ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ନମ୍ରତା ମହାନ୍ତିଙ୍କ ହିନ୍ଦୀ ଭଜନ ଆଲବମ୍ ‘ନିନାଦ’ ଏବେ ଡିଜିଟାଲ୍ ମିଡିଆରେ ଶୁଣିବାକୁ ମିଳିବ। ଓଡ଼ିଶାଲାଇଭ ୱେବ୍ ଚ୍ୟାନେଲ୍ ପକ୍ଷରୁ ଏହି ଆଲବମ୍‌‍ର ୮ଟିଯାକ ଟ୍ରାକ୍‌କୁ ୟୁଟ୍ୟୁବ୍‌‍ ଏବଂ ଅନ୍ୟ ୱେବ୍ ମିଡିଆରେ  ନିକଟରେ ଉପଲବ୍ଧ କରାଯାଇଛି ।

‘ନିନାଦ’ ପାରମ୍ପରିକ ହିନ୍ଦୀ ଭଜନ ଉପରେ ଆଧାରିତ ଆଲବମ୍। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମହେଶ୍ୱର ରାଓ। ସେହିପରି ନିତ୍ୟ ଶ୍ରୀରଞ୍ଜନ ଏହାର ସଙ୍ଗୀତ ସଂଯୋଜନା କରିଥିବା ବେଳେ ଉପେନ୍ଦ୍ର ପଣ୍ଡା ଏହାର ମିକ୍ସିଂ କରିଛନ୍ତି।

ଏହି ଆଲବମ୍‌‌‍ଟି କିଛି ବର୍ଷ ତଳେ  ମୁକ୍ତିଲାଭ କରିଥିଲା। ତେବେ ଆଜିର ଡିଜିଟାଲ ଏବଂ ସୋସିଆଲ ମିଡ଼ିଆର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ ୱେବ୍ ମାଧ୍ୟମରେ ପରିବେଷଣ କରାଯାଇଛି ବୋଲି ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି ।

ନିନାଦର ଗୀତଗୁଡ଼ିକ ମୀରା, କବୀର, ତୁଳସୀ ଦାସ ଏବଂ ସୁର ଦାସଙ୍କ ଭଳି କାଳଜୟୀ ବ୍ୟକ୍ତିଙ୍କ ସ୍ୱରରେ ଆଗରୁ ପରିବେଷିତ ହୋଇଛି। ଗୁରୁ ମହେଶ୍ୱର ରାଓଙ୍କ  ପ୍ରେରଣା ଓ ସଙ୍ଗୀତ ନିର୍ଦ୍ଦେଶନାରେ ସେ ଏହାକୁ ପ୍ରାଣବନ୍ତ କରିବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ଗାୟିକା ନମ୍ରତା। ଗୀତଗୁଡ଼ିକୁ ଡିଜିଟାଲ୍ ମିଡ଼ିଆ ମାଧ୍ୟମରେ ପୁଣି ଉଜ୍ଜୀବିତ କରିବା ସହ ସାରା ପୃଥିବୀର ଶ୍ରୋତାମାନଙ୍କ ନିକଟରେ ପହଞ୍ଚାଇବା  କ୍ଷେତ୍ରରେ ଓଡ଼ିଶାଲାଇଭ୍‌‌‍ର ଉଦ୍ୟମ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।

ଲୋକପ୍ରିୟ ବଙ୍ଗଳା ଲେଖକ ଓ ଗାୟକ କବୀର ସୁମନଙ୍କ  ଅତି ପରିଚିତ ‘ତୋମାକେ ଚାଇ’ ଗୀତଗୁଡ଼ିକର ଓଡ଼ିଆ ରୂପାନ୍ତରକୁ ନେଇ ପ୍ରସ୍ତୁତ ନମ୍ରତା ମହାନ୍ତିଙ୍କ ଆଲବମ ‘ଅନ୍ୟ କଥା ଅନ୍ୟ ଗୀତ’ର ଡିଜିଟାଲ୍ ପ୍ରସାରଣ ଓଡ଼ିଶାଲାଇଭ୍ ପକ୍ଷରୁ କିଛିଦିନ ପୂର୍ବରୁ ହୋଇଥିଲା। ଆଗାମୀ ଦିନରେ ଓଡ଼ିଶାର ଅନ୍ୟ ଲୋକପ୍ରିୟ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକମାନଙ୍କର ବିଭିନ୍ନ ପ୍ରଡକ୍ସନକୁ ଡିଜିଟାଲ୍ ମାଧ୍ୟମରେ ଉପସ୍ଥାପନ କରାଯିବ ବୋଲି ଓଡ଼ିଶାଲାଇଭର ସିଇଓ ସୂଚନା ଦେଇଛନ୍ତି।

Comment