ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଆଇନ୍ ଖଣି ଉପରୁ ଆଦାୟ ହେବ ଶତପ୍ରତିଶତ ଜୋରିମାନା

୨୦୧୭ ଡିସେମ୍ବର ୩୧ ପୂର୍ବରୁ ଏହି ଜୋରିମାନା ଆଦାୟ

ଖଣି ଦୁର୍ନୀତିର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ

ବେଆଇନ ଖଣି ଉପରୁ ଶତ ପ୍ରତିଶତ ଜୋରିମାନା ଆଦାୟ କରିବାକୁ ସୁପ୍ରିମ୍‌‍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଖଣି ମାଲିକମାନେ ଏହି ଜୋରିମାନା ଦେବାକୁ ବାଧ୍ୟ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ଏହାସହ ଏକ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ଦିନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।

ସୁପ୍ରିମ୍‌‍କୋର୍ଟର ଐତିହାସିକ ରାୟ ପ୍ରକାଶ ପାଇବା ପରେ ଓଡ଼ିଶା ଖଣି ମାଲିକମାନଙ୍କୁ ଝଟକା ଲାଗିଛି। ସୁପ୍ରିମ୍‌‍କୋର୍ଟ ଦେଇଥିବା ଏହି ରାୟରେ ଏହି ଜୋରିମାନା ୨୦୧୭ ଡିସେମ୍ବର ୩୧ ପୂର୍ବରୁ ଆଦାୟ କରିବାକୁ କୁହାଯାଇଛି।

ରାଜ୍ୟରେ ଖଣି ଅନିୟମିତତା ସଂକ୍ରାନ୍ତରେ ଶାହା କମିସନଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରଯାଇଛି। କମନ୍ କଜ୍ ନାମକ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ଅଭିଯୋଗ ଆଧାରରେ ରାଜ୍ୟରେ ଖଣି ଦୁର୍ନୀତିର ତଦନ୍ତ ପାଇଁ ସୁପ୍ରିମକୋର୍ଟ ସ୍ୱତନ୍ତ୍ର କ୍ଷମତାସଂପନ୍ନ କମିଟି ଗଠନ କରିଥିଲେ। ୨୦୦୦ରୁ ୨୦୧୦ ମଧ୍ୟରେ ଖଣି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଖଣି ଦୁର୍ନୀତିର ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି କମିଟିରେ ଜଣେ ଅବସରପ୍ରାପ୍ତ ବିଚାରପତି ମଧ୍ୟ ରହିବେ।

ଏହି ରାୟକୁ ଶାସକ ଦଳ ସମେତ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଥିବା ବେଳେ ଏହି ତଦନ୍ତରେ ରାଜ୍ୟର ନେତା, ଅଫିସର ଓ ଦଲାଲମାନଙ୍କୁ ପରିସରଭୁକ୍ତ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି। ଏପରିକି ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛି। 

ସୁପ୍ରିମ୍‌‍କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛି ଖଣି ଲିଜ୍ ଧାରୀ ସଂଘ।

Comment