ଓଡ଼ିଶାଲାଇଭ୍ ବ୍ୟୁରୋ
- ପପୁଙ୍କ ବିରୋଧରେ ମାମଲା
- ମମଲା ରୁଜୁ କଲା ନିଶ୍ଚିନ୍ତକୋଇଲି ନାଗରିକ ସୁରକ୍ଷା ମଞ୍ଚ
- ପପୁ ମାଗିଲେ କ୍ଷମା
- ଭଗବାନଙ୍କର ଦୋଷ ବାଛନ୍ତି ଲୋକେ, ମୁଁ ମଣିଷ : ପପୁ
ବାରମ୍ବାର ଭୁଲ୍ କରୁଛନ୍ତି ଆଉ ବାରମ୍ବାର କ୍ଷମା ମାଗୁଛନ୍ତି କମେଡି କିଙ୍ଗ୍ ପପୁ ପମ୍ ପମ୍। ମିଷ୍ଟର କହ୍ନେୟା ପୋଷ୍ଟର ବିବାଦରେ ନିକଟରେ ଦୂତୀ ଚାନ୍ଦଙ୍କୁ କ୍ଷମା ମାଗିଥିବା ପପୁ ଆଜି ପୁଣି ରାନୁ ମଣ୍ଡଳଙ୍କ ଘଟଣାରେ ମୁଣ୍ଡ ନୁଆଁଇଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଜାରି କରି କ୍ଷମା ମାଗିଛନ୍ତି ପପୁ।
‘‘ରାନୁ ମଣ୍ଡଳ ହେଉଛନ୍ତି ଜଣେ ଅସାଧାରଣ ବ୍ୟକ୍ତିତ୍ୱ। ସେ ଗାଇଥିବା ଗୀତ ଯେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ମୁଁ ଏବଂ ମୋର ବନ୍ଧୁ ଉଦ୍ୟମ କରିଥିଲୁ। ଏହା ହେଉଛି ଜଣେ କଳାକାରର ଆଉ ଜଣେ କଳାକାର ପ୍ରତି ପ୍ରକୃତ ଉପହାର। ସବୁ କଥାରୁ ଦୋଷ ବାହାର କଲେ ବାହାରିବ। ଲୋକ ତ ଭଗବାନଙ୍କର ଦୋଷ ବାଛୁଛନ୍ତି, ମୁଁ ମଣିଷ। ଏହି ଭିଡିଓ ଯଦି କାହାକୁ କଷ୍ଟ ଦେଇଥିବ ସେଥିପାଇଁ ମୁଁ କ୍ଷମା ମାଗୁଛି’’, କହିଛନ୍ତି ପପୁ ପମ୍ ପମ୍।
ଏପଟେ ପପୁଙ୍କ ବିରୋଧରେ ନିଶ୍ଚିନ୍ତକୋଇଲି ଥାନାରେ ମାମଲା ରୁଜୁ ହୋଇଛି। ଜଣେ କଳାକାରଙ୍କୁ ଅପମାନିତ କରିଥିବା ଅଭିଯୋଗରେ ନିଶ୍ଚିନ୍ତକୋଲି ନାଗରିକ ମଞ୍ଚ ଏହି ମାମଲା କରିଛି।
ଷ୍ଟେସନ ପ୍ଲାଟଫର୍ମରେ ଗୀତ ଗାଉଥିବା ପଶ୍ଚିମବଙ୍ଗର ରାନୁ ମଣ୍ଡଳ ଏବେ ଷ୍ଟାର ପାଲଟି ଯାଇଛନ୍ତି। ସୋନି ଟିଭି ଚ୍ୟାନେଲର ରିଆଲିଟି ସୋ’ରେ ଗୀତ ଗାଇବା ପରେ ବଲିଉଡ କଣ୍ଠଶିଳ୍ପୀ ହିମେଶ ରେସମିଆ ରାନୁଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ଅଫର୍ ଦେଇଥିଲେ।
ହିମେଶଙ୍କ ସହ ରାନୁ ‘ତେରୀ ମେରୀ ତେରୀ ମେରୀ’ ଗୀତ ଗାଇଥିଲେ। ଫିଲ୍ମ ରିଲିଜ ହେବା ପୂର୍ବରୁ ରାନୁ ଗାଇଥିବା ଏହି ଗୀତ ସୁପରହିଟ୍ ହୋଇଯାଇଥିଲା। ସୋସିଆଲ ମିଡିଆରେ ଏହି ଗୀତ ଭାଇରାଲ ହୋଇଥିଲା। କିନ୍ତୁ ପପୁ ଏହାକୁ ମିମିକ୍ରି କରିଥିଲେ।
ରାନୁଙ୍କ ଭଳି ଶାଢ଼ି ପିନ୍ଧି ତାଙ୍କ ଭଳି ସ୍ୱରରେ ଗୀତ ଗାଇଥିଲେ। ପପୁଙ୍କ ଏହି ଭିଡିଓ ଭାଇରାଲ ହୋଇଥିଲା। ପପୁଙ୍କ ଏହି କାରନାମାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ପପୁ ଜଣେ କଳାକାରଙ୍କୁ ଅସମ୍ମାନିତ କରିଥିବା ଅଭିଯୋଗ ଆସିଥିଲା। ଏହାପରେ ପପୁ କ୍ଷମା ମାଗିଛନ୍ତି।
ଗତ କିଛିଦିନ ତଳେ ପପୁ ଫିଲ୍ମ ମିଷ୍ଟର କହ୍ନେୟା ପୋଷ୍ଟରକୁ ନେଇ ବିବାଦରେ ରହିଥିଲେ। ଏହି ପୋଷ୍ଟରରେ ନାରୀମାନଙ୍କୁ ପପୁ ଅସମ୍ମାନିତ କରିଥିବା ଅଭିଯୋଗ ହୋଇଥିଲା।
ଏହାକୁ ନେଇ ଦୌଡ଼ ରାଣୀ ଦୂତୀ ଚାନ୍ଦ ନିଜ ଫେସ୍ବୁକ୍ ଆକାଉଣ୍ଟରେ ପ୍ରତିବାଦ କରିଥିଲେ। ଏହାପରେ ବିବାଦ ବଢ଼ିଥିଲା। ମହିଳା ଥାନାରେ ପପୁ ଏବଂ ଫିଲ୍ମର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ବିରୋଧରେ ଏତଲା ଦିଆଯାଇଥିଲା।
ଏହାପରେ ପପୁ ଦୂତୀଙ୍କୁ ଟାର୍ଗେଟ କରିଥିଲେ। ନୂତୀ ନିଜ କଥା ନିଜେ ବୁଝନ୍ତୁ କହିବା ସହ ତାଙ୍କ ସମଲିଙ୍ଗୀ ସମ୍ପର୍କକୁ ଆକ୍ଷେପ କରିଥିଲେ। ଏହି ବିବାଦ ନଥମୁଣୁ ଏବେ ରାନୁ ମଣ୍ଡଳଙ୍କୁ ମିମିକ୍ରି କରି ପପୁ ପୁଣି ଅଡୁଆରେ ପଡ଼ିଛନ୍ତି।