ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପୁରୀ ଜିଲ୍ଲାରେ ସାତପଡ଼ା ଏକ କ୍ଷୁଦ୍ର ସହର। ‘ସାତପଡ଼ା’ ଅର୍ଥ ସାତଟି ଗ୍ରାମକୁ ନେଇ ଗଠିତ ସାତପଡ଼ା ଗାଁ। ଚିଲିକା ହ୍ରଦର କୂଳରେ ରହିଛି ଏହି ସାତପଡ଼ା ଅଞ୍ଚଳ। ଏହି ସମୁଦ୍ର କୂଳ ଡଲଫିନ୍ ମାଛ ପାଇଁ ପ୍ରସିଦ୍ଧ। ଏଣୁ ସାତପଡ଼ାକୁ ‘ଡଲଫିନ୍ କ୍ରୀଡ଼ାର ଆବାସସ୍ଥଳୀ’ ବୋଲି ବିବେଚନା କରାଯାଏ। ଚିଲିକାର ଉତ୍ତର-ପୂର୍ବାଞ୍ଚଳ ବଙ୍ଗୋପ ମହାସାଗରରେ ରହିଛି ଏହାର ବିସ୍ତାର କ୍ଷେତ୍ର।

ଏହି ସମୁଦ୍ର ମଧ୍ୟରେ ଡଲ୍‌ଫିନ୍ ମାଛର କ୍ରୀଡ଼ା ଦୃଶ୍ୟ ଅତ୍ୟନ୍ତ ମନୋରମ। ନୌକାରେ ବସି ଏହି ଇରାୱାଡି ଡଲ୍‌ଫିନ୍‌କୁ ଅତି ନିକଟରୁ ଦେଖିହୁଏ।

ସାତପଡ଼ା ପାଖରେ ରାଜହଂସ ଏକ ଛୋଟ ଦ୍ୱୀପ। ୧୮ କିମି ଦୂର ମୁହାଣରେ ରାଜହଂସ ଦ୍ୱୀପ ରହିଛି। ପର୍ଯ୍ୟଟନ କ୍ଷେତ୍ର ପାଇଁ ଏହା ଅତି ସୁନ୍ଦର ସ୍ଥାନ।

ଏହା ବ୍ୟତୀତ ନଳବଣ ସାତପଡ଼ାଠାରୁ ୪ ଘଣ୍ଟାର ଜଳପଥ ଯାତ୍ରା । ବିଶ୍ୱରେ ପକ୍ଷୀ ଅଭୟାରଣ୍ୟ ଭାବେ ନଳବଣର ସୁଖ୍ୟାତି ରହିଛି। ପୃଥିବୀର ସବୁ ଅଞ୍ଚଳରୁ ହଜାର ହଜାର ରକମର ପକ୍ଷୀ ଏହି ସ୍ଥାନକୁ ଖାଦ୍ୟ ଅନ୍ୱେଷଣରେ ପ୍ରାୟ ଶୀତଋତୁରେ ଆସିଥା’ନ୍ତି। ନଳବଣ ସେମାନଙ୍କର ମିଳନସ୍ଥଳୀ ଭାବେ ଜଣାଶୁଣା। ଚିଲିକା ହ୍ରଦ ଏବଂ ଏହି ଅଞ୍ଚଳରେ ପକ୍ଷୀମାନଙ୍କ ପାଇଁ ପ୍ରଚୁର ପରିମାଣରେ ମାଛ, କଙ୍କଡ଼ା ଆଦି ସହଜରେ ମିଳୁଥିବାରୁ ସେମାନେ ଏଠାରେ ଛୁଆଦେଇ କିଛିଦିନ ପାଇଁ ଲାଳନପାଳନ କରିଥା’ନ୍ତି। ଶୀତଋତୁରେ ଏହି ସ୍ଥାନ ପକ୍ଷୀପ୍ରେମୀ ବିଶେଷଜ୍ଞଙ୍କୁ ପକ୍ଷୀଗଣନା ଏବଂ ଗବେଷଣା ପାଇଁ ଆକର୍ଷିତ କରିଥାଏ। ନୌକା ଦ୍ୱାରା ଏହି ବଣରେ ଭ୍ରମଣ କରିବାର ମଧ୍ୟ ସୁବିଧା ଉପଲବ୍ଧ ରହିଛି।

ପୁରୀଠାରୁ ୫୦ କିମି ଦୂରତାରେ ରହିଛି ଅଲାରନାଥ ପୀଠ। ଏହା ମଧ୍ୟ ଶ୍ରୀ ଜଗନ୍ନାଥଙ୍କର ଅଣସର ତୀର୍ଥ ଭାବେ ବେଶ୍‌ ଜଣାଶୁଣା। ଅଲାରନାଥ ପୀଠକୁ ଅଣସର ସମୟରେ ଦର୍ଶନ କଲେ ଭକ୍ତଗଣଙ୍କ କୋଟି ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପୀଠରେ କ୍ଷୀରି ଭୋଗ କରାଯାଏ। ମନ୍ଦିର ନିକଟରେ ପୁରାତନ ବୃହତକାୟ ତିମିମାଛ (ସମୁଦ୍ର ହ୍ୱେଲ୍‌)ର କଙ୍କାଳ ଦେଖିବାକୁ ମିଳେ। ପାଖରେ କେବେ କେବେ ହରିଣମାନ ମଧ୍ୟ ଦୃଷ୍ଟିଗୋଚର ହୁଅନ୍ତି।

ରହଣି :

ସାତପଡ଼ାରେ ଗୋଟିଏ ସରକାରୀ ପାନ୍ଥନିବାସ ରହିଛି। ଯାତ୍ରୀମାନେ ସ୍ୱଳ୍ପ ଖର୍ଚ୍ଚରେ ଏଠାରେ ରହିପାରିବେ। ଏତଦବ୍ୟତୀତ କେତେକ ଛୋଟବଡ଼ ହୋଟେଲ ମଧ୍ୟ ରହିଛି। ଗ୍ରୀଷ୍ମ ଏବଂ ଶୀତକାଳୀନ ଛୁଟିଦିନମାନଙ୍କରେ ଯାତ୍ରୀମାନେ ଏହି ସ୍ଥାନରେ ବଣଭୋଜି କରିଥା’ନ୍ତି।

ପରିବହନ:

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହି ସ୍ଥାନର ଦୂରତା ୧୨୦ କିମି। ଭୁବନେଶ୍ୱର ଓ ପୁରୀରୁ ବସ୍ ଓ ଅଟୋ ଯୋଗେ ଏହି ସ୍ଥାନକୁ ଗମନାଗମନର ସୁବିଧା ଉପଲବ୍ଧ ରହିଛି।

(ପ୍ରସ୍ତୁତି: ବିଜୟ ମହାପାତ୍ର)

Comment