ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ରହିଛି। ଯେଉଁଠିକୁ ଶୀତଋତୁ ଆସିଲେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳେ। ସେହିପରି ଏକ ମନୋଲୋଭା ପର୍ଯ୍ୟଟନ କ୍ଷେତ୍ର ହେଉଛି ‘କାଙ୍କଣ ଶିଖରୀ’। ଏହା ଚିଲିକା ହ୍ରଦ ମଝିରେ ରହିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବ୍ଲକ ଅନ୍ତର୍ଗତ ନଈରୀ ପଞ୍ଚାୟତ ନିକଟରେ ରହିଛି ଏହି କ୍ଷେତ୍ରଟି। କେବଳ ଶୀତ ନୁହେଁ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ।

କ’ଣ ଦେଖିବେ?

କାଙ୍କଣଶିଖରୀ ଏକ ଟାପୁ ମଧ୍ୟରେ ରହିଥିବାରୁ ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଚିଲିକାକୁ ଆସୁଥିବା ବିଭିନ୍ନ ବିଦେଶୀ ପକ୍ଷୀ ଦେଖିବେ। ମନ୍ଦିର ମଧ୍ୟରେ ଥିବା ନଡ଼ିଆ ଗଛ ଗୁଡ଼ିକରେ ଶ୍ରୀ ଜଗନ୍ନାଥଙ୍କର ସୁନ୍ଦର ସୁନ୍ଦର କଳାକୃତିକୁ ଉପଭୋଗ କରିପାରିବେ। ସବୁଠାରୁ ବଡ଼କଥା ହେଲା ଟାପୁ ମଧ୍ୟରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଦେଖିପାରିବେ। ଏହି ମନ୍ଦିରରେ ଚଳନ୍ତି ବିଗ୍ରହ ଏବଂ ପୁରୀ ରଥାଯାତ୍ରା ସମୟର ନନ୍ଦିଘୋଷ ରଥର ଚକ ଦେଖିବାକୁ ପାଇବେ।

କିମ୍ବଦନ୍ତୀରେ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ

କାଙ୍କଣ ଶିଖରୀକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳାକ୍ଷେତ୍ର କୁହାଯାଏ। କାଙ୍କଣ ଶିଖରୀକୁ ନେଇ ଏକ ସୁନ୍ଦର କାହାଣୀ ମଧ୍ୟ ରହିଛି। କୁହାଯାଏ ୧୭୭୧ ମସିହା ପୂର୍ବରୁ ବାରମ୍ବାର ମୋଗଲମାନେ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ କରୁଥିଲେ। ଏହି କାରଣରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଉଥିଲା। ମୋଗଲମାନଙ୍କର ୧୮ ଥର ଆକ୍ରମଣ ସମୟରେ ବଡ଼ ଦେଉଳରୁ ତିନିଠାକୁର ଶ୍ରୀ ଜଗନ୍ନଥ, ଶ୍ରୀ ବଳଭଦ୍ର ଏବଂ ମା’ ସୁଭଦ୍ରାଙ୍କୁ ନେଇ ନଈରୀ ନିକଟ ଚିଲିକା ମଧ୍ୟରେ ରହିଥିବା ଟାପୁରେ ଲୁଚାଇ ରଖାଯାଇଥିଲା।

ଚିଲିକା ଜଳ ଘେରରେ ରହିଥିବା ଛୋଟିଆ ପାହାଡ଼ରେ ମହାପ୍ରଭୁଙ୍କୁ ଭୋଗ ଲାଗି କରିବାକୁ କିଛି ମିଳିନଥିଲା। ସେହି ପାହାଡ଼ରେ ଫଳିଥିବା କାଙ୍କଣ ଫଳକୁ ମହାପ୍ରଭୁଙ୍କୁ ଭୋଗ ଲାଗି କରାଯାଇଥିଲା। ସେବେଠାରୁ ଏହି ପାହାଡ଼ର ନାଁ କାଙ୍କଣ ଶିଖରୀ ହୋଇଗଲା। ଏଠାରେ ମହାପ୍ରଭୁଙ୍କୁ କାଙ୍କଣ ଫଳ ଭୋଗ ଲାଗିହେବା ପରଠାରୁ ପୁରୀରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦରେ କାଙ୍କଣ ବ୍ୟବହାର କରାଯାଉଛି। ପୂର୍ବରୁ ଏହା କଣ୍ଟା ଜାତୀୟ ହୋଇଥିବାରୁ ମହାପ୍ରସାଦରେ ବ୍ୟବହାର କରାଯାଉନଥିଲା।

ଚାରି ମାସ ରହଣି ପରେ ନଈରୀ ଗ୍ରାମରେ ଥିବା ଏକ ମନ୍ଦିରକୁ ତିନି ଠାକୁରଙ୍କୁ ନିଆଯାଇଥିଲା। ୨୦୧୬ ମସିହାରେ ନଈରୀ ଗ୍ରାମବାସୀଙ୍କୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ୨୦୧୫ ମସିହାରେ ଅନୁଷ୍ଠିତ ନବକଳେବର ସମୟର ନନ୍ଦିଘୋଷ ରଥର ଚକାଟିଏ ପୂଜାର୍ଚ୍ଚନା ପାଇଁ ପ୍ରଦାନ କରିଥିଲେ। ଏହା ପରଠାରୁ କାଙ୍କଣ ଶିଖରୀରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ପୁରୀ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ସମସ୍ତ ରୀତିନୀତି ଅନୁସାରେ ଏଠାରେ ତିନିଠାକୁରଙ୍କର ପୂଜାର୍ଚ୍ଚନା କରାଯାଉଛି। ଶ୍ରୀଗୁଣ୍ଡିଚା ଦିନ ତିନି ଠାକୁର ଡଙ୍ଗାରେ ବସି ନଈରୀ ଗ୍ରାମକୁ ଯାଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।

ଆଖପାଖ ଦର୍ଶନୀୟ ସ୍ଥାନ

ଯଦି ଆପଣ କାଙ୍କଣ ଶିଖରୀ ଯାଉଛନ୍ତି ତେବେ ଯିବାଆସିବା ରାସ୍ତାରେ ଅନେକ ବୁଲିବା ସ୍ଥାନ ରହିଛି। କାଙ୍କଣ ଶିଖରୀ ସହିତ ସେଗୁଡ଼ିକ ବୁଲି ଦେଖିପାରିବେ।

  • କାଳିଜାଈ ମନ୍ଦିର (କାଙ୍କଣ ଶିଖରୀଠାରୁ ଚିଲିକା ଭିତରେ ଡଙ୍ଗାରେ ଗଲେ ପ୍ରାୟ ୨ ଘଣ୍ଟା ଲାଗିବ)
  • ବାଣପୁର ଭଗବତୀ ମନ୍ଦିର (କାଙ୍କଣ ଶିଖରୀଠାରୁ ୨୦ କିଲୋମିଟର)
  • ନାରାୟଣୀ ଖୋଲ (୨୦ କିଲୋମିଟର)

କେମିତି ଯିବେ?

ଭୁବନେଶ୍ଵରଠାରୁ କାଙ୍କଣ ଶିଖରୀର ଦୂରତା ପ୍ରାୟ ୮୦ କିଲୋମିଟର। ବ୍ରହ୍ମପୁରଠାରୁ ଏହାର ଦୂରତା ରହିଛି ପ୍ରାୟ ୯୦ କିଲୋମିଟର। ଭୁବନେଶ୍ଵରରୁ ୧୬ନଂ ଜାତୀୟ ରାଜପଥରେ ଯିବାକୁ ପଡ଼ିବ। ଭୁବନେଶ୍ଵରଠାରୁ ୭୫ କିଲୋମିଟର ଅତିକ୍ରମ କରିବା ପରେ ‘ନାଚୁଣୀ’ ବଜାରରେ ଓହ୍ଲାଇବାକୁ ପଡ଼ିବ। ନାଚୁଣୀଠାରୁ ନଈରୀର ଦୂରତା ୫ କିଲୋମିଟର ରହିଛି। ନଈରୀରୁ ଡଙ୍ଗା ସାହାଯ୍ୟରେ ଚିଲିକା ମଧ୍ୟରେ ଥିବା କାଙ୍କଣ ଶିଖରୀକୁ ଯିବାକୁ ପଡ଼ିବ। ଡଙ୍ଗା ଭଡ଼ା ଯିବାଆସିବା ପାଇଁ ଜଣକ ପିଛା ୨୫ ଟଙ୍କା ରହିଛି।

ସେହିପରି ଭୁବନେଶ୍ଵର କିମ୍ବା ବ୍ରହ୍ମପୁରରୁ ଟ୍ରେନରେ ଗଲେ ନିକଟ ରେଳ ଷ୍ଟେସନ ହେଲା ଗଙ୍ଗାଧପୁର। ସେଠାରୁ କାଙ୍କଣ ଶିଖରୀର ଦୂରତା ମାତ୍ର ୪ କିଲୋମିଟର ରହିଛି। ଯଦି ବ୍ରହ୍ମପୁରରୁ ଆସିବେ ୧୬ନଂ ଜାତୀୟ ରାଜପଥରେ ଆସିବାକୁ ପଡ଼ିବ। ବ୍ରହ୍ମପୁରଠାରୁ ୮୫ କିଲୋମିଟର ଅତିକ୍ରମ କରିବା ପରେ ନାଚୁଣୀ ବଜାରଠାରୁ ନଈରୀ ଏବଂ ସେଠାରୁ କାଙ୍କଣଶିଖରୀ ଡଙ୍ଗାରେ ଯିବାକୁ ପଡ଼ିବ।

Comment