ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ଗୀତରେ ନୂତନତା ଆଣି ପୁଣିଥରେ ସଙ୍ଗୀତ ପ୍ରେମୀଙ୍କୁ ଆଞ୍ଚଳିକ ଗୀତ ପ୍ରତି ଟାଣି ଆଣିବାର ଉଦ୍ଦେଶ୍ୟ ନେଇ ଯୁବ ଗାୟକ ବିରାଜ ରଥ ଗୋଟିଏ ପରେ ଗୋଟିଏ ମ୍ୟୁଜିକ୍ ଆଲବମ୍ ରିଲିଜ୍ କରିଚାଲିଛନ୍ତି। ନିକଟରେ ଏସ୍ ଥ୍ରି ମୁଭିସ୍ ଓ ୟୁନାଇଟେଡ୍ ମିସ୍‌ଫିଟ୍ସର ମିଳିତ ଆନୁକୂଲ୍ୟରେ ରିଲିଜ୍ ହୋଇଥିବା ସିଙ୍ଗଲ ମ୍ୟୁଜିକ୍ ଭିଡିଓ ‘ଆଶାର ଆକାଶ’ ଯୁବପିଢ଼ିଙ୍କ ମନକୁ ଛୁଇଁପାରିଛି। ଏହି ଗୀତକୁ ବିରାଜ ନିଜେ ଲେଖିଥିବା ବେଳେ ତାଙ୍କ ଭାଇ ବିନୟ କୃଷ୍ଣ ରଥ ଏହାର ସଙ୍ଗୀତ ସଂଯୋଜନା କରିଛନ୍ତି।
ବିରାଜଙ୍କ ଗଳାର ଯାଦୁକରୀ ସ୍ପର୍ଶ ସହିତ ଏହି ଗୀତ ମାଧ୍ୟମରେ ନିଆରା ଢଙ୍ଗରେ ପ୍ରଦର୍ଶିତ ହୋଇଥିବା ପ୍ରେମ କାହାଣୀ ଏହି ମ୍ୟୁଜିକ୍ ଆଲବମ୍‌କୁ ଅନ୍ୟଗୁଡ଼ିକ ମଧ୍ୟରୁ ଭିନ୍ନ କରିଛି। ଏହି ମ୍ୟୁଜିକ୍ ଭିଡିଓରେ ଜଣାଶୁଣା ଅଭିନେତ୍ରୀ ଏଲି ପାଢ଼ୀ ଓ ନବାଗତ ନାୟକ ସାନୁ ଅଭିନୟ କରିଛନ୍ତି।
ପ୍ରେମ ଓ କ୍ୟାରିୟର୍‌ ଦୁଇଟି ଯାକ ଜୀବନର ଖୁସି ପାଇଁ ଏକାନ୍ତ ଆବଶ୍ୟକ। କେବଳ ଅଶେଷ ଧୈର୍ଯ୍ୟର ସାହାରା ନେଇ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରିବ। ଏହା ହିଁ ଏହି ମ୍ୟୁଜିକ୍‌ ଭିଡିଓର ମୂଳ କଥାବସ୍ତୁ।
“ଏହି ଗୀତଟି ବିରାଜ ମତେ ପ୍ରାୟ ତିନି ବର୍ଷ ତଳେ ଶୁଣାଇଥିଲେ। ମୁଁ ବହୁତ ଖୁସି ଯେ ମୋର ଅଭିନୟ କ୍ୟାରିୟରର ୧୩ ବର୍ଷ ପରେ ପୁଣିଥରେ ଆଲବମରେ କାମ କରିଛି। ଏହି ଗୀତରେ ଯେଉଁ ପ୍ରେମ କାହାଣୀ କୁହାଯାଇଛି ସେଥିରୁ ଯୁବପିଢ଼ି ମଧ୍ୟ ପ୍ରକୃତ ଭଲ ପାଇବାକୁ ପାଇବା ପାଇଁ  ଧୈର୍ଯ୍ୟର ସାହାରା ନେବା ପାଇଁ ପ୍ରେରିତ ହେବେ ବୋଲି ମୋର ବିଶ୍ୱାସ’, କହିଛନ୍ତି ଏଲି ପାଢ଼ୀ।
ଏଲି ନିଜ ଅଭିନୟର କ୍ୟାରିଅର ଆଲବମ୍ ଗୀତରୁ ହିଁ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଏକ ମାଲାୟାଲମ ସିନେମାରେ ଅଭିନୟ କରୁଛନ୍ତି। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ କାର୍ଯ୍ୟକ୍ରମ ‘କିଏ ଜିତେ କିଏ ହାରେ’ ତାଙ୍କର ଅନ୍ୟ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ।
‘ଆଶାର ଆକାଶ’ ଭିଡିଓର ସୁଟିଂ କଟକ ଓ ଭୁବନେଶ୍ୱରର ବିଭିନ୍ନ ଜାଗାରେ କରାଯାଇଛି। ପୂର୍ବରୁ ବିରାଜଙ୍କ ‘ହେ ଫଗୁଣ ତୁମେ…’ ଗୀତର ନୂତନ ସଂସ୍କରଣ ଉଚ୍ଚ ପ୍ରଶଂସିତ ହୋଇଥିଲା।

Tags: Asha Ra Akasa, Biraj Rath, Odia Music, Odia Music Video, Music Video, Elli Padhi, He Phaguna Tume, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment