ନୀଳାମ୍ବର ରଥ

ସ୍ମାର୍ଟସିଟି ଭୁବନେଶ୍ୱରର ସ୍ମାର୍ଟନେସ୍‍ ରାସ୍ତାଘାଟରେ ଜଳ ଜଳ ହୋ‍ଇ ଦିଶୁଛି! ଭୁବନେଶ୍ୱରିଆ ଲୋକଙ୍କୁ ଏକଥା ଦିଶୁ କି ନ ଦିଶୁ, ବାହାରୁ ଆସୁଥିବା ଲୋକଙ୍କ ଆଖିରେ ‘ପ୍ରଥମ ଦେଖାରେ ପ୍ରେମ’ ଭଳି ଅବସ୍ଥା । ମୁଁ ଆଉ କିଛି ନୁହେଁ, ଭୁବନେଶ୍ୱରର ଟ୍ରାଫିକ୍‌ ବ୍ୟବସ୍ଥା କଥା କହୁଛି।

ଏବେ ଦିନେ ସ୍ମାର୍ଟସିଟି ଉପରେ ଥିବା ଗୋଟିଏ ହ୍ୱାଟ୍ସଆପ୍‍ ଗ୍ରୁପ୍‌ରେ ରାଜଧାନୀର ଟ୍ରାଫିକ୍‍ ସମସ୍ୟା ସମ୍ପର୍କରେ ମୁଁ ଗୋଟିଏ ଛୋଟ ମେସେଜ୍‍ ପୋଷ୍ଟ କରିଥିଲି। ଅନେକ ବନ୍ଧୁ ତା’ ଉପରେ କମେଣ୍ଟ ରଖିଥିଲେ। ଜଣେ ଭଦ୍ରଲୋକ କମେଣ୍ଟ ମାଧ୍ୟମରେ କହିଥିଲେ ଯେ ଭୁବନେଶ୍ୱରର ଟ୍ରାଫିକ୍‍ ବିଶୃଙ୍ଖଳା ଦେଖି ବାହାରୁ ଆସୁଥିବା ଲୋକମାନେ ଯେଉଁ ମନ୍ତବ୍ୟ ଦେଉଛନ୍ତି, ତାହା ଓଡ଼ିଶାର ଯେ କୌଣସି ଭଦ୍ରଲୋକକୁ ଅଡ଼ୁଆ ଲାଗିବ। ସେ ଲେଖିଥିଲେ ଯେ, ତାଙ୍କର ଜଣେ ମରାଠୀ ବନ୍ଧୁ କିଛି ଦିନ ତଳେ ତାଙ୍କ ସାଙ୍ଗରେ କାର୍‌ରେ ଶିଶୁଭବନ ଛକ ଓଭର୍‌ବ୍ରିଜ୍‍ ପାର ହେବା ବେଳେ ଗାଡ଼ିଘୋଡାର ଅବସ୍ଥା ଦେଖି କହିଥିଲେ: “ବମ୍ବେ ପୋଲିସ୍‍କୁ ସାତ ଦିନ ପାଇଁ ଭୁବନେଶ୍ୱର ଟ୍ରାଫିକ୍‌‍ର ଦାୟିତ୍ୱ ଦେଇଦେଲେ ସବୁ ସିଧା ହୋ‍ଇଯିବ”।

ବମ୍ବେ ପୋଲିସ୍‌ର ଦକ୍ଷତା ବାବଦରେ ମୋର ବିଶେଷ ଅନୁଭୂତି ନାହିଁ। କିନ୍ତୁ ସେ ଯେଉଁ ମନ୍ତବ୍ୟ ଦେଲେ, ତା’ର ସାରମର୍ମ ହେଉଛି ଯେ ଭୁବନେଶ୍ୱର ଭଳି ଦ୍ରୁତ ଗତିରେ ବଢୁଥିବା ଓ ଭବିଷ୍ୟତରେ ଏକ ସ୍ମାର୍ଟସିଟିର ରୂପ ନେଉଥିବା ଗୋଟିଏ ସହର ଟ୍ରାଫିକ୍‍ ଦୃଷ୍ଟିରୁ ଯେଭଳି ଶୃଙ୍ଖଳିତ ଓ ସୁରକ୍ଷିତ ହେବା କଥା, ସେଥିରେ ନିଶ୍ଚିତ ଭାବରେ ଅନେକ ଗଳିଆ ରହିଛି। ସେଥିରୁ କେଉଁ ଦାୟିତ୍ୱ ପୋଲିସ୍‌ର ଓ କେଉଁ ଦାୟିତ୍ୱ ସ୍ମାର୍ଟସିଟିବାସୀଙ୍କର ତା’ ହୁଏତ ଅଧିକ ଆଲୋଚନାର ବିଷୟ।

ଆଜି ଭୁବନେଶ୍ୱରରେ ଚଳପ୍ରଚଳ ହେଉଥିବା ଯେ କୌଣସି ଲୋକକୁ ଯଦି ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ପଚରାଯାଏ, ତାହେଲେ ସେ ଚାରୋଟି ବିଶିଷ୍ଟ ବର୍ଗଙ୍କ ସମ୍ପର୍କରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠାଇବେ। ତା’ ଭିତରେ ରହିଛନ୍ତି ଟ୍ରକ୍‌ବାଲା, ଅଟୋବାଲା, ବାଇକ୍‌ବାଲା ଓ ସବୁ ବାଲାଙ୍କ ଉପରେ ପୋଲିସ୍‌ବାଲା। ‘ଖଜୁରି ଗଛର… ମୂଳରୁ ପାହଚ ପାହଚ’ ଭଳି ସହରର ଯୋ‌ଉ ମୁହଁରୁ ଦେଖିବେ, ଚିତ୍ର ପାଖାପାଖି ସମାନ। ଯଦି ଆପଣଙ୍କ ମନରେ କିଛି ସନ୍ଦେହ ଥାଏ, ତେବେ ଯେ କୌଣସି ଦିନ ଯେ କୌଣସି ସମୟରେ ରାଜଧାନୀର ଐତିହାସିକ ଖଣ୍ଡଗିରି ଛକରେ କିଛି ସମୟ ନୀରବରେ ଠିଆ ହୋ‍ଇ ଦେଖନ୍ତୁ, ଆପେ ଆପେ ବୁଝିଯିବେ ଯେ ଏହି ପ୍ରଥମ ତିନିବାଲାଙ୍କ ପାଇଁ ଲୋକେ କିଭଳି ତ୍ରାହି ତ୍ରାହି ଡାକ ଛାଡ଼ୁଛନ୍ତି । ବିଶେଷକରି ସହରରେ ଟ୍ରାଫିକ୍‌ ପୋଲିସ୍‌ ବ୍ୟବସ୍ଥା ଶୃଙ୍ଖଳିତ ହୋ‌ଇପାରୁନଥିବାରୁ ପୋଲିସ୍‌ବାଲାଙ୍କ ଉପରେ ମଧ୍ୟ ଲୋକମାନଙ୍କର ‘ଭଡାସ୍’ କିଛି କମ୍‍ ନୁହେଁ।

ରାଜଧାନୀ ଭୁବନେଶ୍ୱରରେ ଯେତିକି ସଂଖ୍ୟାରେ ଅଟୋ ରହିଛି, ମୋର ମନେହୁଏ ସେମାନଙ୍କ ଭିତରୁ ଅଧେ ଅଟୋଙ୍କୁ ଯଦି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଇ ଦିଆଯାଏ, ତାହେଲେ ଦୁଇଟି ଲାଭ ହେବ। ଏକ: ରାଜଧାନୀକୁ ମିଳିବ ପରମ ଶାନ୍ତି। ଦୁଇ: ରାଜ୍ୟର ଅନ୍ୟ ଅଞ୍ଚଳରେ ପବ୍ଲିକ୍‍ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ଅଧିକ ଉନ୍ନତି ଆସିପାରିବ।

ବାଇକ୍‌ବାଲାଙ୍କ କାହାଣୀ ଏକବାରେ ସୁପର୍‌ହିଟ୍‍। ଏମାନେ କୋ‌ଉ ପଟୁ ଆସି କେତେବେଳେ କୋ‌ଉ ପଟକୁ ଯାଆନ୍ତି, ସେକଥା ପ୍ରଭୁ ବିଶ୍ୱକର୍ମା ବି ଗେସ୍‌ କରିପାରିବେ ନାହିଁ! ଏମାନଙ୍କ ପାଇଁ ଟ୍ରାଫିକ୍‌ ଲାଇଟ୍‍, ଲେନ୍‍ ବ୍ୟବସ୍ଥା, ଫୁଟ୍‌ପାଥ୍‌ ଏବଂ ବାଁ ଓ ଡାହାଣ ସବୁ ସମାନ। ଯେଉଁଠି ଟିକେ ଫାଙ୍କ ମିଳିଲା, ଏମାନେ ଖେଦିଯାଆନ୍ତି। ସହରର ଅନେକ ଦୁର୍ଘଟଣାର ଏମାନେ ହେଉଛନ୍ତି ପ୍ରତ୍ୟକ୍ଷ ବା ପରୋକ୍ଷ କାରଣ ! ଉଦାହରଣ ଦେଲେ ହୁଏତ ଆଉ ଗୋଟିଏ ମହାଭାରତ ଲେଖି ହୋ‍ଇଯିବ।

ଏବେ ଆସିବା ଟ୍ରକ୍‌‍ବାଲାଙ୍କ ପାଖକୁ। ଏମାନଙ୍କ ଭିତରେ ଅଛନ୍ତି ଲାଇନ୍‌ ଟ୍ରକ୍‌ ଓ ଲୋକାଲ୍‌ ଟ୍ରକ୍‌। ବିଶେଷକରି ଲୋକାଲ୍‌ ଟ୍ରକ୍‍ ସହର ଭିତରେ ବାଲି ଉଡ଼େଇ, ଆପଣଙ୍କ ମୁହଁକୁ ଗୋଡ଼ି ଫୋପାଡ଼ି, ହର୍ଣ୍ଣ ବଜାଇ ଆପଣଙ୍କ କାନକୁ ତାବ୍‌ଦା କରି ବା ଆପଣଙ୍କ ଗାଡ଼ି ପଛରେ ଜୋର୍‌ରେ ଗାଡ଼ି ଚଲାଇ ଯେଉଁ ଟେରର୍‌ ସୃଷ୍ଟି କରୁଛନ୍ତି, ତା’ ସମ୍ଭବତଃ ପୃଥିବୀର କୌଣସି ସଭ୍ୟ ସହରରେ ଦେଖିବାକୁ ମିଳେ ନାହିଁ। ଅବଶ୍ୟ, ବଲିଉଡ୍‍ ଫିଲ୍ମରେ ଆପଣ ଏଭଳି ସିନ୍‍ ପାଇବେ। ବାଇକ୍‌ବାଲା ଯେମିତି ତରତର, ତାଙ୍କଠୁ ବେଶି ଫରଫର ଏହି ଟ୍ରକ୍‌ବାଲାଏ।

ଯଦି ଆପଣ ସହର ଭିତର ଦେଇ ଯାଇଥିବା ଜାତୀୟ ରାଜପଥ କଥା ଭାବନ୍ତି, ତାହେଲେ ରାସ୍ତାର ଏହି ପ୍ରଥମ ଶ୍ରେଣୀର ନାଗରିକମାନଙ୍କ ଭିତରେ ବୋଧହୁଏ ପ୍ରାଇଭେଟ୍‍ ବସ୍‌ବାଲାଙ୍କୁ ବି ନେଇହେବ। ପୃଥିବୀରେ କେତେ ପ୍ରକାର ଏୟାର୍‌ ହର୍ଣ୍ଣ ଅଛି, ରାସ୍ତା ମଝିରେ କିଭଳି ଲୋକଙ୍କ ସୁବିଧାକୁ ବେଖାତିର କରି ଯାତ୍ରୀ ଚଢେଇହେବ କିମ୍ବା ଲଗାତାର ଭାବରେ ହର୍ଣ୍ଣ ବଜେଇ ରାସ୍ତାର ବାଁରୁ ଡାହାଣକୁ ପୂରା ଅଞ୍ଚଳକୁ ବ୍ୟବହାର କରି କିଭଳି ସର୍କସ୍‌ର ଷ୍ଟଣ୍ଟମ୍ୟାନ୍‌ ଭଳି ଗାଡ଼ି ଚଳାଯାଇପାରେ, ଏହା ତାଙ୍କଠୁ ଶିଖିବାର କଥା।

ଭୁବନେଶ୍ୱରରେ ଟ୍ରାଫିକ୍‌ ସମସ୍ୟାର କାରଣଗୁଡ଼ିକ (ବୋଧହୁଏ) ଭିତରେ ରହିଛି:

୧. ଦୁର୍ବଳ ଟ୍ରାଫିକ୍‍ ନିୟନ୍ତ୍ରଣ ବ୍ୟବସ୍ଥା

୨. ଯାତ୍ରୀମାନେ ଟ୍ରାଫିକ୍‌ ନିୟମ ବାବଦରେ ସଚେତନ ନଥିବା ବା ନିୟମ ନ ମାନିବା

୩. ବାଇକ୍‌ ଓ ଅଟୋବାଲାଙ୍କ ବେପରୱା ଗାଡ଼ି ଚାଳନା

୪. ରାସ୍ତାରେ ବିପରୀତ ପଟୁ ଗାଡ଼ି ଚଳାଇବା, ଫୁଟ୍‌ପାଥ୍‌ ଉପରେ ଗାଡ଼ି ଚାଳନା ବା ୟୁଟର୍ଣ୍ଣ ନ ମାନିବା

୫. ଲେନ୍‌ ଡ୍ରାଇଭିଂ ବ୍ୟବସ୍ଥା ବାବଦରେ ସଚେତନତାର ଅଭାବ ଇତ୍ୟାଦି

ସହର ଯେଉଁଭଳି ଆଧୁନିକତା ଆଡ଼କୁ ଗତି କରୁଛି ସେ ଅନୁଯାୟୀ ଅଟୋମେଟିକ୍‍ ଟ୍ରାଫିକ୍‍ ପରିଚାଳନା ବ୍ୟବସ୍ଥା ଲାଗୁ ନହେବା ବା ମାନୁଆଲ୍‍ ବ୍ୟବସ୍ଥାରେ ଟ୍ରାଫିକ୍‍ ନିୟନ୍ତ୍ରଣ ଏକ ବଡ଼ ଦୁର୍ବଳତା ବୋଲି ମୋର ମନେହୁଏ।

ଆଜି ସହରରେ ଅବସ୍ଥା ଏପରି ହୋ‌ଇଛି ଯେ ଟ୍ରାଫିକ୍‍ ନିୟମ ମାନୁନଥିବା ଗାଡ଼ିଚାଳକର କିଛି ଟେନ୍ସନ୍‍ ନାହିଁ, ବରଂ ସେମାନେ ସବୁତକ ଟେନ୍‌ସନ୍‍ ପେଲିଦେଇଛନ୍ତି ବିଚରା ଭଦ୍ର, ଶୃଙ୍ଖଳିତ ଓ ପାଦେ ପାଦେ ନିୟମକୁ ମାନୁଥିବା ଲୋକଙ୍କ ଆଡ଼କୁ। ଆଉ ଏକଥା ଜାଣି ମଧ୍ୟ ଆମ ପ୍ରଶାସନିକ କଳ ବିଶେଷକରି ପୋଲିସ୍‍ ବ୍ୟବସ୍ଥା ଅଜଣା ଚାଉଳର ଭାତ ଖାଉଛନ୍ତି।

ଏହି ବ୍ଲଗ୍‌ ଲେଖିଲା ବେଳକୁ ଦି ଜଣ ବନ୍ଧୁ କହିଲେ ସବୁ ବାଲାଙ୍କ କଥା ଲେଖିଲେ ଯେ ଆଉ ଆପଣଙ୍କ ଭଳି କାର୍‌ବାଲା କ’ଣ ଭଦ୍ରଲୋକ! ଭଲ ପ୍ରଶ୍ନଟିଏ ପଚାରିଲେ। ଏହି ଲେଖାର ଉଦ୍ଦେଶ୍ୟ କାହାକୁ ଭଲ ବା ଭେଲ କହିବା ନୁହେଁ; କିନ୍ତୁ ନିଶ୍ଚିତ ଭାବରେ ରାଜଧାନୀର ଟ୍ରାଫିକ୍‍ ବ୍ୟବସ୍ଥାକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ବାବଦରେ ସଚେତନତା ସୃଷ୍ଟି କରିବା। ଏକଥା ବି ସତ ଯେ ଆଜି ଭୁବନେଶ୍ୱରରେ କାର୍‌ର ସଂଖ୍ୟା ଯେଭଳି ଭାବେ ବଢିଚାଲିଛି ଏବଂ ଜୀବନରେ କୌଣସି ଟ୍ରେନିଂ ନନେଇ ବା ଅଧା ଟ୍ରେନିଂରେ କାର୍‌ ଚଲାଉଥିବା ଲୋକଙ୍କ ସଂଖ୍ୟା ନଜରକୁ ଆସୁଛି ସେ ଦୃଷ୍ଟିରୁ ସହରର ସଡ଼କ ସଂକୀର୍ଣ୍ଣ ମନେହେବା ଓ ଦୁର୍ଘଟଣା ଘଟିବା ସ୍ୱାଭାବିକ କଥା।

ଯଦି ଟ୍ରାଫିକ୍‌ ପୋଲିସ୍‌, ଗଣମାଧ୍ୟମ ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ଭୁବନେଶ୍ୱର ରାସ୍ତାରେ ଘଟୁଥିବା ଦୁର୍ଘଟଣାର ମ୍ୟାପିଂ କରନ୍ତି, ବା ଗବେଷଣା କରି ତା’ର କାରଣଗୁଡ଼ିକ ବାହାର କରିବାକୁ ଚେଷ୍ଟା କରନ୍ତି, ତେବେ ହୁଏତ ଦେଖାଯିବ ଅଧିକାଂଶ ଦୁର୍ଘଟଣା ପଛରେ ଏକା ପ୍ରକାରର କାରଣ ରହିଛି। ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ଦୁର୍ଘଟଣା ପଛର ଏହି କାରଣଗୁଡ଼ିକର ନିଦାନ ଓ ନିରାକରଣ କରିବା ପୋଲିସ୍‌ ଏବଂ ଆମ ନାଗରିକମାନଙ୍କର କର୍ତ୍ତବ୍ୟ।

କଥା ହେଉଛି ‘ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ?’

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ)

LEAVE A REPLY

Please enter your comment!
Please enter your name here