ଓଡ଼ିଶାରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ଆଜି ସୋସିଆଲ୍‍ ମିଡିଆର ଭରପୂର ଫାଇଦା ନେବାକୁ ଚାହୁଁଛନ୍ତି।

ଓଡିଶାଲାଇଭ୍ ବ୍ୟୁରୋ

କିଛି ଦିନ ତଳେ ବରଗଡ଼ ସାଂସଦ ପ୍ରଭାସ ସିଂହ ଏଟିଏମରେ ଟଙ୍କା  ଉଠାଇବା ସକାଶେ ଧାଡ଼ି ବାନ୍ଧି ଠିଆ ହୋଇଥିବା ଦେଖାଯାଇଥିଲା। …ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହୁବଳି ଫିଲ୍ମର ବୈଷୟିକ ନିର୍ଦ୍ଦେଶକ ସଂଯତ ମିଶ୍ରଙ୍କୁ ଏବେ ଏବେ ଅଭିନନ୍ଦନ ଜଣାଇଛନ୍ତି। …କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଆଦିବାସୀ ଝିଅକୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ଏହିସବୁ ସୂଚନା ଆଜି ସୋସିଆଲ୍‌ ମିଡିଆ ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଯାଉଛି। ରାଜନେତାମାନେ ଏଇ କ୍ଷଣି ଲାଗି ପଡ଼ିଛନ୍ତି କିପରି ଅଧିକରୁ ଅଧିକ ଲୋକଙ୍କ ସହିତ ଯୋଡ଼ିହେବେ। ପ୍ରତ୍ୟକ୍ଷ ଯୋଡ଼ିହେବା ଅପେକ୍ଷା ସହଜ ରାସ୍ତାଟି ହେଉଛି ସୋସିଆଲ୍‍ ମିଡିଆ। ଏହାରି ମାଧ୍ୟମରେ ଗୋଟିଏ ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଲୋକଙ୍କ ହାତମୁଠାରେ ଥିବା ମୋବାଇଲ୍‌ରେ ନେତାମାନେ ଉଭା ହୋ‍ଇପାରୁଛନ୍ତି।

ଆଗରୁ ନେତାମାନେ ଯେମିତି ଲୋକଙ୍କଠାରୁ ଦୂରେଇ ରହୁଥିଲେ ଏବେ ତାହା ଆଉ ଚଳିବ ନାହିଁ। ନେତା ଜନତାଙ୍କ ନିକଟବର୍ତ୍ତୀ ହେଉଥିବା କଥାଟି ଯେତିକି ସତ, ଲୋକମାନେ ନେତାଙ୍କଠାରୁ ସେତିକି ଆଶା କରିବା ମଧ୍ୟ ସେତିକି ସତ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ହେଉଛି ‘ଲୋକଙ୍କ ଦୃଷ୍ଟିକୋଣ ବଦଳାଇବାର ଉଦ୍ୟମ’ ବା perception management। ଆଗରୁ କେବେ ବି ନେତାମାନେ ଏଭଳି ଲୋକଙ୍କ ନିକଟତର ହେବା ପାଇଁ ତତ୍ପର ହେଉ ନଥିଲେ। ସୋସିଆଲ ମିଡିଆର ଯୁଗରେ ଜନତାଙ୍କ ସହିତ ସମ୍ପର୍କ ବାନ୍ଧିବା ନିତାନ୍ତ ଆବଶ୍ୟକ, ଏକଥା ନେତାମାନେ ବିଳମ୍ବରେ ହେଲେ ମଧ୍ୟ ବୁଝିବାକୁ ଆରମ୍ଭ କରିଛନ୍ତି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏହି ‘ସ୍ୱଭାବ ପରିବର୍ତ୍ତନ’ ବେଶ୍ ପରିଲକ୍ଷିତ। ଲୋକଙ୍କ ସହିତ ଆଦୌ ମିଳାମିଶା କରିପାରୁ ନଥିବା ନବୀନ ଏବେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖିବାଠାରୁ ଆରମ୍ଭକରି ସେଲ୍‌ଫି ପାଇଁ ପୋଜ ଦେବା ପର୍ଯ୍ୟନ୍ତ ସବୁ କିଛି କରିବା ପାଇଁ ପ୍ରସ୍ତୁତ। ଏହି ପରିବର୍ତ୍ତନ ଯୋଗୁଁ ନବୀନ ଏବେ ଯୁବକଙ୍କ ପ୍ରିୟଭାଜନ ହେବା ଦେଖାଯାଉଛି। କହିବାକୁ ଗଲେ ଏଇଟି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଡବଲ ବୋନସ୍‌।

ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ଆବିର୍ଭାବ ଏହି ମନୋଭାବ ପରିବର୍ତ୍ତନ ପଛରେ ବଡ଼ କାରଣ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମତ। ତା’ ଛଡ଼ା ବିଜେପି ଯେଉଁଭଳି ନିଜକୁ ସୋସିଆଲ ମିଡିଆରେ ଛାଇ କରିଦେଇଛି ବିଜେଡି ପାଇଁ ତାହା ଏକ ସତର୍କ ଘଣ୍ଟି ସଦୃଶ ହୋଇଛି। କେବଳ ସୋସିଆଲ ମିଡିଆ ନୁହେଁ ନବୀନ ଆଜିକାଲି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସାମ୍ବାଦିକମାନଙ୍କ ପ୍ରଶ୍ନର ଗୋଟି ଗୋଟିକରି ଉତ୍ତର ଦେବାକୁ ପଛାଉ ନାହାନ୍ତି।


ବିଜେପିର ‘ପୋଷ୍ଟର୍ ବୟ’ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ ମିଡିଆ ସଂଯୋଗ ଅବଶ୍ୟ ଟିକିଏ ଅଧିକ ଗହୀର। ଲୋକଟି ଅସୁବିଧାରେ ଥାଉ କି କେହି କୌଣସି ପ୍ରତିଯୋଗିତାରେ ସଫଳତା ଲାଭ କରୁ ସେଠି ପହଞ୍ଚିବାରେ ଧର୍ମେନ୍ଦ୍ର ସମସ୍ତଙ୍କଠାରୁ ଆଜି ଆଗରେ। ଧର୍ମେନ୍ଦ୍ରଙ୍କ ଫେସବୁକ୍, ଟୁଇଟର ଆଦି ସୋସିଆଲ ମିଡିଆରେ ଘନଘନ ଉପସ୍ଥିତି ଯୋଗୁଁ ସେ ଏ କ୍ଷେତ୍ରରେ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସମାଜ ବିଜ୍ଞାନ ବିଭାଗ ପ୍ରଫେସର ଅନୁପ ଦାସ କହନ୍ତି, “ଆଜିକାଲି ଅଧିକାଂଶ ନେତା ମୋଦିଙ୍କୁ ଅନୁକରଣ କରୁଛନ୍ତି। ସୋସିଆଲ ମିଡିଆକୁ ବ୍ୟବହାରକରି ମୋଦି ଯେମିତି ଲୋକଙ୍କ ସହିତ ନିଜକୁ ଯୋଡ଼ି ପାରୁଛନ୍ତି ଅନ୍ୟ ନେତାମାନେ ବି ସେହିଭଳି କରିବାକୁ ବାଧ୍ୟ ହେଉଛନ୍ତି।”

ଆଜି ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ଯରେ ଲୋକଙ୍କ ନିକଟତର ହେବା ପାଇଁ ସୁଯୋଗ ଓ ମିଡିଆ ଖୋଜା ଚାଲିଛି। ଏ କ୍ଷେତ୍ରରେ ଏକ ବଡ଼ ମାଧ୍ୟମ ହୋ‍ଇଛି ସୋସିଆଲ୍‍ ମିଡିଆ। ଉଭୟ ଦଳର ମିଡିଆ ସେଲ୍‍ ଏବେ ସୋସିଆଲ୍‌ ମିଡିଆ ଉପସ୍ଥିତିକୁ ବେଶ୍‍ ଗୁରୁତ୍ୱର ସହ ନେଉଛନ୍ତି। ଦଳୀୟ ୱେବ୍‌ସାଇଟ୍‌କୁ ଛାଡ଼ି ଦେଲେ ଫେସ୍‌ବୁକ୍‌, ଟୁ‌ଇଟର ଓ ୟୁଟ୍ୟୁବ୍‌ ଆଦି ମାଧ୍ୟମରେ ଦଳ ନିଜକୁ ଜାହିର୍‌ କରିବା ପାଇଁ ଚେଷ୍ଟା କରୁଛି। ସୋସିଆଲ୍‍ ମିଡିଆ ମାଧ୍ୟମରେ ଲୋକଙ୍କ ସହିତ ଯୋଡ଼ିହେବା ଗୋଟିଏ ପ୍ରକ୍ରିୟା। ଦଳୀୟ ସ୍ତରରେ ଯେତିକି ନୁହେଁ, ବିଜେଡି ଓ ବିଜେପିର ଛାମୁଆ ନେତାମାନଙ୍କ କ୍ଷେତ୍ରରେ ତା’ଠାରୁ ଅଧିକ ଉତ୍ସାହ ଦେଖାଯାଉଛି। ବିଜେଡିର କେତେକ ନେତା, ବିଶେଷକରି ସାଂସଦ ଏ ଦିଗରେ ଆଗ ଧାଡ଼ିରେ ରହିଥିବା ବେଳେ ବିଜେପିର ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି।

ଉଭୟ ଦଳରେ ମିଡିଆ ସମ୍ପର୍କ ପାଇଁ ଆଜି ହ୍ୱାଟ୍ସଆପ୍‌ ଗ୍ରୁପ୍‍ ବ୍ୟବହାର କରାଯାଉଛି। ଦୈନିକ ସାମ୍ବାଦିକ ସମ୍ମିଳନୀ, ପ୍ରମୁଖ ନେତାଙ୍କ କାର୍ଯ୍ୟକ୍ରମ ଏପରିକି ନେତାମାନଙ୍କ ଷ୍ଟେଟ୍‌ମେଣ୍ଟ ଓ କାଉଣ୍ଟର ଷ୍ଟେଟ୍‌ମେଣ୍ଟ ମଧ୍ୟ ଏହି ଗ୍ରୁପ୍‌ ଜରିଆରେ ସିଧାସଳଖ ଗଣମାଧ୍ୟମ ପାଖରେ ପହଞ୍ଚିଯାଉଛି। ବିଭିନ୍ନ ମିଡିଆର ପ୍ରତିନିଧିମାନେ ମଧ୍ୟ ଦଳୀୟ ମୁଖପାତ୍ରମାନଙ୍କ ସହ ହ୍ୱାଟ୍ସଆପ୍‍ ଜରିଆରେ ସିଧାସଳଖ ଯୋଗାଯୋଗ କରିବାକୁ ପସନ୍ଦ କରୁଛନ୍ତି। ବାସ୍ତବରେ ଦେଖିବାକୁ ଗଲେ, ରାଜନୈତିକ ଦଳର ରୁଟିନ୍‍ ଖବର ପାଇଁ ଗଣମାଧ୍ୟମକୁ ଆଜି ବେଶୀ କଷ୍ଟ କରିବାକୁ ପଡ଼ୁନି। ଖବର ଓ ଫଟୋଗ୍ରାଫ୍, ଇମେଲ୍‍ ଓ ହ୍ୱାଟ୍ସଆପ୍‍ ମାଧ୍ୟମରେ ଆପେ ଆପେ ଆସି ପହଞ୍ଚିଯାଉଛି। 

ବିଭିନ୍ନ ରାଜନୈତିକ ଦଳର ମିଡିଆ ସେଲ୍‍ ଆଜିକାଲି ହଠାତ୍ ଅଧିକ ସୋସିଆଲ୍(ମିଡିଆ) ମୁହାଁ ହୋଇଉଠିଛନ୍ତି।

 

LEAVE A REPLY

Please enter your comment!
Please enter your name here