ଓଡିଶାଲାଇଭ ବ୍ୟୁରୋ
ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେତେବେଳେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଲା,ସେଥିରେ ଜଣେ ଅଧେ ଯୁବକ ଥିଲେ। ଶପଥ ଗ୍ରହଣ କରିବା ପାଇଁ ଏହି ଯୁବକ ଜଣକ ଯେତେବେଳେ ମଞ୍ଚ ଉପରକୁ ଗଲେ କାହିଁ କେଉଁ ଦିନର କଥା ତାଙ୍କ ମନକୁ ଆସିଯାଇଥିଲା ଏବଂ ଜୀବନ ସହିତ ଜଡିତ ବହୁ ସ୍ମୃତିକୁ ନେଇ ସେ ରୋମନ୍ଥନ କରୁଥିଲେ।
ସେ ହେଉଛନ୍ତି ସୁଶାନ୍ତ ସିଂହ। ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ଶ୍ରମ ଓ ଇଏସ୍ଆଇ ବିଭାଗ ମନ୍ତ୍ରୀ। ସୁଶାନ୍ତଙ୍କ ବାପା ଥିଲେ ଜଣେ ଡ୍ରାଇଭର। କିଶୋର ବୟସରୁ ହିଁ ସୁଶାନ୍ତ ବାପା ବୋଉଙ୍କୁ ହରାଇଥିଲେ। ଫଳରେ ତାଙ୍କୁ ଅଧାରୁ କଲେଜ ଛାଡିବାକୁ ପଡ଼ିଥିଲା। ଖାଲି ପାଠପଢା ଅଧାରୁ ବନ୍ଦ ହେଲା ତାହା ନୁହେଁ, ଦୁଇ ଭାଇ ଓ ଦୁଇ ଭଉଣୀଙ୍କୁ ଉଠାଇବାର ପାରିବାରିକ ଦାୟିତ୍ୱ ମଧ୍ୟ ସେ ନେଇଥିଲେ। ସୋହେଲା ବ୍ଲକ ବଉସେନମରା ଗ୍ରାମର ଦୁଇ ବଖରା ମାଟିଝାଟି ଘର ହିଁ ତାଙ୍କର ପୈତୃକ ସମ୍ପତ୍ତି।
କଲେଜ ସମୟରୁ ହିଁ ସୁଶାନ୍ତ ରାଜନୀତିରେ ଭାଗ ନେଉଥିଲେ। ହେଲେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ଯାଇ ସୁଶାନ୍ତ ସକ୍ରିୟ ରାଜନୀତିକୁ ଆସିଲେ। ପ୍ରଥମେ ସୁଶାନ୍ତ ବିଜେଡିର ସ୍ଥାନୀୟ ସଂଗଠନରେ ନିଜକୁ ସାମିଲ କଲେ। ସେତେବେଳ ଲୋକସଭା ଓ ଏବେ ରାଜ୍ୟସଭା ସଂସଦ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କ ସଙ୍ଗଠନ କାର୍ଯ୍ୟକୁ ସୁଶାନ୍ତ ଦେଖାଶୁଣା କରୁଥିଲେ।
ଏହି ସମୟରୁ ହିଁ ସୁଶାନ୍ତ ସମସ୍ତଙ୍କର ପ୍ରିୟଭାଜନ ହେବା ସହିତ ଜଣେ ଲୋକପ୍ରିୟ ନେତା ଭାବେ ପରିଚିତ ହେଲେ। ପ୍ରତ୍ୟେକଟି ଲୋକର ସାହାଯ୍ୟ କରିବା ତାଙ୍କର ଏକ ନିୟମିତ କାର୍ଯ୍ୟ ହୋଇପଡ଼ିଥିଲା। ଅସୁବିଧାରେ ପଡିଥିବା ଲୋକଙ୍କୁ ନିରାଶ ହେବାକୁ ସେ ଦେଉନଥିଲେ। ଝିଅ ବାହାଘର ପାଇଁ ଅର୍ଥ ଯୋଗାଡ଼ କରିବାଠାରୁ ସରକାରୀ ଅଫିସରେ କାମ ହାସଲ କରିବା ପର୍ଯ୍ୟନ୍ତ ସୁଶାନ୍ତ ସମସ୍ତଙ୍କୁ ସବୁ ରକମର ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲେ।
ତେବେ ୨୦୦୯ ମସିହାରେ ସୁଶାନ୍ତଙ୍କ ଉପରେ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଦୃଷ୍ଟି ପଡ଼ି ନଥା’ନ୍ତା ତ ସୁଶାନ୍ତ ଏତେ ବାଟ ଆସି ପାରି ନ ଥା’ନ୍ତେ। ପ୍ୟାରୀଙ୍କ ଶୁଭ ଦୃଷ୍ଟି ସୁଶାନ୍ତଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିଲା। ୨୦୦୯ ବିଧାନସଭା ନିର୍ବାଚନରେ ବିଜେଡି ପକ୍ଷରୁ ଭଟଲି ବିଧାନସଭା କ୍ଷେତ୍ର ପାଇଁ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରାର୍ଥିତ୍ୱ ଘୋଷଣା କରାଯାଇଥିଲା। କିନ୍ତୁ ତାହା ଶେଷ ମୁହୂର୍ତ୍ତରେ ବଦଳି ଥିଲା। ଲୋକଙ୍କ ଦାବି ଓ ଇଚ୍ଛାକୁ ବିଚାରକୁ ନେଇ ବିଜେଡି ବାଧ୍ୟ ହୋଇ ସୁଶାନ୍ତଙ୍କୁ ଟିକେଟ ଦେଲେ। ପ୍ରସନ୍ନଙ୍କୁ ପାଖ ରେଢାଖୋଲ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତର କରାଯାଇଥିଲା। ସେହି ନିର୍ବାଚନରେ ସୁଶାନ୍ତ କଂଗ୍ରେସର ପ୍ରକାଶ ଦେବତାଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ସୁଶାନ୍ତ ୨୦୧୪ରେ ପୁଣି ଥରେ ଭଟଲିରୁ ଲଢ଼ି ବିଧାୟକ ହୋଇଛନ୍ତି ଓ ଏବେ ମନ୍ତ୍ରୀ। ଦ୍ୱିତୀୟ ଥର ନିର୍ବାଚିତ ହେବାପରେ ବିଜେଡି ସଭାପତି ତାଙ୍କୁ ଦଳର ଚାଷୀ ମୋର୍ଚ୍ଚାର ଆବାହକ ପଦରେ ମଧ୍ୟ ନିଯୁକ୍ତ କରିଥିଲେ। ସୁଶାନ୍ତଙ୍କ ସାଙ୍ଗଠନିକ ଦକ୍ଷତା ଅତ୍ୟନ୍ତ ସଫଳ ଏଥିରେ କୌଣସି ପ୍ରକାର ଦ୍ୱିମତ ନାହିଁ।
ସୁଶାନ୍ତ ସ୍ଥାନୀୟ ବିଜେଡି ନେତା କେବଳ ନୁହନ୍ତି ଦଳର ଆଶାକୁ ପୂରଣ କରିବାରେ ମଧ୍ୟ ସେ ବେଶ୍ ସମର୍ଥ। ଉଦାହରଣସ୍ୱରୂପ କିଛି ମାସ ତଳେ ସୋହେଲାରେ ଯେଉଁ ବିଶାଳ ଚାଷୀ ସମାବେଶ ଆୟୋଜିତ ହେଲା ଏବଂ ଯେଉଁଠି ମୁଖ୍ୟମନ୍ତ୍ରୀ ଭାଷଣ ଦେଲେ ତାହାକୁ ସଫଳ ରୂପାୟନ କରିବାରେ ସୁଶାନ୍ତ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାପରେ ସୁଶାନ୍ତଙ୍କୁ ପୁରସ୍କାରସ୍ୱରୂପ ବରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କରାଗଲା। ଏବେ ମନ୍ତ୍ରୀ ହେବା ଏକ ସ୍ଵାଭାବିକ ଘଟଣା। କାମ କରି କିଭଳି ରାଜନୀତିରେ ଉପରକୁ ଉଠି ହୁଏ ସୁଶାନ୍ତ ତା’ର ଦୃଷ୍ଟାନ୍ତ।
“ମୋ ଉପରେ ମୁଖ୍ୟମନ୍ତ୍ରୀ ଯେଉଁ ବିଶ୍ୱାସ ରଖିଛନ୍ତି ସେଥିପାଇଁ ମୁଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ତାଙ୍କର ଆଶା ପୂରଣ ପାଇଁ ମୁଁ ସଦାବେଳେ ଉଦ୍ୟମ କରିବି”, ମନ୍ତ୍ରୀ ହେବା ପରେ ଏ କଥା କହିଛନ୍ତି ସୁଶାନ୍ତ ସିଂହ।

















