ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଥଯାତ୍ରା ସମୟରେ ପୁରୀ ସହରରେ ଗୋଟିଏ ବଡ଼ ସମସ୍ୟା ହେଉଛି ଯାତ୍ରୀଙ୍କ ରହିବା ପାଇଁ ଜାଗାର ଅଭାବ। ହଜାର ହଜାର ପର୍ଯ୍ୟଟକ ଓ ଭକ୍ତଙ୍କ  ପାଇଁ ଯେତିକି ହୋଟେଲ ରୁମ୍ ଦରକାର ହୁଏ ତା’ ତୁଳନାରେ ଖୁବ କମ୍‌ ରୁମ୍ ଥିବା କାରଣରୁ ଶ୍ରଦ୍ଧାଳୁଙ୍କୁ ଆଗରୁ ହୋଟେଲ ବୁକ୍ କରିବା ସହିତ ସୁରୁଖୁରୁରେ ଯେଭଳି ଜଗନ୍ନାଥ ଦର୍ଶନ କରିହେବ ସେଥିପାଇଁ ବେଶ୍  କସରତ କରିବାକୁ ପଡ଼ିଥାଏ।

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଜଗତର କୋଣ ଅନୁକୋଣରୁ ଆସୁଥିବା ଲୋକଙ୍କ ପସନ୍ଦ ହେଉଛି ବଡ଼ ଦାଣ୍ଡରେ ଥିବା ହୋଟେଲ। ସମୁଦ୍ରକୁ ମୁହଁ କରି ରହିଥିବା ହୋଟେଲର ଚାହିଦା ତ ସବୁଠାରୁ ଅଧିକ। ଅବଶ୍ୟ ଏହା ଖରା ଛୁଟି ବେଳେ।

ଜଣେ ହୋଟେଲ ମାଲିକ କହନ୍ତି,”ରଥ ସମୟରେ ଏତେ ଚାହିଦା ରହିଥିବା ବେଳେ ତାହାକୁ ପୂରଣ କରିବା କାଠିକର ପାଠ। ଯିଏ ପୁରୀ ଆସିବେ ନିହାତି ୩ ଦିନ ତ ରହିବେ – ତାହା ଗୁଣ୍ଡିଚା ହେଉ କି ବାହୁଡା଼ ଯାତ୍ରା ହେଉ। ଏଣୁ ହୋଟେଲ ରୁମ୍ ଅଭାବ କଥା ସତ।”

ଅନ୍ୟ ଦିନରେ ଯେଉଁ ହୋଟେଲ ରୁମ ଭଡ଼ା ଏକ ହଜାର ଟଙ୍କା, ରଥଯାତ୍ରା ସମୟରେ ତାହା ପ୍ରାୟ ୧୦ ଗୁଣ ଅଧିକ ହୋଇଥାଏ। ତେବେ ବି ତାହା ମିଳେ ନାହିଁ। ବଡ଼ ଦାଣ୍ଡ ଆଡକୁ ମୁହଁ କରି ରହିଥିବା ହୋଟେଲରେ ରହିବାକୁ ହେଲେ ଗ୍ରାହକ ମାନେ ୩ ଦିନ ପାଇଁ ୧୦୫୦୦ ଟଙ୍କା ଭଡ଼ା ଗଣିଥାନ୍ତି। ଏସି ଥିବା ଗେଷ୍ଟ ହାଉସ ପାଇଁ କିଛି ନହେଲେ ବି ୧୨ ହଜାର ଟଙ୍କା ଦେୟ ଦେବାକୁ ପଡ଼ିଥାଏ।

ପୁରୀ ହୋଟେଲ ସଂଘ ସଭାପତି ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି ଯେ ପର୍ଯ୍ୟଟକମାନଙ୍କ ପାଇଁ ଢ଼େର ଆଗରୁ ବିଭିନ୍ନ ଏଜେନ୍ସି ରୁମ ବୁକ୍ କରିଥାନ୍ତି। ତେବେ ଭିଡ଼ ଯୋଗୁଁ ଅଧିକ ଭଡ଼ା ନ ନେବାକୁ ହୋଟେଲ ମାନଙ୍କୁ କୁହାଯାଇଛି। ଯେଉଁ ଭଡ଼ା ଧାର୍ଯ୍ୟ କରାଯାଇଛି ସେଥିରେ ହିଁ ଭଡ଼ା ସୀମିତ ରଖିବା ପାଇଁ ସବୁ ହୋଟେଲ ମାଲିକଙ୍କୁ ଅନୁରୋଧ କରିଛନ୍ତି।

ଅନ୍ୟ ଜଣେ ହୋଟେଲ ମାଲିକଙ୍କ କହିବା ଅନୁଯାୟୀ ପ୍ରତିଷ୍ଠିତ ହୋଟେଲ ଏଭଳି ଅଯଥା ଭଡ଼ା ବଢାନ୍ତି ନାହିଁ କାରଣ ଏହା ସେମାନଙ୍କ ପ୍ରତିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ।

ବାସ୍ତବ କ୍ଷେତ୍ରରେ ପୁରୀ ସହରରେ ଥିବା ଛୋଟ ବଡ଼ ହୋଟେଲ ଏହି ସମୟରେ ଭଡ଼ା ବୃଦ୍ଧି କରିଥାନ୍ତି କାରଣ କିଛି ଅଧିକା ରୋଜଗାର କରିବା ପାଇଁ ହେଲେ ୟା ଠାରୁ ଭଲ ସମୟ ଆଉ ନଥାଏ।

ବଡ଼ଦାଣ୍ଡରେ ଥିବା ଧର୍ମଶାଳାଗୁଡ଼ିକ ରଥଯାତ୍ରା ସମୟରେ ଭଡ଼ା ବଢ଼ାଇ ନଥାନ୍ତି ସତ ହେଲେ ଧର୍ମଶାଳା ଛାତ ଉପରେ ଯେଉଁମାନେ ରଥ ଟଣା ଦେଖିବାକୁ ଚାହାଁନ୍ତି ସେମାନଙ୍କୁ ବେଶ୍ କିଛି ଅର୍ଥ ଶ୍ରାଦ୍ଧ କରିବାକୁ ପଡ଼ିଥାଏ।

ପର୍ଯ୍ୟଟନ ଦୃଷ୍ଟିକୋଣରୁ ପୁରୀର ଗୁରୁତ୍ୱ ଦିନକୁ ଦିନ ବଢୁଥିବା ବେଳେ ଯଥେଷ୍ଟ ସଂଖ୍ୟକ ହୋଟେଲ ରୁମ୍ ନ ରହିବା ଏକ ପ୍ରକାର ବିଡ଼ମ୍ବନା। ନିକଟରେ ଅନୁଷ୍ଠିତ ହୋଟେଲ ଓ ରେସ୍ତୋରାଁ ସଂଘର ଦିନିକିଆ ସମ୍ମିଳନୀରେ ମଧ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆବଶ୍ୟକ ସଂଖ୍ୟାରେ ହୋଟେଲ ରୁମ୍ ନିର୍ମାଣ ସମୟର ଆବଶ୍ୟକତା।

LEAVE A REPLY

Please enter your comment!
Please enter your name here