ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳ୍ପନା ଚାୱାଲାଙ୍କ ଭଳି ନୀଳ ଆକାଶର ନୀଳିମାକୁ ଭେଦିବାର ଆସ୍ପର୍ଦ୍ଧା ରହିଛି ତାଙ୍କ ଆତ୍ମବିଶ୍ୱାସରେ ବୟସ ମାତ୍ର ୨୬ ହେଲେ ବି କଥା ତାଙ୍କର ଆକାଶଚୁମ୍ଭୀ ନିଜର ଦୃଢ଼ ଆତ୍ମପ୍ରତ୍ୟୟ ବଳରେ ଓଡ଼ିଶାର ନିପଟ ମଫସଲ ଗାଁରୁ ବାହାରି ସେ ଛୁଇଁ ପାରିଛନ୍ତି ମେଘକୁ ଆଉ ମାପି ପାରିଛନ୍ତି ଆକାଶର ସୀମା ଏମିତି ଜଣେ ମହିଳା ହେଲେ କେନ୍ଦୁଝର ଜିଲ୍ଲା, ପଦ୍ମପୁର ବ୍ଲକ୍, ରୁକୁଣାପୁର ଶାସନର ସେଲବି ମିଶ୍ର

ଯେତେବେଳେ ତାଙ୍କୁ ମାତ୍ର ୧୨ କି ୧୩ ବର୍ଷ ବୟସ ହୋଇଥାଏ । ବାପା ବିପିନ୍ ମିଶ୍ର ଜଣେ ନୌସେନା ଅଧିକାରୀ ହୋଇଥିବାରୁ ପିଲାବେଳୁ ଘରେ ଫାଇଜର ଜେଟ୍ ଓ ଏୟାରକ୍ରାଫ୍ଟ ବିଷୟରେ ଆଲୋଚନା ହୁଏ । ସେତେବେଳରୁ ହିଁ ନିଜକୁ ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖିବା ଆରମ୍ଭ କଲେ ସେଲବି ମିଶ୍ର। ଆଉ ବାପା ବିପିନ୍ ମିଶ୍ର ଥିଲେ ଏ ଦିଗରେ ପ୍ରେରଣାର ଏକମାତ୍ର ଉତ୍ସ ।

“ଅଭିଏସନ୍ ଭଳି ଏକ ପୁରୁଷ ପ୍ରାଧାନ୍ୟ ବୃତ୍ତିକୁ ନିଜର କରିବାକୁ ଚାହିଁଥିବା ସେଲବି କହନ୍ତି ବର୍ତ୍ତମାନ ସମାଜରେ ସେଭଳି କୌଣସି ବୃତ୍ତି ନାହିଁ ଯାହାକି କେବଳ ପୁରୁଷଙ୍କ ପାଇଁ ପ୍ରଯୁଜ୍ୟ । ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କେବଳ ଆତ୍ମବିଶ୍ୱାସ ଦରକାର । ନିଜର ଦୃଢ଼ ମନବୃତ୍ତି ଆଜିର ମହିଳାକୁ ଆକାଶକୁ ନେଇ ପାରିବ । ଆମମାନଙ୍କ ପାଇଁ ଆକାଶ ପରିବ୍ୟାପ୍ତ ନୁହେଁ । ବରଂ ଏହାର ଶେଷ ଅଛି ବୋଲି ଧରି ନେବାକୁ ହେବ । ମୁଁ ପିଲାବେଳୁ କଡା ଅନୁଶାସନ ଭିତରେ ବଢ଼ିଛି । ବାପା ଭାରତୀୟ ନୌସେନାରେ କାମ କରୁଥିବାରୁ ଘରଠୁ ଆରମ୍ଭ କରି ବାହାର ଯାଏଁ, ସବୁଠି ଶୃଙ୍ଖଳିତ ଜୀବନ ବିତାବାକୁ ପଡିଛି । ପିଲାବେଳୁ ଆମକୁ ପୁଅଙ୍କ ସହିତ ଲଢ଼ିବା ଶିଖାଯାଇଛି । ସବୁବେଳେ ମୁଁ କିଛି ଭିନ୍ନ କରିବାକୁ ଚେଷ୍ଟା କରିଛି । ଯାହାର ଫଳ ସ୍ୱରୂପ ଆଜି ମୁଁ କ୍ୟାପଟେନ”, କହନ୍ତି ସେଲବି ମିଶ୍ର।

ମଧ୍ୟବିତ୍ତ ପରିବାରରୁ ଆସିଥିବା ସେଲବି ଇତି ମଧ୍ୟରେ ଏୟାର ଏସିଆର ପାଇଲଟ୍ । ୪୦୦ ଘଣ୍ଟାର କଷ୍ଟକର ତାଲିମ ଶେଷ କରି ଓଡ଼ିଶାର ନାଁ ରଖିଛନ୍ତି ସେଲବି । ଆଉ ପ୍ରଥମ ମହିଳା କମର୍ସିଆଲ ପାଇଲଟ ଭାବେ ଆଖ୍ୟା ପାଇ ପାରିଛନ୍ତି । ଏ ଯାତ୍ରା ଏତେ ସହଜ ନଥିଲା ସ୍କୁଲରେ ଦିବଂଗତ କଳ୍ପନା ଚାଉଲାଙ୍କ ବାବଦରେ ପାଠ୍ୟକ୍ରମ ଓ କିଛି ମୋଟିଭେସନାଲ୍ ଭିଡିଓ ତାଙ୍କ ମନ ଭିତରେ ଥିବା ଆକାଶକୁ ଛୁଇଁବାର ଜିଜ୍ଞାସାକୁ ଦ୍ୱିଗୁଣିତ କଲା । ମୁମ୍ବାଇରେ ଆଭିଏସନ୍‌ରେ ସ୍ନାତକ ଡିଗ୍ରୀ ହାସଲ କଲା ପରେ ସେଲବି ଫ୍ଲାଇଙ୍ଗ ପାଇଁ ଆମେରିକାର ଟେକ୍ସାସ ଗଲେ । ଏଦିଗରେ ଅନେକ ଆର୍ଥିକ ପ୍ରତିବନ୍ଧକ ଆସିଛି । ହେଲେ କେବେ ପଛକୁ ଫେରି ନାହାଁନ୍ତି ସେଲବି ଓ ପରିବାର ଲୋକେ ।

“ମୁଁ କେନ୍ଦୁଝର ଜିଲ୍ଲାର ପଦ୍ମପୁର ନାମକ ଏକ ଛୋଟ ଗାଁରୁ ଆସିଛି । ଓଡ଼ିଶାରେ ଯଦି ସୁନ୍ଦର ସ୍ଥାନର ତାଲିକା କରାଯାଏ ତେବେ ତା ଭିତରେ କେନ୍ଦୁଝରର ନାଁ ନିଶ୍ଚିତ ଆସିବ । ଯଦିଓ ଏହା ସମ୍ପୂର୍ଣ୍ଣ ବିକଶିତ ହୋଇନି ତେବେ ଧୀରେ ଧୀରେ ଏହା ବିକାଶ ପଥରେ ଗତି କରୁଛି । ଆଗରୁ ଗାଁରେ ଯଦି କେହି ହାଇସ୍କୁଲ ଶେଷ କରିଦେଲା ତେବେ ତାର ବାହାଘର କରି ଦିଆଯାଉଥିଲା। ମାତ୍ର ଏବେ ଏଥିରେ ଟିକେ ପରିବର୍ତ୍ତନ ଆସିଛି । ପାଠପଢ଼ାର ମହତ୍ତ୍ଵ ଲୋକେ ବୁଝିଲେଣି । ଆଉ ଓଡ଼ିଶା ବାବଦରେ ଏତିକି କହିବି ଜଣେ ଓଡିଆ ଭାବେ ମୁଁ ନିଜକୁ ଗର୍ବ ଅନୁଭବ କରେ । ମୁଁ ଇତି ମଧ୍ୟରେ ୧୦ଟି ଦେଶ ବୁଲି ସାରିଲିଣି । ଯୁଆଡେ ଗଲେ ମୋତେ ଘର ବାବଦରେ ସମସ୍ତେ ପଚାରନ୍ତି । ଆଉ ଯେବେ ମୁଁ ଉତ୍ତର ଦିଏ ଓଡ଼ିଶା । ସମସ୍ତେ କହନ୍ତି ଜଗନ୍ନାଥ ଧାମ….। ଜଗନ୍ନାଥ ସଂସ୍କୃତି ମୋର ପରିଚୟ ହୋଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରେ”, କହିଛନ୍ତି ସେଲବି।

ଶେଷରେ ଓଡ଼ିଶାର ପ୍ରତ୍ୟେକ ପିତା ମାତାଙ୍କୁ ଅନୁରୋଧ କରିବି ଝିଅମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେମାନେ ଆଗଭର ହୁଅନ୍ତୁ। ବୁଢ଼ା ବୟସରେ ପୁଅ ସାହାରା ହେବ ଏହି ମାନସିକତାରେ ପରିବର୍ତ୍ତନ ଆଣନ୍ତୁ। ଯୁବପିଢ଼ିଙ୍କୁ କହିବାକୁ ଚାହିଁବି କି ସ୍ୱପ୍ନ ଦେଖ । ଯଦି କିଛି କରିବାର ଆତ୍ମବିଶ୍ୱାସ ଅଛି ତେବେ ଏ ପୃଥିବୀ,ଏ ସମାଜ… ତୁମ ନିକଟରେ ମୁଣ୍ଡ ନୁଆଁଇବ।

Comment