ଓଡ଼ିଶାଲାଇଭ୍‍ ବ୍ୟୁରୋ

ଅନେକ ବର୍ଷ ତଳେ ଓଡ଼ିଶାର ଝୋଡ଼ିଆ ଜନଜାତିର ନେତ୍ରୀ ସୁମନି ଝୋଡ଼ିଆ ମଦବିରୋଧୀ ସଂଗ୍ରାମର ଆଗଧାଡ଼ିରେ ଠିଆ ହୋ‍ଇ ଜାତୀୟ ସ୍ତରରେ ଖବରର ଶୀର୍ଷକ ପାଲଟିଥିଲେ। ରାୟଗଡ଼ା କାଶିପୁର ଅଞ୍ଚଳର ସେହି ଜନଜାତିର ଯୁବକ ସୁନନ୍ଦ ଝୋଡ଼ିଆ ଆଇଏ‍ଏସ୍‍ ପାଇ ଏବେ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।

ପରିଶ୍ରମ ଓ ତାର ସାଫଲ୍ୟ ଏବେ ଆଉ କୌଣସି ସୀମା ସରହଦ୍ ମାନିବାକୁ ନାରାଜ। ଯାହା ଦିନେ ଅସମ୍ଭବ ଥିଲା, ଆଜି ତାହା ସମ୍ଭବ ପ୍ରତୀୟମାନ ହେଉଛି। ଦେଶର ଶକ୍ତିଶାଳୀ ଓ ସବୁଠାରୁ ମର୍ଯ୍ୟାଦାପୂର୍ଣ୍ଣ ଆଇଏଏସ ଚାକିରୀ ପାଇବା ଆଶାରେ କିଏ କେତେ ଥର ଓ କେତେ ପରିମାଣର ପରିଶ୍ରମ କରନ୍ତି ତାହାର ବହୁ ଉଦାହରଣ ରହିଛି। ହେଲେ ଯେଉଁ ଚାକିରି ଦିନେ କେବଳ ଉଚ୍ଚ ବର୍ଗଙ୍କ ଏକଚାଟିଆ ଥିଲା ତାହା ଏବେ ସମସ୍ତଙ୍କ ପାଇଁ ହାତପାଆନ୍ତାର କଥା ହୋଇ ପାରିଛି।

୨୦୧୭ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ସୁନନ୍ଦ ଝୋଡିଆ ଏଭଳି ଏକ ଦୃଷ୍ଟାନ୍ତ। ନିପଟ ପଛୁଆ ରାୟଗଡ଼ା ଜିଲ୍ଲା କାଶୀପୁର ଅନ୍ତର୍ଗତ ବଡ଼ ମରିଭଟ୍ଟା ଗାଁ ଲୋକମାନଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଏକ ଆଇକନ।

ବାପା ଥିଲେ ଗାଇ ଜଗୁଆଳୀ। ପୁଅ ଏବେ ସିଭିଲ ସର୍ଭିସରେ। କୁଲି କାମ କରି ଯେଉଁ ମା’ଟି ପୁଅକୁ ପାଠ ପଢିବା ପାଇଁ ପ୍ରେରଣା ଦେଇଆସୁଥିଲେ ସେ ବି ଗୋଟିଏ ଉଦାହରଣ। ଆକଳନ ବାହାରେ ଚାକିରୀ। ଗଭୀର ପରିଶ୍ରମ ଓ ସାଧନାର ମୂଲ୍ୟ ସେ ପାଇବେ ନାହିଁ ତ’ ଆଉ କିଏ ପାଇବେ?

ସୁନନ୍ଦଙ୍କ ବାପା ୧୦ ବର୍ଷ ତଳେ ପ୍ରାଣ ହରାଇଥିଲେ। କିନ୍ତୁ ଏବେ ସେ ସ୍ୱର୍ଗରେ ଥାଇ ଆନନ୍ଦ ଅନୁଭବ କରୁଥିବେ ନିଶ୍ଚିତ। ନିଜ ଗାଁ ବଡ଼ମାରିଭଟ୍ଟା ପ୍ରାଥମିକ ବିଦ୍ୟାଳୟରେ ପାଠପଢା ଶେଷ କରି ସେ ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କୋରାପୁଟ ଲଣ୍ଡିଗୁଡା ସ୍କୁଲରେ ଶିକ୍ଷା ସମାପ୍ତ କରିଥିଲେ। ଏହାପରେ ସେ ଝାଡ଼ଖଣ୍ଡ ଧାନବାଦର ଏକ କଲେଜରୁ ବି ଟେକ ପଢା ଶେଷ କରିଥିଲେ। ତା’ ପରେ ସେ ଦିଲ୍ଲୀ ଯାଇ ପ୍ରଶାସନିକ ସେବା ପରୀକ୍ଷା  ପାଇଁ ପଢାପଢି ଆରମ୍ଭ କରିଥିଲେ। ପ୍ରଥମ ପ୍ରଚେଷ୍ଟାରେ ହିଁ ସିଭିଲ ସର୍ଭିସ ପାଇବା ନିଶ୍ଚିତରେ ଗୌରବର ବିଷୟ।

ସୁନନ୍ଦ ଦେଶର ଲକ୍ଷ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଦୃଷ୍ଟାନ୍ତ, ଏକ ପ୍ରେରଣା। ପୂର୍ବରୁ ଅନାହାର ପାଇଁ ଚର୍ଚ୍ଚାରେ ଥିବା କାଶୀପୁର ଏବେ ନୂଆ ଜୀବନ ଓ ପରିଚୟ ସୃଷ୍ଟି କରିଛି।

ସୁନନ୍ଦ କେବଳ କାଶୀପୁର ନୁହଁ, ସମଗ୍ର ଓଡିଶା ପାଇଁ ଗର୍ବ। ତାଙ୍କର ଏହି ସଫଳତା ହାସଲ ଶିକ୍ଷା ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ଅଭିନବ ଉଦାହରଣ ସୃଷ୍ଟି କରିବା ସହିତ ଏକ ନୂତନ ସମ୍ଭାବନା ଆଡକୁ ମାର୍ଗଦର୍ଶନ କରୁଛି।

LEAVE A REPLY

Please enter your comment!
Please enter your name here