ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୩ ଏପ୍ରିଲ ୭ ତାରିଖ (ଶୁକ୍ରବାର) ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏହି ଅବସରରେ ଓଡ଼ିଶାଲାଇଭ୍‌, ସ୍ୱାସ୍ଥ୍ୟପ୍ଲସ ଏବଂ ଆଇଏଫଆଇ ଫାଉଣ୍ଡେସନର ମିଳିତ ମିଡିଆ କ୍ୟାମ୍ପେନ – ‘ଆମ ସ୍ୱାସ୍ଥ୍ୟ ଆମ ଜୀବନ’।

ବର୍ତ୍ତମାନ ସମୟରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ରହିଛି। ବିଶେଷକରି, ମହିଳା, ଯୁବ ବର୍ଗ, ଶିଶୁ, ବରିଷ୍ଠ ନାଗରିକ ଏବଂ ସାଧାରଣ ଲୋକମାନେ ଦୈନନ୍ଦିନ ଜୀବନରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସଚେତନ କରିବା ଲାଗି ଏହି ବିଶେଷ କାର୍ଯ୍ୟକ୍ରମ – ‘ଆମ ସ୍ୱାସ୍ଥ୍ୟ ଆମ ଜୀବନ’।

‘ଆମ ସ୍ୱାସ୍ଥ୍ୟ ଆମ ଜୀବନ’ – ଏହି ମିଡିଆ କ୍ୟାମ୍ପେନ ଏପ୍ରିଲ ୭ ତାରିଖ ସକାଳ ୬ଟାରୁ ରାତି ୧୧ଟା ଯାଏଁ ଚାଲିବ। ଓଡ଼ିଶାର ଅଗ୍ରଣୀ ଡିଜିଟାଲ ନ୍ୟୁଜ ଚ୍ୟାନେଲ ‘ଓଡ଼ିଶାଲାଇଭ୍‌’ରେ ଏହି ୧୮ ଘଣ୍ଟା ଭିତରେ ବିଭିନ୍ନ ସ୍ୱାସ୍ଥ୍ୟ ଉପରେ ଆଧାରିତ ମୋଟ ୩୬ଟି ବିଷୟ ପୋଷ୍ଟ କରାଯିବ।

ଲୋକମାନଙ୍କ ସୁବିଧା ପାଇଁ ଏହାକୁ ‘ଓଡ଼ିଶାଲାଇଭ୍‌’ର ସୋସିଆଲ ମିଡିଆ ପ୍ଲାଟଫର୍ମ – ଫେସବୁକ୍‌, ଟୁଇଟର ଆକାଉଣ୍ଟରେ ପୋଷ୍ଟ କରାଯିବ। ତା’ଛଡ଼ା ଓଡ଼ିଶାଲାଇଭର ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ୍‌ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ଏହି ୩୬ଟି ବିଷୟ ଭିତରେ ଲୋକମାନଙ୍କର ସାଧାରଣ ସ୍ୱାସ୍ଥ୍ୟ, ଜୀବନଶୈଳୀ, ମାନସିକ ସ୍ୱାସ୍ଥ୍ୟ, ମହିଳାଙ୍କ ସ୍ୱାସ୍ଥ୍ୟ, ରକ୍ତ ଚାପ, ପୋଷଣ, ଆଣ୍ଠୁ ଗଣ୍ଠି ବାତ, ଫିଟନେସ୍‌, ଫିଜିଓଥେରାପି, ଦାନ୍ତ ଓ ଆଖି ଏବଂ ନିଦ୍ରା ଜନିତ ସମସ୍ୟା ଆଦି ରହିଛି। ଭାରତର ଅଗ୍ରଣୀ ବହୁଭାଷୀ ସ୍ୱାସ୍ଥ୍ୟଭିତ୍ତିକ ଚ୍ୟାନେଲ ‘ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆ’ରେ ଡାକ୍ତର ଓ ବିଶେଷଜ୍ଞମାନଙ୍କ ସାକ୍ଷାତକାର ଭିଡିଓକୁ ଆଧାରକରି ଏହା ପ୍ରସ୍ତୁତ କରାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତି ବର୍ଷ ଏପ୍ରିଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ଲୋକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ଏବଂ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ସଚେତନ କରାଇବା ଲକ୍ଷ୍ୟରେ ଏହା ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍‌ ରହିଛି – ‘ହେଲଥ ଫର୍‌ ଅଲ୍‌ ବା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ’।

Tags: #WorldHealthDay2023 #AmaSwasthyaAmaJibana #HealthForAll #OdishaLive

LEAVE A REPLY

Please enter your comment!
Please enter your name here