ଓଡ଼ିଶାଲାଇଭ୍‍ ବ୍ୟୁରୋ

ଓଡ଼ିଆ ଝିଅଙ୍କ କମାଲ କାହାଣୀ ଆସ୍ତେ ଆସ୍ତେ ପଦାକୁ ଆସିବାରେ ଲାଗିଛି। ଅନନ୍ୟା, ପଦ୍ମାଳୟାଙ୍କ ପରେ ଏବେ ଆଉ ଦୁଇ ଜଣ ମହିଳା ସେମାନଙ୍କ କୃତିତ୍ୱ ଦେଖାଇଛନ୍ତି। ଦିଲ୍ଲୀ ମେଟ୍ରୋ ଟ୍ରେନର ଏହି ଦୁଇ ଜଣ ଚାଳିକା ସମସ୍ତଙ୍କ ପାଇଁ ଆକର୍ଷଣ ପାଲଟିଛନ୍ତି ।

ଏ ଦୁଇ ମହିଳା ହେଲେ ରାଉରକେଲାର ସଂଯୁକ୍ତା ମିଞ୍ଜ୍‌ ଓ ଆଠମଲ୍ଲିକର କବିତା ପ୍ରଧାନ। ୨୦୦୫ରୁ ଏମାନେ ଦିଲ୍ଲୀ ମେଟ୍ରୋ ରେଳ ନିଗମରେ ପାଇଲଟ୍‍ ଭାବରେ ଯୋଗ ଦେଇଥିଲେ। କବିତା ଇତିମଧ୍ୟରେ ପଦୋନ୍ନତି ପାଇ ଲାଇଫ ସୁପରଭାଇଜର ହୋଇଥିବା ବେଳେ ସଂଯୁକ୍ତା ମେଟ୍ରୋ ଟ୍ରେନ୍‍ ଚଳାଉଛନ୍ତି।

କବିତା ହେଉଛନ୍ତି ପ୍ରଥମ ଓଡ଼ିଆ ଝିଅ ଯିଏ ଦିଲ୍ଲୀ ମେଟ୍ରୋରେ ନିଯୁକ୍ତି ପାଇଥିଲେ। ଦିଲ୍ଲୀ ମେଟ୍ରୋରେ କାମ କରୁଥିବା ମାତ୍ର ୧୩ ଜଣ ଚାଳିକାଙ୍କ ମଧ୍ୟରୁ ଦୁଇ ଜଣ ଓଡ଼ିଆ ହେବା କିଛି କମ୍‍ କଥା ନୁହେଁ।

ଟ୍ରେନି ଅପରେଟର ଭାବେ ସାତ ବର୍ଷ ଧରି କାମ କରିବା ପରେ କବିତାଙ୍କୁ ଉପର ପଦବୀ ମିଳିଛି। ୨୦୧୨ରେ ପ୍ରମୋସନ ପାଇବା ସହିତ ସେ ବର୍ତ୍ତମାନ ଅନ୍ୟ ଅପରେଟରମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଦିଲ୍ଲୀ ମେଟ୍ରୋରେ ପ୍ରକୃତରେ ବହୁ ଓଡ଼ିଆ ଭର୍ତ୍ତି ହୋଇଛନ୍ତି। କିନ୍ତୁ ଏ ସମସ୍ତେ ପୁରୁଷ। କବିତା ଓ ସଂଯୁକ୍ତା ମହିଳା ହେଲେ ହେଁ ନିଜକୁ କେବେ ବି ଅସୁରକ୍ଷିତ ମନେ କରିନାହାନ୍ତି।

ଅନଗୁଳ ଜିଲ୍ଲା ଆଠମଲ୍ଲିକରେ ଜନ୍ମିତ କବିତା ତାଙ୍କ ପାଠ ପଢା ବ୍ରଜରାଜନଗରରୁ ଶେଷ କରିଛନ୍ତି। ତାଙ୍କ ବାପା ଓରିୱେଣ୍ଟ ପେପର ମିଲ୍‌ରେ ଚାକିରି କରୁଥିଲେ। ଢେଙ୍କାନାଳର ଏକ ଇଂଜିନିୟରିଂ କଲେଜରୁ ସେ ଇଲେକୋଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନସରେ ଡିପ୍ଲୋମା କରିବା ପରେ ପାଇଲଟ୍ ପାଇଁ ପରୀକ୍ଷା ଦେଇ ସେଥିରେ ସଫଳ ହୋଇଥିଲେ। ସେହିପରି ସଂଯୁକ୍ତା ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ଶିକ୍ଷା ସାରିଛନ୍ତି। ରାଉରକେଲା ଇସ୍ପାତ ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସଂଯୁକ୍ତା।

ଓଡ଼ିଶାରେ କିଛି ମାସ ତଳେ ଲୋକୋ ପାଇଲଟ୍‍ ମୁନ୍ନୀ ଟିଗାଙ୍କ କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ହୋ‍ଇଥିଲା। ଆଦିବାସୀ ପରିବାରର ଝିଅ ମୁନ୍ନୀ ପଶ୍ଚିମ ଓଡ଼ିଶାର ଅବସ୍ଥିତ ଗୋଟିଏ ଆଇଟିଆଇରୁ ପାସ୍‌ କରିବା ପରେ ଏବେ ଭାରତୀୟ ରେଳରେ ପାଇଲଟ୍‌ ହିସାବରେ କାମ କରୁଛନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ପାଇଁ ‘ସ୍କିଲ୍‍ଡ୍‍ ଇନ୍‍ ଓଡ଼ିଶା’ ବିଷୟରେ ସେ ପାଲଟିଛନ୍ତି ଜଣେ ବ୍ରାଣ୍ଡ ଆମ୍ବାସାଡର।

ସେହିପରି ଓଡ଼ିଆ ଝିଅ କ୍ୟାପ୍‌ଟେନ୍‍ ସେଲ୍‌ବି ମିଶ୍ର ଏୟାର୍‌ ଏସିଆର ପ୍ରଥମ ମହିଳା କମର୍ସିଆଲ୍‍ ପାଇଲଟ୍‍ ହିସାବରେ ଯୋଗଦେବା ପରେ ଖବରର ଶିରୋନାମା ହୋ‍ଇଥିଲେ। ବିମାନ ଚାଳିକା ହିସାବରେ ଓଡ଼ିଶାର ହାତଗଣତି କେତେଜଣ ମହିଳାଙ୍କ ଭିତରେ ସେଲ୍‌ବି ଜଣେ।

ସଂଯୁକ୍ତା ମିଞ୍ଜ୍‌, କବିତା ପ୍ରଧାନ, ମୁନ୍ନୀ ଟିଗା ଓ ସେଲ୍‌ବି ମିଶ୍ର – ଏମାନେ ସମସ୍ତେ ଓଡ଼ିଶା ପାଇଁ ଗର୍ବ ଏବଂ ଓଡ଼ିଆ ଯୁବପିଢ଼ି ପାଇଁ ପ୍ରେରଣା। ସମାଜର ମୁଖ୍ୟ ଧାରାକୁ ସମୃଦ୍ଧ କରୁଥିବା ସ୍ୱାବଲମ୍ବୀ ମହିଳାମାନଙ୍କ ତାଲିକାରେ ଏମାନେ ଆସିବେ ନିଶ୍ଚୟ।

LEAVE A REPLY

Please enter your comment!
Please enter your name here