ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପାସ୍‌ପୋର୍ଟରେ ‘ପଦ୍ମ ଫୁଲ’ ଚିହ୍ନକୁ ନେଇ ଲୋକସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ପଦ୍ମ ଫୁଲ ଚିହ୍ନ ପାସ୍‌ପୋର୍ଟରେ କୁଆଡୁ ଆସିଲା ବୋଲି ବିରୋଧୀ ପ୍ରଶ୍ନବାଣରେ ସରକାରଙ୍କୁ ଛନ୍ଦିଛନ୍ତି। ଲୋକସଭାରେ ଝଡ଼ ବହିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହାର ଜବାବ ଦେଇଛି। ପାସ୍‌ପୋର୍ଟର ସୁରକ୍ଷା ଦୃଷ୍ଟିରୁ ପଦ୍ମ ଫୁଲ ରହିଥିବା ମନ୍ତ୍ରାଳୟ ପକ୍ଷରୁ ସଫେଇ ଦିଆଯାଇଛି।

ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ‘‘ନକଲି ପାସ୍‌ପୋର୍ଟ ଚିହ୍ନଟ କରିବା ପାଇଁ ଏବଂ ପାସ୍‌ପୋର୍ଟର ସିକ୍ୟୁରିଟି ଫିଚର୍ସକୁ ମଜଭୁତ କରିବା ପାଇଁ ‘ପଦ୍ମ ଫୁଲ’ ଲଗା ଯାଇଛି। ପଦ୍ମ ହେଉଛି ଆମ ଜାତୀୟ ଫୁଲ। ଏଥିରେ କିଛି ଅସୁବିଧା ନାହିଁ।’’

ସେ ଆହୁରି କହିଛନ୍ତି ଯେ ଫଦ୍ମ ଫୁଲ ବ୍ୟତୀତ ଆହୁରି ଅନେକ ଚିହ୍ନ ରହିଛି। ସମୟକ୍ରମେ ପାସ୍‌ପୋର୍ଟ ସୁରକ୍ଷା ଦୃଷ୍ଟିରୁ ଏସବୁ ଚିହ୍ନର ବ୍ୟବହାର କରାଯିବ। ଆଇସିଏଓର ଗାଇଡଲାଇନ୍‌ସ ଅନୁସାରେ ଏସବୁ ପରିବର୍ତ୍ତନ କରାଯାଇଛି।

କେରଳର କୋଝିକୋଡ଼ରେ ପଦ୍ମ ଫୁଲ ଚିହ୍ନ ଥିବା ପାସ୍‌ପୋର୍ଟ ବଣ୍ଟନ କରାଯାଉଥିବା ପ୍ରସଙ୍ଗ କଂଗ୍ରେସ ସାଂସଦ ଏମ୍‌ କେ ରାଘବନ୍‌ ଲୋକସଭାର ଶୂନ୍ୟକାଳରେ ଉଠାଇଥିଲେ। ରାଘବନ କହିଥିଲେ ଯେ ପଦ୍ମ ଫୁଲ ବିଜେପିର ନିର୍ବାଚନ ଚିହ୍ନ ହୋଇଥିବାରୁ ସରକାରୀ ଅଫିସ୍‌ରେ ଏହାର ପ୍ରଚଳନ ଦୁର୍ଭାଗ୍ୟଜନକ।

Comment