରି କିଛି କ୍ଷତି ନହୁଏ। ଆମେ ପାଇଲଟ୍ଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଆଶା କରୁଛି।” ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ବୁଧବାର ସନ୍ଧ୍ୟାରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନର ଡେପୁଟୀ ହାଇ କମିଶନର ସୈୟଦ ହାଇଦର ଶାହଙ୍କୁ ତଲବ କରିଛି। ଭାରତୀୟ ବାୟୁସେନାର ପାଇଲଟ୍ଙ୍କ ଯେପରି କୌଣସି କ୍ଷତି ନହୁଏ ସେନେଇ ଚେତାବନୀ ଦେଇଛି।
ପୁଲୱାମା ଆତଙ୍କି ଆକ୍ରମଣର ସମସ୍ତ ଦସ୍ତାବିଜ ହାଇ କମିଶନରଙ୍କୁ ଦିଆଯାଇଛି। ଏହି ଦସ୍ତାବିଜରେ ପୁଲୱାମା ହମ୍ଲାରେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ହାତ ଥିବା ନେଇ ସମସ୍ତ ତଥ୍ୟ ରହିଛି। ଏଥିସହ ପାକିସ୍ତାନରେ ଥିବା ଭାରତୀୟ ପାଇଲଟ୍ଙ୍କୁ ସୁରକ୍ଷୀତ ଭାବେ ନିଜ ଦେଶକୁ ଛାଡ଼ିବା ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ତାଗିଦ୍ କରାଯାଇଛି।
ପାଇଲଟ୍ ଅଭିନନ୍ଦନଙ୍କ ସହ ଅଭଦ୍ରାମୀ ବ୍ୟବହାର ଉପରେ ମନ୍ତ୍ରାଳୟ ଆପତ୍ତି ପ୍ରକାଶ କରିଛି। ପାକିସ୍ତାନର ଏହିପରି ବ୍ୟବହାର ଅନ୍ତରାଷ୍ଟ୍ରୀୟ ମାନବିକ ନିୟମ ଏବଂ ଜେନେଭା ନିୟମର ଉଲ୍ଲଂଘନ କରିଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
୩୫ ବର୍ଷିୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଚେନ୍ନାଇ ନିକଟରେ ଥିବା ସେଲାପୁର ଅଞ୍ଚଳର ବାସିନ୍ଦା। ୨୦୦୪ ମସିହାରେ ସେ ଫ୍ଲାଇଙ୍ଗ ଅଫିସର ଭାବେ ବାୟୁସେନାରେ ଭର୍ତ୍ତି ହୋଇଥିଲା। ଅଭିନନ୍ଦନଙ୍କ ପିତା ଅବସରପ୍ରାପ୍ତ ଏୟାର ମାର୍ଶଲ।