ଓଡ଼ିଶାଲାଇଭ୍ ବ୍ୟୁରୋ
ଫସଲହାନି ପ୍ରସଙ୍ଗକୁ ନେଇ ଶସକ ବିଜେଡି-ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଝା। କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ଏନେଇ ରାଜ୍ୟ ସରକାରଙ୍କ ଉପରେ ସିଧାସଳଖ ଦୋଷ ଲଦିବା ପରେ ଆଜି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଭାଗଚାଷୀଙ୍କ ସମସ୍ୟାକୁ ନେଇ ଆଗକୁ ବାହାରିଛନ୍ତି। ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ପୁଣି ଜମେଇକି ବର୍ଷିଛନ୍ତି।
ରୋଗ ପୋକ ଲାଗି ରାଜ୍ୟର ୧ ଲକ୍ଷ ୮୦ ହଜାର ହେକ୍ଟର ଚାଷଜମିରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବା ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।
ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, “ନିଜ ଅପାରଗତା ଲୁଚାଇବା ପାଇଁ ଘୋଷଣା ସର୍ବସ୍ବ ରାଜ୍ୟ ସରକାର ତରବରିଆ ଭାବେ ପ୍ୟାକେଜ ଘୋଷଣା କରି ଚାଷୀଙ୍କ ସହ ପ୍ରତାରଣା କରିଛନ୍ତି। ଭାଗଚାଷୀଙ୍କୁ ରାଜ୍ୟ ସରକାର ସବୁବେଳେ ମିଛ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ରାଜ୍ୟ ସରକାର କେଉଁ ଆଇନ୍ ବଳରେ ଭାଗଚାଷୀଙ୍କୁ ସହାୟତା ଦେବେ ବୋଲି ପ୍ରଶ୍ନ କରିଛନ୍ତି।”
ଭାଗଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ୩ ବର୍ଷ ହେଲା ଆଇନ୍ ଆଣିବା ପାଇଁ କେବଳ ଘୋଷଣା କରୁଛନ୍ତି। ୩ ଜଣିଆ ଗ୍ରାମ୍ୟ କମିଟି ଦ୍ୱାରା ଭାଗଚାଷୀ ଚିହ୍ନଟ ଓ କ୍ଷତିପୂରଣ ପ୍ରଦାନର ବ୍ୟବସ୍ଥା ପଛରେ ଆଇନ୍ ଅନୁମୋଦନ ନଥିବାରୁ ଏହା ସଫଳ ହୋଇପାରୁ ନାହିଁ। ଭାଗଚାଷୀଙ୍କୁ ସରକାର ଅବହେଳା କରିବା ପଛର କାରଣ କଣ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।