ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଳୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାର ଏକ ନମ୍ବର କରୋନା ହଟ୍‌ସ୍ପଟ୍‌ ପାଲଟିଥିବା ବାଲୁଗାଁ-ବାଣପୁର ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି। ଏହି ଅବସରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ଏବଂ ବାଣପୁର ଏନଏସି କାର୍ଯ୍ୟାଳୟରେ ଦୁଇଟି ପୃଥକ୍ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଉଭୟ ଅଞ୍ଚଳରେ କରୋନାକୁ କିପରି ପ୍ରତିହତ କରିହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଗ ଭାବେ ଆଲେଚନା କରିବା ସହିତ ସ୍ଥାନୀୟ ପ୍ରତିନିଧିଙ୍କଠାରୁ ଜିଲ୍ଲାପାଳ ଅଭିଯୋଗମାନ ଗ୍ରହଣ କରିଛନ୍ତି।

ଉକ୍ତ ବୈଠକରେ ଅଞ୍ଚଳର ସରକାରୀ ଅଧିକାରୀମାନଙ୍କ ସହ ସ୍ଥାନୀୟ ବ୍ୟବସାୟୀ ପ୍ରତିନିଧି, ବୁଦ୍ଧିଜୀବୀ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ ପ୍ରତିନିଧି ଏବଂ କିଛି ସମାଜସେବୀ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ଉଭୟ ଅଞ୍ଚଳରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ସ୍ଥାନୀୟ ପ୍ରଶାସନର ପରିଶ୍ରମ ଲାଗି ଏହା ସମ୍ଭବ ହୋଇଥିବାରୁ ସ୍ଥାନୀୟ ପ୍ରଶାସନକୁ ଜିଲ୍ଲାପାଳ ପ୍ରଶଂସା କରିଛନ୍ତି। ଏଥିସହ ବାଣପୁର-ବାଲୁଗାଁ ପାଇଁ ଆଉ ୪ଟି  ଅତିରିକ୍ତ ଭ୍ରାମ୍ୟମାଣ ଡାକ୍ତରୀ ଦଳ ଯୋଗାଇ ଦେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ ସ୍ଵଇଚ୍ଛାରେ କରୋନାସେବକ ରୂପେ ଅନ୍ୟ କରୋନା ଆକ୍ରାନ୍ତଙ୍କୁ ସାମାଜିକ ସହଯୋଗ କରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜେୟ ପ୍ରତାପ ସ୍ଵାଇଁ କରୋନାରୁ ସୁସ୍ଥ ହୋଇଥିବା ୬୦ରୁ କମ୍‌ ବର୍ଷ ବୟସ୍କଙ୍କୁ ପ୍ଲାଜ୍‌ମା ଦାନ ପାଇଁ ଅନୁରୋଧ କରିଛନ୍ତି। ନିଜେ ଆରକ୍ଷୀ ଅଧୀକ୍ଷକ ପ୍ଲାଜ୍‌ମା ଦାନ ପାଇଁ ଗତକାଲି ନାମ ପଞ୍ଜୀକରଣ କରିଥିବାର ସୂଚନା ଦେଇଛନ୍ତି। ସେହିପରି ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଜନସାଧାରଣଙ୍କୁ ସଚେତନ ହେବା ସହ ଲକ୍ଷଣବିହୀନ କରୋନା ଆକ୍ରାନ୍ତଙ୍କ ପରିବାରକୁ ମଧ୍ୟ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ରହିବାକୁ ଅନୁରୋଧ କରିଛନ୍ତି।

ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଜେୟ ପ୍ରତାପ ସ୍ଵାଇଁ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ , ଉପଜିଲ୍ଲାପାଳ ଅଶୋକ ବେହୁରିଆ, ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସ ଏବଂ ଖୋର୍ଦ୍ଧା ଡିଏସ୍‌ପି ସତୀଶ ଚନ୍ଦ୍ର ପାଢୀ ସାମିଲ୍‌ ଥିଲେ।BGUସେହିପରି ଜିଲ୍ଲାପାଳଙ୍କ ବାଲୁଗାଁ ଗସ୍ତ ସମୟରେ ଚିଲିକା ତହସିଲଦାର ପୁନମ୍‌ ମହାପାତ୍ର , ବିଡିଓ ସୁଷମା ବାରିକ, ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା, ସିଡିପିଓ ପ୍ରିୟଦର୍ଶିନୀ ମହାନ୍ତି, ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକ, ବାଲୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ଦାଶ ପଟ୍ଟନାୟକ ଆଦି ଉପସ୍ଥିତ ଥିବାବେଳେ ବାଣପୁର ଗସ୍ତ ସମୟରେ ବାଣପୁର ବିଡିଓ ଡାକ୍ତର ଶୁଭଶ୍ରୀ ତ୍ରିପାଠୀ, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ, ସିଡିପିଓ ବିଦ୍ୟୁତ୍‌ପ୍ରଭା ରଥ, ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ, ବାଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଧୁର୍ଜଟି ପ୍ରସାଦ ମହାପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here