ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାରେ ଏବେ ଲକ୍‌ଡାଉନ୍ ଜାରି ରହିଥିବା ବେଳେ ଦେଶୀ ମଦ ମାଫିଆମାନେ ଏହାର ଫାଇଦା ଉଠାଉଛନ୍ତି। ଶୁକ୍ରବାର ବାଣପୁର କୋଶରଡ଼ା ରୋଡ୍ ପାଖରେ ଥିବା ଘଣ୍ଟଶିଳା ହନୁମାନ ମନ୍ଦିର ନିକଟରୁ ୧୧୩ ଲିଟର ଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ବାଲୁଗାଁ ଅବକାରୀ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ବାଣପୁରରୁ ବାଲୁଗାଁକୁ ଚୋରା ଦେଶୀ ମଦ ଚାଲାଣ ହେଉଥିବା ବାଲୁଗାଁ ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହାପରେ ଜିଲ୍ଳା ମୋବାଇଲ ଟିମ୍ ଓଆଇସି ହୃଦୟ ଚନ୍ଦ୍ର ସାମନ୍ତ ଏବଂ ବାଲୁଗାଁ ଅବକାରୀ ବିଭାଗର ଓଆଇସି ମନୋଜ ବାରିକଙ୍କ ତତ୍ତ୍ଵାବଧାନରେ ଚାରିଜଣିଆ ଟିମ୍ ଗଠିତ ହୋଇଥିଲା। ଏହି ଟିମ୍ ଆଜି ଅଚାନକ ଭାବରେ ଚଢ଼ାଉ କରି ବାଣପୁର କୋଶରଡ଼ା ରୋଡ୍ ସ୍ଥିତ ଘଣ୍ଟଶିଳା ନିକଟସ୍ଥ ହନୁମାନ ମନ୍ଦିର ନିକଟରୁ ୧୧୩ ଲିଟର ଦେଶୀ ମଦ ଜବତ କରିଛି।ଏଥିସହ ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତମାନେ କିମ୍ଭିରିପଡା ଗ୍ରାମର ବସନ୍ତ ସ୍ୱାଇଁ, ବାଲୁଗାଁ ସାନ୍ତରାପୁରର ସୂର୍ଯ୍ୟ ପ୍ରସାଦ ସେଠୀ, ବାଣପୁର ବାଲିପଦର ଗ୍ରାମର ଭରତ ପ୍ରଧାନ ଓ ବାଣପୁର ଚିଆଙ୍ଗ ସାହିର ମନୋଜ ଦାସ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ୩ଟି ମୋଟର ସାଇକଲ ମଧ୍ୟ ଜବତ ହୋଇଛି।

ଅଭିଯୁକ୍ତଙ୍କ ବିରୁଦ୍ଧରେ ଜିଲ୍ଲା ମୋବାଇଲ ଟିମ୍ ପକ୍ଷରୁ କେଶ୍ ନମ୍ବର ୧୧୫,୧୧୬,୧୧୭/୨୦,୨୧ ଏବଂ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ କେଶ୍ ନମ୍ବର ୩୭/୨୦,୨୧ରେ ମାମଲା ରୁଜ୍ଜୁ ହୋଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

Comment