ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କେବଳ ଯେ ଜଗନ୍ନାଥ ଧାମ ପୁରୀରେ ସୀମିତ, ତାହା ନୁହେଁ ବରଂ ବିଶ୍ୱର ଅନେକ ସ୍ଥାନରେ ମହାଆଡ଼ମ୍ବରରେ ପାଳିତ ହୋଇଥାଏ। ମନ୍ଦିରମାଳିନୀ ସହର ଆମ ରାଜଧାନୀରେ ମଧ୍ୟ ବିଭିନ୍ନ ସ୍ଥାନରେ ଏହା ମହାଆଡମ୍ବରରେ ପାଳିତ ହୋଇଥାଏ। ଆସନ୍ତୁ ନଜର ପକାଇବା ରାଜଧାନୀର କେତୋଟି ପ୍ରସିଦ୍ଧ ଘୋଷଯାତ୍ରା ଉପରେ…

ଇସ୍କନ୍ ମନ୍ଦିର

ଇସ୍କନ୍ ମନ୍ଦିର ପରିସରରେ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ଘୋଷଯାତ୍ରା। ୧୯୮୯ ମସିହାରୁ ପାଳିତ ହୋଇଆସୁଥିବା ଏହି ଘୋଷଯାତ୍ରାରେ ଏବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଥିଲା। ପୁରୀ ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ଏଠାରେ ସମସ୍ତ ବିଧିବିଧାନ ସମ୍ପାଦିତ ହୋଇଥିଲା। ପୂର୍ବାହ୍ନ ଘ.୮.୦୦ମିନିଟ୍‌ରେ ରଥ ପ୍ରତିଷ୍ଠା କରାଯାଇଥିବା ବେଳେ ପୂର୍ବାହ୍ନ ଘ.୧୧.୦୦ମିନିଟ୍‌ରେ ପହଣ୍ଡିବିଜେ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ୧୨ଘଟିକାରେ ମଙ୍ଗଳ ଆଳତୀ ସମ୍ପାଦିତ ହୋଇଥିଲା। ଶ୍ରୀ ଶ୍ରୀମଦ୍ ସୁବୋଧ ସ୍ୱାମୀ ମହାରାଜଙ୍କ ଦ୍ୱାରା ଅପରାହ୍ନ ଘ.୨.୦୦ମି.ରେ ଛେରାପହଁରା କରାଯିବା ପରେ ଅପରାହ୍ନ ଘ.୩.୦୦ମି.ରେ ରଥଟଣା ଆରମ୍ଭ ହୋଇଥିଲା। ତିନି ରଥରେ ଚତୁର୍ଦ୍ଧା ମୂର୍ତି ଭକ୍ତମାନଙ୍କ ଗହଣରେ ପହଞ୍ଚିଥିଲେ ଡି.ଏ.ଭି. ପବ୍ଲିକ୍ ସ୍କୁଲ୍ ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ ।

କିଟ୍ ମନ୍ଦିର

କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କିଟ୍ ମନ୍ଦିର ଟ୍ରଷ୍ଟର ଶ୍ରୀ ଜଗନ୍ନାଥ ମନ୍ଦିର ରଥଯାତ୍ରା କାର୍ଯ୍ୟସୂଚୀ ଅନୁଯାୟୀ ସମ୍ପାଦିତ ହୋଇଯାଇଛି। ୨୦୦୬ରୁ ପାଳିତ ହୋଇଆସୁଛି ଏଠାରେ ରଥଯାତ୍ରା। ପ୍ରାତଃ ଘ.୫.୦୦ ମିନିଟ୍‌ରେ ମଙ୍ଗଳ ଆଳତୀ ହୋଇଥିଲାବେଳେ ରଥ ପ୍ରତିଷ୍ଠା ଏବଂ ମଙ୍ଗଳାର୍ପଣ ପୂର୍ବାହ୍ନ ଘ.୧୦.୩୦ମିନିଟ୍ ମଧ୍ୟରେ ସମ୍ପାଦିତ ହୋଇଥିଲା। ଘ.୧୦.୩୦ମିନିଟ୍‌ରେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ଏହା ପରେ ଯଥାରୀତି ବିଧିବିଧାନ କରାଯାଇ ଅପରାହ୍ନ ଘ.୩.୦୦ମିନିଟ୍‌ରେ ଛେରାପହଁରା କରାଯାଇଥିଲା। ପ୍ରତିବର୍ଷ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଛେରା ପହଁରା ସମ୍ପାଦିତ ହେଉଥିବାବେଳେ ଏ ବର୍ଷ ତାଙ୍କ ମାତୃ ବିୟୋଗ ହୋଇଥିବା ହେତୁ ତାଙ୍କର ପ୍ରତିନିଧି ଭାବେ ଶ୍ରୀଯୁକ୍ତ କମଳାକାନ୍ତ ରାଉତ ଛେରା ପହଁରା କରିଥିଲେ। ଅପରାହ୍ନ ପ୍ରାୟ ଘ.୪.୩୦ମିନିଟ୍‌ରେ ରଥଟଣା ଆରମ୍ଭ ହୋଇଥିଲା।  ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ମଧ୍ୟରେ ତିନି ରଥରେ ଚତୁର୍ଦ୍ଧା ମୂର୍ତି ବିଜେ କରିଥିଲେ ଶୀଖରଚଣ୍ଡୀ ଛକଠାରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରକୁ ।

ଆର୍.ସି.ଏମ୍. ମନ୍ଦିର

ଦୀର୍ଘ ୧୧ ବର୍ଷ ଧରି ପାଳିତ ହୋଇଆସୁଛି ଚକାଡୋଳା ଧାମ, ଚନ୍ଦ୍ରଶେଖରପୁରର ଆର୍.ସି.ଏମ୍. ଜଗନ୍ନାଥ ମନ୍ଦିରର ରଥଯାତ୍ରା । ଚଳିତ ବର୍ଷ ମଧ୍ୟ ଖୁବ୍ ଧୁମ୍ ଧାମ୍‌ରେ ଏଠାରେ ପାଳିତ ହୋଇଛି ପବିତ୍ର ଘୋଷଯାତ୍ରା । ଅପରାହ୍ନ ଘ.୧.୦୦ମି.ରେ ମଙ୍ଗଳାର୍ପଣ ହୋଇଥିବାବେଳେ ଘ.୧.୩୦ମି.ରେ ଅନୁଷ୍ଠିତ ହୋଇଥିଲା ଶ୍ରୀଜୀଉମାନଙ୍କର ପହଣ୍ଡି। ଅପରାହ୍ନ ଘ.୨.୩୦ମି.ରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରବୀର ପାଲଙ୍କ ଦ୍ୱାରା ଛେରାପହଁରା ସମ୍ପାଦିତ ହୋଇଥିଲା। ଅପରାହ୍ନ ପ୍ରାୟ ଘ.୩.୧୫ମି.ରେ ଆରମ୍ଭ ହୋଇଥିଲା ରଥଟଣା। ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭକ୍ତମାନେ ପ୍ରାୟ ୧ମାଇଲ୍ ଦୂର ପ୍ରେସ୍‌ଛକଠାରେ ଥିବା ମାଉସୀ ମା ମନ୍ଦିରକୁ ଟାଣି ଟାଣି ନେଇଥିଲେ ତିନିରଥରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତିଙ୍କୁ ।

ଓ.ୟୁ.ଏ.ଟି. କଲୋନୀ

ରାଜଧାନୀର ସର୍ବପୁରାତନ ଘୋଷଯାତ୍ରା ଭାବେ ପ୍ରସିଦ୍ଧ ଓ.ୟୁ.ଏ.ଟି. କଲୋନୀର ରଥଯାତ୍ରା। ୧୯୭୨ ମସିହାରୁ ଦୀର୍ଘ ୪୫ବର୍ଷ ଧରି ଅବିରତ ଭାବେ ଏହା ପାଳିତ ହୋଇଆସୁଛି। ଏଥର ଯଥାବିଧି ମଙ୍ଗଳ ଆଳତୀ, ରଥ ପ୍ରତିଷ୍ଠା, ମଧ୍ୟାହ୍ନ ଧୂପ, ସରିବା ପରେ ବାୟାବାବା ମଠର ମହନ୍ତ ଭକ୍ତି ଚୈତନ୍ୟ ଦାଶଙ୍କ ଦ୍ୱାରା ଅପରାହ୍ନ ଘ.୨.୫୫ମିନିଟ୍‌ରେ ଛେରାପହଁରା ସମ୍ପାଦିତ ହୋଇଥିଲା। ଏହାପରେ ଅପରାହ୍ନ ଘ.୩.୫୫ମିନିଟ୍‌ରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରାୟ ୫୦ ହଜାର ଭକ୍ତଙ୍କ ଭିଡ଼ରେ ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତି ଚାଲିଆସିଥିଲେ ଝାଡେଶ୍ୱରୀ ମନ୍ଦିର ନିକଟକୁ। ସନ୍ଧ୍ୟାରେ ରଥ ଆଳତୀ ସରିଲା ପରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଶ୍ରୀ ଜୀଉମାନଙ୍କର ପହଣ୍ଡି ବିଜେ ହୋଇଥିଲା ।

ପଟିଆ

ରାଜଧାନୀ ଉପକଣ୍ଠରେ ଥିବା ପଟିଆଠାରେ  ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ଘୋଷଯାତ୍ରା। ଶତାଧିକ ବର୍ଷର ପୁରୁଣା ମନ୍ଦିର ହେଲେ ମଧ୍ୟ କୌଣସି କାରଣବଶତଃ ବନ୍ଦ ହୋଇଯାଇଥିବା ଏହି ଘୋଷଯାତ୍ରା ୨୦୧୦ ମସିହାରୁ ପୁନଃପାଳିତ ହୋଇଆସୁଛି। ପୂର୍ବାହ୍ନ ଘ.୧୦.୦୦ମି. ମଧ୍ୟରେ ମଙ୍ଗଳ ଆଳତି, ରୋଷହୋମ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ରଥପ୍ରତିଷ୍ଠା ଇତ୍ୟାଦି ସମ୍ପାଦିତ ହୋଇଯାଇଥିବାବେଳେ  ପୂର୍ବାହ୍ନ ଘ.୧୦.୩୦ମି.ରେ ଶ୍ରୀଜୀଉମାନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଅପରାହ୍ନ ଘ.୧.୦୦ମି.ରେ ପଟିଆଗଡ଼ର ରାଜା ଚତୁର୍ଥ ଦିବ୍ୟସିଂହଦେବଙ୍କ ଦ୍ୱାରା ରଥରେ ଛେରା ପହଁରା ଅନୁଷ୍ଠିତ ହୋଇଥିଲା। ପରେ ପରେ ପ୍ରାୟ ଅପରାହ୍ନ ଘ.୨.୦୦ମି.ରେ ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତିଙ୍କୁ ଭକ୍ତମାନେ ଟାଣି ଟାଣି ନେଇଥିଲେ ଦୋଳମଣ୍ଡପ ସାହିରେ ଥିବା ଗୁଣ୍ଡିଚା ମନ୍ଦିର ନିକଟକୁ। ପ୍ରାୟ ୧୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଓ ଭଗବାନଙ୍କର ଭାବ ବିନିମୟ ଏଠାରେ ଦେଖିବାକୁ ମିଳିଥିଲା ।

(ପ୍ରସ୍ତୁତି – ମଧୁମିତା ନାୟକ ଓ ଅମୀୟ ରଞ୍ଜନ ଧୂପଳ)

Comment