ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରସିଦ୍ଧ ଗୀତିକାର, ସଙ୍ଗୀତକାର ତଥା ଗାୟକ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତ ‘ହେ ଫଗୁଣ ତୁମେ ଗଲା ପରେ ପରେ…’ ସଙ୍ଗୀତପ୍ରେମୀଙ୍କୁ ଏବେ ବି ଭାବବିହ୍ୱଳ କରିଦିଏ। ସତୁରୀ ଦଶକରେ ଆକାଶବାଣୀ, କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଏହି ବିରହ ସଙ୍ଗୀତକୁ ଯେ ନୂଆ ରୂପ ଦେଇ ଯୁବପିଢିଙ୍କ ପାଖରେ ଭେଟି ଦେଇହେବ, ତାହା ପ୍ରମାଣ କରିଛନ୍ତି ଯୁବ ଗାୟକ ବିରାଜ ରଥ।
ମ୍ୟୁଜିକ୍ ରିଅଲିଟି ସୋ’ ‘ଭଏସ୍ ଅଫ୍ ଓଡ଼ିଶା’ ମାଧ୍ୟମରେ ନିଜ ପ୍ରତିଭାର ପରିଚୟ ଦେଇଥିବା ଶ୍ରୀ ରଥ, ଏହି ଗୀତରେ ନୂଆ ଲିରିକ୍ସ ସଂଯୋଗ କରି ଏହାକୁ ହାର୍ଡ ରକ୍ ଷ୍ଟାଇଲ୍ରେ ଗାଇଛନ୍ତି। ଡିଜିଟାଲ୍ ପ୍ଲାଟ୍ଫର୍ମ୍ରେ ରିଲିଜ୍ ହେବାର ପ୍ରାୟ ଏକ ମାସ ମଧ୍ୟରେ ଏହି ମ୍ୟୁଜିକ୍ ଭିଡିଓକୁ ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି।
ଏହି ମ୍ୟୁଜିକ୍ ଭିଡିଓ ମାଧ୍ୟମରେ ଏକ ଦୁଃଖଦ ପ୍ରେମ କାହାଣୀକୁ ଅତ୍ୟନ୍ତ ଭାବୋଦ୍ଦୀପକ ଶୈଳୀରେ ଉପସ୍ଥାପନ କରାଯାଇଛି।
ଏଥିରେ ସଙ୍ଗୀତ ସଂଯୋଜନା ବିନୟକୃଷ୍ଣ ରଥ କରିଥିବା ବେଳେ ବିରାଜ ନିଜେ ଏହାର ଗୀତ ରଚନା କରିଛନ୍ତି। ଏସ୍ଥ୍ରି ମୁଭିଜ୍ ଏବଂ ୟୁନାଇଟେଡ୍ ମିସ୍ଫିଟ୍ସ୍ ଏହାକୁ ପ୍ରଯୋଜନା କରିଥିବା ବେଳେ ‘ଓଡ଼ିଆ ୱାନ୍’ ଡିଜିଟାଲ୍ ରିଲିଜ୍ର ଦାୟିତ୍ୱ ବହନ କରିଛନ୍ତି।
“ଅକ୍ଷୟ ମହାନ୍ତିଙ୍କ ଏହି କାଳଜୟୀ ଗୀତକୁ ନୂଆ କରି ଯୁବପିଢିଙ୍କ ପାଇଁ ଚିନ୍ତା କରିବା ସମୟରେ ମୁଁ ଅନୁଭବ କଲି ଯେ ତାଙ୍କ ଶୈଳୀରେ ଗାଇଲେ ଲୋକଙ୍କୁ କେବେହେଲେ ପସନ୍ଦ ଆସିବ ନାହିଁ। ତେଣୁ ଗୀତରେ ନୂଆ ଲିରିକ୍ସ୍ ଯୋଡ଼ି ମୋ କଣ୍ଠକୁ ସମୀଚୀନ ହେବା ପରି ଶୈଳୀରେ ଗାଇବାକୁ ସ୍ଥିର କଲି”, କହିଛନ୍ତି ବିରାଜ ରଥ।
ଯଦିଓ ଗୀତକୁ କରିବା ସମୟରେ ଏହାର କପିରାଇଟ୍ସ ବିଷୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା, କିନ୍ତୁ ପରେ ପରେ ଜାଣିବାକୁ ପାଇଲୁ ଯେ ୩୦ ବର୍ଷରୁ ଉର୍ଦ୍ଧ୍ୱ ହେବା ପରେ ଏସବୁ ସମସ୍ୟା ରହିବ ନାହିଁ, ଓଡ଼ିଶାଲାଇଭ୍ ସହ କଥା ହେବା ସମୟରେ ବିରାଜ କହିଛନ୍ତି।
ହିନ୍ଦୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ପୁରୁଣା କ୍ଲାସିକ୍ ଗୀତକୁ ନୂଆ ରୂପରେ ତଥା ଢଙ୍ଗରେ ଉପସ୍ଥାପନ କରିବାର ପ୍ରଚଳନ ହୋଇସାରିଛି। ତେବେ ଓଡ଼ିଆ ପୁରୁଣା କ୍ଲାସିକ୍ ଗୀତକୁ ସୁନ୍ଦର ତଥା ନିଖୁଣ ଭାବରେ ନୂଆ ଢଙ୍ଗରେ ଉପସ୍ଥାପନ କରି ବିରାଜ ଅନେକ ପ୍ରତିଷ୍ଠିତ ସଙ୍ଗୀତଜ୍ଞଙ୍କ ପ୍ରଶଂସାର ପାତ୍ର ସାଜିଛନ୍ତି। ପୂର୍ବରୁ ତାଙ୍କ ମ୍ୟୁଜିକ୍ ଭିଡିଓ ‘ସ୍ମୃତିର ମରୁଭୂମି’ ଓ ‘ପ୍ରଜାପତି’ ମଧ୍ୟ ଯୁବପିଢିଙ୍କୁ ପସନ୍ଦ ଆସିଥିଲା।
“ଆଜିର ଯୁବପିଢିକୁ ଓଡ଼ିଆ ସଙ୍ଗୀତ ଜଗତକୁ ଫେରାଇ ଆଣିବା ମୋର ଉଦ୍ଦେଶ୍ୟ। ସେଥିପାଇଁ କିଛି ଭଲ ସଙ୍ଗୀତ ପ୍ରସ୍ତୁତ କରିବାରେ ମୁଁ ସର୍ବଦା ଆଗ୍ରହୀ”, କହିଛନ୍ତି ବିରାଜ।