(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଓଡ଼ିଶାରେ ପଡ଼ିଲାଣି ଶୀତ। ଯଦିଓ ଶୀତର ପ୍ରକୋପ ବିଶଷ ପରିଲକ୍ଷିତ ହୋଇନି, ତଥାପି ପାରଦ କମୁଛି। ଆଉ ଏହାର ସଙ୍କେତ ଦେଇଛନ୍ତି ବିଦେଶୀ ପକ୍ଷୀ। ମାସେ ବିଳମ୍ବ ହେଲେ ମଧ୍ୟ ବିଦେଶରୁ ଚିଲିକାକୁ  ପକ୍ଷୀମାନେ ଆସିଗଲେଣି।

ରବିବାର ସନ୍ଧ୍ୟାସୁଦ୍ଧା ପକ୍ଷୀ ଅଭୟାରଣ୍ୟ କୁହାଯାଉଥିବା ନଳବଣ, ମଙ୍ଗଳାଯୋଡ଼ି ସମେତ ଚିଲିକାର ବିଭିନ୍ନ ଅଞ୍ଚଳରେ ୪୦ ହଜାରରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟତଃ ଅକ୍ଟୋବର ଶେଷ ସୁଦ୍ଧା ଚିଲିକାକୁ ବିଦେଶୀ ପକ୍ଷୀଙ୍କର ଆଗମନ ହୋଇଥାଏ। କିନ୍ତୁ ଚଳିତବର୍ଷ ମାସେ ବିଳମ୍ବରେ ପକ୍ଷୀମାନେ ଆସି ଚିଲିକାରେ ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା ୪୫ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଆସିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୱିଜିଅନ୍, ପିଲେ, ଓ ଗଡାଲ। ଶୀତ ଦିନେ ଚିଲିକାରେ ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ପ୍ରଜାତି ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଅପରପକ୍ଷରେ ଶିକାରକୁ ଦମନ କରିବା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୧୯ଟି କ୍ୟାମ୍ପ ଓ ଗୋଟିଏ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଗଠନ କରାଯାଇଛି।

ବିଏଫଓ ବିକାଶ ରଞ୍ଜନ ଦାସ କହିଛନ୍ତି, “ବାଲୁଗାଁ, ଟାଙ୍ଗି, ରମ୍ଭା, ସାତପଡ଼ା ଓ ଚିଲିକା ରେଞ୍ଜ୍ ଅଞ୍ଚଳରେ ଏହି କ୍ୟାମ୍ପଗୁଡ଼ିକ ରହିଛି। ଚିଲିକା ପାଖ ଗାଁଗୁଡ଼ିକରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।”

LEAVE A REPLY

Please enter your comment!
Please enter your name here