ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ, ଜାପାନ ଏବଂ ଆମେରିକା ଭଳି ୫ଟି ଦେଶରେ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଛି। କୋଭିଡର ନୂଆ ଭେରିଏଣ୍ଟ ବିଏଫ.୭କୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି। କୋଭିଡ ମୁକାବିଲା ଲାଗି ବୈଠକ ପରେ ବୈଠକ ଚାଲିଛି। ଏହାରି ମଧ୍ୟରେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ।

କୋଭିଡ ନିୟମ ପାଳନ କରିବା ସହ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ଭିଡ଼ରୁ ଦୂରେଇ ରହିବା ଏବଂ କୋଭିଡ ଲକ୍ଷଣ ଥିଲେ ନିଜକୁ ଆଇସୋଲେଟ କରିବାକୁ ରାଜ୍ୟ ସରକାର ଆଡଭାଇଜରି ଜାରି କରିଛନ୍ତି।

ସର୍ବସାଧାରଣ ସ୍ଥାନରେ ଛେପ ନପକାଇବାକୁ ପରାମର୍ଶ ଦିଆଯାଇଛି। କୋଭିଡ ପାଇଁ ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ।

ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ରାଜ୍ୟରେ କୋଭିଡ ସ୍ଥିତି ଭଲ ଅଛି। ଟେଷ୍ଟିଂ ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟରେ ଯଥେଷ୍ଟ ପରିମାଣର ଟେଷ୍ଟିଂ କିଟ୍ ମହଜୁଦ ରହିଥିବା ସେ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ଦୈନିକ କୋଭିଡ ମାମଲା ୧୦ରୁ ୧୫ ଭିତରେ ରହୁଛି। ବାହାରୁ ଫେରୁଥିବା ଯାତ୍ରୀଙ୍କ ଉପରେ ଗୁରୁତ୍ଵ ଦିଆଯାଉଛି।

୩ଟି ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦ଟି ଲେଖାଏଁ ବେଡ ପ୍ରସ୍ତୁତ ରହିଥିବାବେଳେ ପରିସ୍ଥିତିକୁ ଦେଖି ବେଡ ସଂଖ୍ୟାରେ ବୃଦ୍ଧି କରାଯିବ ବୋଲି ଶାଲିନୀ ପଣ୍ଡିତ କହିଛନ୍ତି। ଏହା ସହିତ ରାଜ୍ୟର ସମସ୍ତ ଜିଲ୍ଲା ହସ୍ପିଟାଲ ସହ ପ୍ରମୁଖ ହସ୍ପିଟାଲଗୁଡ଼ିକରେ ଆସନ୍ତା ସପ୍ତାହରେ ମକ୍ ଡ୍ରିଲ୍ କରାଯିବ। ରୋଗୀ ସଂଖ୍ୟା ବଢ଼ିଲେ ଚିକିତ୍ସା ଏବଂ ଅକ୍ସିଜେନ ବ୍ୟବସ୍ଥା ସମ୍ପର୍କରେ ଏହି ମକଡ୍ରିଲ୍ କରାଯିବ ବୋଲି ଶାଲିନୀ ପଣ୍ଡିତ କହିଛନ୍ତି।

Tags: #Covid19 #Corona #CoronaVirus #Odisha #Advisory #Testing #WearingMask

LEAVE A REPLY

Please enter your comment!
Please enter your name here