ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ: ମହାବାହୁଙ୍କ ମହାବେଦି ମହୋତ୍ସବର ନବମ ଦିନରେ ମହାବେଦି ଛାଡ଼ି ରତ୍ନବେଦିକୁ ଯାତ୍ରା କରିଛନ୍ତି ଶ୍ରୀଜୀଉମାନେ। ବାହୁଡ଼ା ଯାତ୍ରା ପାଇଁ ସକାଳୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀରେ ପହଞ୍ଚିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀ ଗୁଣ୍ଡିଚା ମନ୍ଦିର ଚାରିପଟେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଯଜ୍ଞବେଦିରେ ଯୋଗରେ ବସିଥିବା ଯାଜ୍ଞଶ୍ୱର ଉଠି ଶ୍ରୀମନ୍ଦିର ଯିବା ପାଇଁ ତତ୍ପର। ସିନ୍ଧୁନନ୍ଦିନୀ ମା’ ଲକ୍ଷ୍ମୀ ଡାକି ଦେଇ ଯାଇଛନ୍ତି। ଶୀଘ୍ର ନ ଆସିଲେ ସିଂହଦ୍ୱାର ବନ୍ଦ କରିଦେବେ। ଯିବାବେଳେ ଧଡ଼ଧଡ଼ ହୋଇ ଧାଡ଼ି ପହଣ୍ଡିରେ ୪ ଠାକୁରଙ୍କ ପହଣ୍ଡି ଦୃଶ୍ୟ ବେଶ୍ ମନୋହର ଥିଲା। ଶରଧା ବାଲି ଜନସମୁଦ୍ର। ନବ ଦିନାତ୍ମକ ଯାତ୍ରା ସାରି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ବାହୁଡ଼ିବେ। ଜୟ ଜୟ ଜଗନ୍ନାଥଙ୍କ ଧ୍ୱନିରେ କମ୍ପୁଥିଲା ଶରଧା ବାଲି। ଦକ୍ଷିଣାଭିମୁଖୀ ଯାତ୍ରା ଦର୍ଶନ କଲେ ଅନନ୍ତ କୋଟି ପୂଣ୍ୟ ହୁଏ ବିଶ୍ୱାସ ଅଛି ।

ଶ୍ରୀଗୁଣ୍ଡିଚା ଆଡ଼ପ ମଣ୍ଡପରେ ଗତକାଲି ରାତିରୁ ଠିଆ ପହୁଡ଼ରେ ପ୍ରଭୁ ରହିଥିଲେ। ଶୀଘ୍ର ଶ୍ରୀମନ୍ଦିର ଫେରିବା ପାଇଁ ଚାରମାଳ ବନ୍ଧା ସରିଥିଲା। ଦଇତାପତି ସେବକମାନେ ସମସ୍ତ ଗୁପ୍ତ ସେବା ଶେଷ କରିଥିଲେ। ସକାଳୁ ଘଣ୍ଟ ଘଣ୍ଟା ଦୀପ, ଧୂପ ମଧ୍ୟରେ ମଙ୍ଗଳ ଆଳତି ହୋଇଥିଲା। ପରେ ପରେ ମଇଲମ ଓ ତଡ଼ପଲାଗି ହୋଇଥିଲା। ରୋଷ ହୋମ ଅବକାଶ, ସୂର୍ଯ୍ୟ ପୂଜା ପରେ ଦ୍ୱାରପାଳ ପୂଜା ନୀତି ଅନୁଷ୍ଠିତ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ବେଶ ଶେଷ ହୋଇଥିଲା। ଯିବା ପାଇଁ ପ୍ରଭୁ ତରବର ହେଉଥିବାରୁ ସକାଳ ଧୂପ ଗୋପାଳ ବଲ୍ଲଭ ଭୋଗରେ ପ୍ରଭୁ ଖେଚୁଡ଼ି ଭୋଗ କରାଯାଇଥିଲା। ଦଇତାପତିମାନେ ପ୍ରଭୁଙ୍କୁ ସେନାପଟା ଲାଗି କରିଥିଲେ। ପରେ ପରେ ମଙ୍ଗଳାର୍ପଣ ନୀତି ସମାପନ ହୋଇଥିଲା।

ବାହୁଡ଼ା ପହଣ୍ଡି : ହେରା ପଞ୍ଚମୀରେ ମା’ ଲକ୍ଷ୍ମୀ ମୋହଚୂର୍ଣ୍ଣ ପକାଇ ଶ୍ରୀମନ୍ଦିର ଫେରିଯିବା ପାଇଁ କହିଥିଲେ। ପ୍ରଭୁ ଆଜ୍ଞାମାଳ ଦେଇ କହିଥିଲେ ମୁଁ ଶୀଘ୍ର ଫେରିଯିବି, ତୁମେ ଯାଅ। ଆଜି ସେହି ଫେରିଯିବାର ବେଳ। ଧାଡ଼ି ପହଣ୍ଡିରେ ୪ ଠାକୁର ରଥ ଉପରକୁ ବିଜେ କରିଥିଲେ। ପହଣ୍ଡ ପହଣ୍ଡ ହୋଇ ପହଣ୍ଡି ବିଜେ ହୋଇଥିଲେ। ବାହୁଡ଼ା ବିଜେ ପହଣ୍ଡି ବେଶ୍ ଆକର୍ଷଣୀୟ ହୋଇଥିଲା। ଜଣକ ପରେ ଜଣେ ଧାଡ଼ି ପହଣ୍ଡିରେ ଶ୍ରୀଜୀଉମାନେ ରଥ ଉପରକୁ ବିଜେ କରିବାର ଦୃଶ୍ୟ ଥିଲା ବେଶ ମନୋରମ । ଶ୍ରୀ ସୁଦର୍ଶନ ଓ ମା ସୁଭଦ୍ରାଙ୍କୁ ଦଇତାପତିମାନେ ହାତ ଓ କାନ୍ଧ ଲଗାଇ ପହଣ୍ଡି କରିଥିଲେ। ପଣ୍ଡା ଓ ପୁଷ୍ପାଳକ ପହଣ୍ଡି ଡୋରି ଧରିଥିଲେ। ଛାମୁ ଖୁଣ୍ଟିଆ, ବେହେରା ଖୁଣ୍ଟିଆ ମଣିମା ମଣିମା ଡାକିଥିଲେ। ସିଂହାସନରୁ ଚାରମାଳ ଦେଇ ଠାକୁରମାନେ ପହଣ୍ଡି ହୋଇ ଆସିଥିଲେ।

ଟାହିଆ ଲଗାଇ ଝୁଲି ଝୁଲି ଆସିଲେ ପ୍ରଭୁ : ସିଂହାସନରୁ ଚାରମାଳ ଦେଇ ଭିତର ବେଢ଼ାରେ ପହଞ୍ଚିବା ପରେ ରାଘବ ଦାସ ମଠ ପକ୍ଷରୁ ୩ଟି ଟାହିଆ ଲଗାଯାଇଥିଲା। ସୋଲ, ଫୁଲ, ବେତ, ବାଉଁଶରେ ନିର୍ମିତ ଏହି ଟାହିଆ ବେଶ ସୁନ୍ଦର ଦେଖା ଯାଉଥିଲା। ଟାହିଆ ଲଗାଇ ଶେଷରେ କଳାଠାକୁର ଝୁଲି ଝୁଲି ହଲି ହଲି ନାକଚଣା ଦ୍ୱାର ଦେଇ ଆସୁଥିବା ସମୟରେ ହରିବୋଲ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା।

ବିଜେ କାହାଳି ବାଜିଲା : ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରଭୁଙ୍କ ବିଜେ କାହାଳି ବାଜିବା ପରେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଜେ କାହାଳି ବାଜିଲେ ଶୁଭଦାୟକ ଓ ଶତ୍ରୁନାଶକ ହୋଇଥାଏ। ପ୍ରଭୁଙ୍କର ପ୍ରତ୍ୟେକ ଶୁଭ ଅନୁକୂଳ କାମରେ ବିଜେ କାହାଳି ବାଜେ। ବିଜେ କାହାଳି ଶବ୍ଦ ଶୁଣିଲେ ମନ ଉଲ୍ଲସିତ ହେବା ସହ ଭକ୍ତି ଭାବ ସୃଷ୍ଟି ହୋଇଥିଲା। ପହଣ୍ଡିରେ ଯିବା ପାଇଁ ପ୍ରଭୁ ତରବର ହେଉଥିଲେ। ଦଇତାପତି ସେବକମାନେ ଡୋର ଲଗାଇ ପ୍ରଭୁଙ୍କୁ ଆଣିଥିଲେ। କାହାଳୀର ଶବ୍ଦ ସହ ସେନାପଟା ଲାଗି ହୋଇ ରାଜା ଯେପରି ଅଶ୍ୱରେ ଚଢ଼ି ବୀର ସୈନିକ ପରି ବାହାରନ୍ତି ପ୍ରଭୁ ସେହିପରି ବିଜେ କାହାଳି ବାଜିବା ପରେ ପ୍ରସ୍ତୁତ ହୋଇଥିଲେ।

ରଥରେ ପହଣ୍ଡି ପରେ ୪ ଠାକୁର ରଥାରୂଢ଼ ହୋଇଥିଲେ। ମା ସୁଭଦ୍ରାଙ୍କ ଦର୍ପଦଳନରେ ମା’ ସୁଭଦ୍ରା ବସିବା ପରେ ରଥ ସିଂହାସନ ଉପରେ ରୁନ୍ଧା (ବନ୍ଧା) ହୋଇଥିଲେ। ରୁନ୍ଧା ହେବାପରେ ରଥ ଉପରେ ବିଭିନ୍ନ ନୀତି ସମାପନ ହୋଇଥିଲେ।

ଗଜପତିଙ୍କ ଛେରା ପହଁରା : ସବୁଠାରୁ ଆକର୍ଷଣୀୟ ଥିଲା ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୁକ୍ଳ ବସ୍ତ୍ର, ପଗଡ଼ି, ଖଡ୍‌‍ଗ ଧରି ସମର୍ପଣ ଭାବ ସହ ୩ ରଥକୁ ଛେରା ପହଁରା କରିବାର ଦୃଶ୍ୟ। ରଥ ଉପରେ ପ୍ରଭୁଙ୍କ ନୀତି ସରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ପୋଲିସ ଶ୍ରୀନଅର ଯାଇ ଗଜପତିଙ୍କୁ ଛେରା ପହଁରା ପାଇଁ ଅନୁରୋଧ କରିଥିଲେ।

ଗଜପତି ମହାରାଜ ଆଗରୁ ସୁନ୍ଦର ଟାନ୍ୟାନ ବିମାନ ଓ କର୍ମଚାରୀଙ୍କୁ ବଡ଼ଶଙ୍ଖ ପାଖକୁ ପଠାଇ ନିଜେ କାର ଯୋଗେ ବଡ଼ଶଙ୍ଖ ପାଖକୁ ଯାଇଥିଲେ। ସେଠାରେ ବର୍ଣ୍ଣାଢ଼୍ୟ ପଟୁଆର ସହ ଟାନ୍ୟାନରେ ବସି ଶରଧାବାଲି ନାକଚଣା ଦ୍ୱାରଠାରେ ତିନି ରଥକୁ ଛେରା ପହଁରା କରିଥିଲେ। ରଥ ଉପରେ ଗଜପତି ଦର୍ଶନ ଓ ରାଜନୀତି କାର୍ଯ୍ୟ ସମାପନ କରିଥିଲେ। ବନ୍ଦାପନା, କର୍ପୂର, ଚନ୍ଦନ ଆଲଟ, ଚାମର ପରେ ପୟମାଳା କାର୍ଯ୍ୟ ସମାପନ କରିଥିଲେ।

ରାଜା ଉପବାସ ରହିବା ସହ ଶ୍ରୀନଅରର ଅଧିଷ୍ଠାତ୍ରୀ ଦେବୀ ମା’ କନକ ଦୁର୍ଗାଙ୍କୁ ପ୍ରଣିପାତ କରି ବାହୁଡ଼ା ଯାତ୍ରା ଛେରା ପହଁରା ପାଇଁ ବାହାରିଥିଲେ। ଗଜପତି ଛେରା ପହଁରା କାର୍ଯ୍ୟ କରିଥିଲେ। ଗଜପତିଙ୍କ ସହ ରାଜଗୁରୁ ଲେଙ୍କା, ବେହେରା ଖୁଣ୍ଟିଆ, ମେକାପ, ଗରାବଡ଼ୁ, ଦେଉଳ କରଣ ଓ ଶ୍ରୀମନ୍ଦିର କର୍ମଚାରୀ ସାମିଲ ହୋଇଥିଲେ।

ଚାରମାଳ ଫିଟା : ପ୍ରଭୁ ରଥ ଉପରକୁ ୨ ଥର ଚଢ଼ନ୍ତି ଓ ୨ ଥର ଓହ୍ଲାନ୍ତି। ୪ ଥର ପାଇଁ ଚାରମାଳ। ଚାରମାଳ ତଳେ ୪ଟି ତାଳଦଣ୍ଡା ରଖାଯାଇଥିଲା। ନଡ଼ିଆ ଓ ତାଳ ଖଣ୍ଡପାତରେ କତା ଦଉଡ଼ି ମାଳ କରାଯାଇଥିଲା। ଏହାକୁ ଭୋଇ ସେବକ ଓ ମହାରଣା ସେବକମାନେ ଲଗାଇଥିବା ବେଳେ ସେମାନେ ପ୍ରଭୁ ରଥାରୂଢ଼ ପରେ ଫିଟାଇଥିଲେ।

ଘୋଡ଼ାବନ୍ଧା : ଚାରମାଳ ଫିଟାଯିବା ପରେ ତାଳ ଧ୍ୱଜରେ କଳା ଘୋଡ଼ା, ନନ୍ଦିଘୋଷରେ ଧଳାଘୋଡ଼ା ଓ ଦର୍ପଦଳନରେ କସୁରିଆ ଘୋଡ଼ା ୪ଟି ଲେଖାଏଁ ବନ୍ଧା ଯାଇଥିଲା। ରୂପକାର ସେବକମାନେ ରଥରେ ଘୋଡ଼ା ବାନ୍ଧିଥିଲେ। ଘୋଡ଼ା ବନ୍ଧା ପରେ ଡାହୁକ ପ୍ରସ୍ତୁତ ହୋଇଥିଲେ ।

ରଥ ଟଣା : ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥଟଣାର ମୁଖ୍ୟ ଆକର୍ଷଣ ସାଜିଥାଏ ରଥ ଦଉଡ଼ି। ରଥ ଦଉଡ଼ି ଛୁଇଁବା ଓ ଟାଣିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଭିଡ଼ ଲାଗିଥିଲା। ହରିବୋଲ ହୁଳହୁଳିରେ ରଥ ଦାଣ୍ଡ କମ୍ପୁଥିଲା। ଭଜନ, କୀର୍ତ୍ତନ, ଓଡ଼ିଶୀ, ମାହାରୀ ନୃତ୍ୟ ପରିବେଷଣ ହୋଇଥିଲା।

ସର୍ବପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣି ଟାଣି ନେଇଥିଲେ। ସମତାଳରେ ଘଣ୍ଟୁଆମାନେ ଘଣ୍ଟନାଦ କରିଥିଲେ। ରଥ ଡାହୁକ ୨ଟି ଲମ୍ବା ବେତ ଧରି ଭକ୍ତଙ୍କୁ ଆନନ୍ଦ କରିବା ପାଇଁ ରଥ ବୋଲି ଡାକିଥିଲେ। ବଡ଼ ଦାଣ୍ଡ ସାରା ଜଗନ୍ନାଥମୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ହୁଳହୁଳି ହରିବୋଳ ଶବ୍ଦରେ କମ୍ପିଥିଲା ରଥଦାଣ୍ଡ। ବାଟରେ ବିଭିନ୍ନ ସ୍ଥାନରେ ପଂକ୍ତି ଭୋଗ ଖାଇଥିଲେ ଠାକୁର। ମାଉସୀମାର ପୋଡ଼ ପିଠା ଭୋଗ ଲାଗିଥିଲା ।

ରଥ ଟାଣିବା ପାଇଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶକ ଦଳ କାମ କରିଥିଲେ। ପୂର୍ତ୍ତ ବିଭାଗର ଇଂଜିନିୟଗଣ, ଶ୍ରୀମନ୍ଦିରର ଅଭିଜ୍ଞ ପଦାଧିକାରୀ, କର୍ମଚାରୀ, ଭୋଇ ସେବାୟତ, ବିଶ୍ୱକର୍ମା ମହାରଣାମାନେ, ଜିଲ୍ଲା ପ୍ରଶାସନର ମାଜିଷ୍ଟ୍ରେଟ୍‌‍, ଏସ.ପି.ଙ୍କ ସମେତ ପୋଲିସବାହିନୀ ରଥ ଟଣାରେ ମୁଖ୍ୟ ସଂଚାଳନ କରିଥିଲେ।

ପ୍ରତି ରଥରେ ଶ୍ରୀମନ୍ଦିର ପୋଲିସ ନାଲି ପତାକା କଣିକାରେ ଧରି ରଥମୋଡ଼ ସମ୍ପର୍କରେ ହଲାଇ ଦିଗ ନିର୍ଦ୍ଦେଶ ଦେଇଥିଲେ। ନନ୍ଦିଘୋଷ ରଥ ଦାୟିତ୍ୱରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ତାଳଧ୍ୱଜ ରଥ ଦାୟିତ୍ୱରେ ଏସ.ପି ଡା.ସାର୍ଥକ ଷଡ଼ଙ୍ଗି ଓ ଦର୍ପଦଳନ ରଥ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ରଥ ଶରଧାବାଲିରୁ ସିଂହଦ୍ୱାର ପର୍ଯ୍ୟନ୍ତ ତଦାରଖ କରିଥିଲେ। ସନ୍ଧ୍ୟା ୭ଟା ସୁଦ୍ଧା ତିନି ରଥ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା  ।

ଲକ୍ଷ୍ମୀ ନାରାୟଣ ଭେଟ : ସବୁଠାରୁ ଆକର୍ଷଣୀୟ ଥିଲା ଲକ୍ଷ୍ମୀ ନାରାୟଣ ଭେଟ। ଏହି ଭେଟ ନିଜେ ସ୍ୱୟଂ ଗଜପତି ମହାରାଜା ଦିବ୍ୟସିଂହ ଦେବ ପୂଜାର୍ଚ୍ଚନା ସହ ସମାପନ କରିଥିଲେ। କାଳିଆର ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ରହିଥିଲା। ଏହି ସମୟରେ ଶ୍ରୀମନ୍ଦିରରେ ମହାଜନ ସେବକ ମାନେ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଟ୍ଟବସ୍ତ୍ର, ଫୁଲମାଳ, ଅଳଙ୍କାରରେ ସଜ୍ଜିତ କରି ସାତ ପାହାଚ ପାଲିଙ୍କିରେ ବିଜେ କରାଇଥିଲେ।

ପାଲିଙ୍କିରେ ମା’ ବସି ଆନନ୍ଦ ବଜାର ପାଣିଟାଙ୍କି ପାଖରେ ଥିବା ଚାହାଣି ମଣ୍ଡପକୁ ଯାଇ ନନ୍ଦିଘୋଷ ରଥକୁ ଦେଖିଥିଲେ। ମାନବୀୟ ଲୀଳାରେ ସ୍ତ୍ରୀ ଯେପରି ସ୍ୱାମୀର ଫେରିବା ବାଟକୁ ଝରକା ବାଟେ ଦେଖିଥାଏ ସେହିପରି ମା’ ଚାହାଣି ମଣ୍ଡପରେ ଦର୍ଶନ କରିଥିଲେ। ପରେ ପରେ ଶ୍ରୀନଅର ପାଖକୁ ଯାଇଥିଲେ। ବାଟରେ ସିଂହଦ୍ୱାର ନିକଟରେ ଦେଢ଼ଶୁର ଥିବାରୁ ତାଙ୍କୁ ରଥକନା ଘେରରେ ଲୁଚାଇ ରଖାଯାଇଥିଲା।

ଗଜପତି ଦହିପଟି ମଣୋହି ପୂଜା କରିଥିଲେ। ଗଜପତି ନିଜ ହାତରେ ମା ଲକ୍ଷ୍ମୀଙ୍କୁ ଧରି ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଦର୍ଶନ କରାଇବା ପରେ ରଥ ଚାରିପଟ ବୁଲିଥିଲେ। ପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ମା’ ଶ୍ରୀମନ୍ଦିରକୁ ଫେରିଥିଲେ। ଏହି ଭେଟ ବେଳେ ଭିତରଛୁ, ପତି ମହାପାତ୍ର, ଗରାବଡ଼ୁ, ବିମାନବଡ଼ୁ, ମହାଜନ, ବଜନ୍ତରୀ  ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପରେ ନନ୍ଦିଘୋଷ ଟଣା ହୋଇ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା।

ଦ୍ୱାରିକା ବେଶରେ ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ବାରିପଦା: ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାଉସୀ ମା’ ମନ୍ଦିର ତଥା ଜନ୍ମବେଦିରେ ତାଙ୍କର ଲୀଳାଖେଳା ଶେଷ କରି ଆଜି ରତ୍ନବେଦି ଅଭିମୁଖେ ପହଣ୍ଡି ବିଜେରେ ରଥାରୁଢ଼ ହୋଇଛନ୍ତି।

ସୋମବାର ପୂର୍ବାହ୍ନ ୯ଟାରୁ ୧୧ଟା ମଧ୍ୟରେ ମାଉସୀ ମା’ ମନ୍ଦିରରେ ଦ୍ୱାରିକା ବେଶ (ସୁନାବେଶ)ରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ଏହାପରେ ମଧ୍ୟାହ୍ନ ୧୨ଟାରୁ ଗୋଟାଏ ମଧ୍ୟରେ ସର୍ବସାଧାରଣଙ୍କ ମଧ୍ୟରେ ମହାପ୍ରଭୁଙ୍କ ପ୍ରସାଦ ବଣ୍ଟନ କରାଯିବା ପରେ ଅପରାହ୍ନ ଅଢ଼େଇଟାରୁ ସାଢ଼େ ୩ଟା ମଧ୍ୟରେ ଚକା ଛଡ଼ା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ଏବଂ ୫ଟାରୁ ରାତି ୮ଟା  ମଧ୍ୟରେ ମାଉସୀ ମା’ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନ ଅଭିମୁଖେ ରଥାରୂଢ ହୋଇଥିଲେ।

ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ମନ୍ଦିରର ପରିଚ୍ଛା ଦୁର୍ଗା ଚରଣଜିତ୍ ବାବୁଙ୍କ ଦ୍ୱାରା ଛେରା ପହଁରା କାର୍ଯ୍ୟସମ୍ପନ୍ନ ହେବା ପରେ ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କୁ ସେବାୟତମାନେ ଗୋଟି ପହଣ୍ଡିରେ ଆଣି ମନ୍ଦିର ସମ୍ମୁଖରେ ଦକ୍ଷିଣ ମୋଡ଼ ନେଇଥିବା ତାଳଧ୍ୱଜରେ ରଥାରୂଢ କରାଇବା ପରେ ଦେବୀ ସୁଭଦ୍ରାଙ୍କ ସହିତ ସୁଦର୍ଶନଙ୍କୁ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ରଥାରୂଢ଼ କରାଇଥିଲେ।

ଏହି ସମୟରେ ତାଙ୍କ ମସ୍ତକରେ ଦୋଳାୟିତ ଟାହିଆ, ମହାପ୍ରଭୁଙ୍କର ଚାହାଣିରେ ଅପୂର୍ବ ଠାଣି, ବାମକୁ ଦକ୍ଷିଣକୁ ଆଗକୁ ପଛକୁ ଢ଼ଳି ପଡ଼ିବାର କମନୀୟ ଭଙ୍ଗି ଦର୍ଶନ, ଭକ୍ତମାନଙ୍କ ହୃଦୟକୁ ଅସ୍ଥିର କରିପକାଇଥିଲା। ମହାପ୍ରଭୁଙ୍କ ଅସ୍ଥିର ଗତିରେ ସେବକକୁଳ ମଧ୍ୟ ଅସ୍ଥିର, ସାଜସଜ୍ଜା ଉପକରଣଧାରୀମାନେ ଅସ୍ଥିର, ଚାମର ସେବକ ଓ ସଂକୀର୍ତ୍ତନରତ ଭକ୍ତଗଣ ମଧ୍ୟ ଅସ୍ଥିର ରହିଥିବାର ପରିଲକ୍ଷିତ ହୋଇଥିଲା। ପ୍ରଭୁଙ୍କର ଏହି ପହଣ୍ଡିକାଳୀନ ଛନ୍ଦାୟିତ, ଦୋଳାୟିତ, ମୁଦ୍ରାୟିତ ଘୁମନ୍ତ ଯାତ୍ରା କାହିଁ କେଉଁ କାଳରୁ ଭକ୍ତଗଣଙ୍କୁ ମୁଗ୍ଧ, ଚକିତ, ପ୍ରଭାବିତ, ଅନୁପ୍ରାଣିତ ଓ ଆମୋଦିତ କରାଇ ଆସୁଛି। ଜ୍ଞାନର ଗଭୀରତା ନେଇ କିଏ ତାଙ୍କର ଦିବ୍ୟଲୀଳାକୁ ଦର୍ଶନ କରୁଛନ୍ତି ପୁଣି କେହି ଆଧ୍ୟାତ୍ମିକ ଅନୁଭୁତି ସହିତ ଏକାକାର ହୋଇଯାଉଛି।

ମାଉସୀ ମା’ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ମସ୍ତକରେ ଶୋଭାବର୍ଦ୍ଧନ କରାଉଥିବା ଦୋଳାୟମାନ ଟାହିଆ ଦ୍ୱାରା ବ୍ରହ୍ମସତ୍ୟ ଓ ଜଗତ ମିଥ୍ୟାବାଣୀ ପ୍ରଚାର ମାଧ୍ୟମରେ ଢ଼ଳିଢ଼ଳି ଗୋଟିପହଣ୍ଡିରେ ବିଜେ ହେଉଥିବା ବେଳେ ଜୟ ଜଗନ୍ନାଥ ଧ୍ୱନୀ, ଆଲଟଚାମର, ଛତି, ତ୍ରାସ, ଘଣ୍ଟ, ମର୍ଦ୍ଧଳ, ହରିବୋଲ ଧ୍ୱନୀ ବଡ଼ଦାଣ୍ଡକୁ ଜୀବନ୍ତ କରିଦେଇଥିଲା।

 

 

 

 

Comment