କୃଷ୍ଣଚନ୍ଦ୍ର ସାହୁ

ଆତ୍ମା ଅମର। ପାର୍ଥିବ ଶରୀରର ନାଶ ଅଛି। କିନ୍ତୁ ଆତ୍ମା? ଏହାର ବିଲୀନ ଅସମ୍ଭବ। ଏହାକୁ ନଷ୍ଟ କରିବାରେ ଅସ୍ତ୍ରଶସ୍ତ୍ର, ଜଳ, ପବନ, ଅଗ୍ନି ତଥା ସଂସାରର ସମସ୍ତ ଶକ୍ତି ହାର ମାନିଛନ୍ତି। ଏହା ସ୍ୱର୍ଗୀୟ ତଥା ସର୍ବ ବିଦ୍ୟମାନ। ଏମିତି ଏକ ଅମର ଆତ୍ମାର ପ୍ରବାଦ ପୁରୁଷ ହେଉଛନ୍ତି ଆମ ଜାତିର ଜୟୀ ରାଜଗୁରୁ।

ଶ୍ରୀକ୍ଷେତ୍ର ପୁରୀଠାରୁ ପାଞ୍ଚ କି.ମି ଦୂର ଜଗନ୍ନାଥ ସଡ଼କର ଡାହାଣପଟେ ପଡ଼େ ବୀର ହରେକୃଷ୍ଣପୁର ଗ୍ରାମ। ଶ୍ରୀକ୍ଷେତ୍ର ଷୋଳ ଶାସନ ପରମ୍ପରାରେ ସମୃଦ୍ଧ ଏହି ବ୍ରାହ୍ମଣ ଶାସନ। ଲକ୍ଷ ପାଇକର ଲୀଳାଭୂମି ଉତ୍କଳର ଏହି ପ୍ରଖ୍ୟାତ ପଲ୍ଲୀ କୋଳରେ ୧୭୩୯ ଖ୍ରୀ. ଅକ୍ଟୋବର ମାସ ୨୯ ତାରିଖ ପବିତ୍ର କାର୍ତ୍ତିକ ମାସର ଅଁଳା ନବମୀ ତିଥିରେ ଜୟକୃଷ୍ଣ ରାଜଗୁରୁ ଓରଫ ଜୟୀ ରାଜଗୁରୁଙ୍କର ଜନ୍ମ। ପିତା ଚାନ୍ଦ ରାଜଗୁରୁ ଓ ମାତା ହାରାମଣୀଙ୍କ ଔରସରୁ ଜାତ ଏହି ନବଜାତ ଶିଶୁ ଦିନେ ସାରା ଦେଶକୁ ଚମକାଇ ଦେବ ଓ ଅମର ସହିଦ ହୋଇ ଦେଶଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିବ ସେ କଥା କେହି ବିଶ୍ୱାସ କରିପାରି ନଥିଲେ।

ତୁଳସୀ ଦୁଇ ପତ୍ରରୁ ବାସେ। ଶୁଣାଯାଏ ବାଲ୍ୟକାଳରୁ ସେ ସାହସୀ ଥିଲେ। ଦାଣ୍ଡ ପିଣ୍ଡାରେ ଗୁରୁଣ୍ଡିବା ସମୟରେ ତଳକୁ ଖସି ପଡ଼ିବା ବେଳେ କାଳିଆ ଘୋଡ଼ା ଆସି ବୀର ଶିଶୁକୁ ଅଟକାଇ ଦେଇଥିଲା। ଘୋଡ଼ାର ବେକରେ ଥିବା ଚମଡ଼ା ବେଲ୍‌ଟକୁ ଧରି ଜୟୀ ଓହଳି ଖୁସି ହୋଇ ଯାଉଥିଲେ। ଏହି ସମୟରେ ପିତା ମନ୍ଦିରରୁ ପୂଜା ସାରି ଫେରୁଥାଆନ୍ତି। ଏଭଳି ଅବସ୍ଥାରେ ପୁଅକୁ ଦେଖି ଆଶ୍ଚର୍ଯ୍ୟ ହେଲେ। ଶିଶୁ ଜୟୀର ଅଦମ୍ୟ ସାହାସ ଓ ନିର୍ଭିକତା ତାଙ୍କୁ ଚକିତ କରିଦେଇଥିଲା। ସେହିଦିନଠାରୁ ଜୟୀ ସବୁଦିନ କାଳିଆ ଘୋଡ଼ା ସହିତ ଖେଳିବାକୁ ଆଗ୍ରହୀ ହୋଇପଡ଼ିଥିଲା। ଜୟୀ ରାଜଗୁରୁ ଜନ୍ମରୁ ଥିଲେ ବୀର।

ପୁରୀର ଏମାର ମଠ ଓ ଗୋବର୍ଦ୍ଧନ ପୀଠ ସଂସ୍କୃତ ଟୋଲ୍‌ରୁ ସେ ବାଲ୍ୟଶିକ୍ଷା ସହ ପାରମ୍ପରିକ ଶାସ୍ତ୍ରାଦିରେ ନିପୁଣତା ଅର୍ଜନ କରିପାରିଥିଲେ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ହୋଇଥିଲେ ତନ୍ତ୍ର ସାଧକ, ମନ୍ତ୍ର ସାଧକ, ସିଦ୍ଧି ସାଧକ, ଦୁର୍ଦ୍ଧଷ ବୀର ନାୟକ।

ପିତା ଚାନ୍ଦ ରାଜଗୁରୁ ଖୋର୍ଦ୍ଧା ରାଜାଙ୍କର କୂଳ ପୁରୋହିତ ଥିଲେ। ରାଜଗୁରୁ ପଦବୀରେ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମାତା ହାରାମଣୀ ଦେବୀ ଜୟୀଙ୍କୁ ବିବାହ କରାଇ ଦେଇ ଘରକୁ ବୋହୁଟିଏ ଆଣି ସୁଖରେ ସଂସାର କରିବାର ସ୍ୱପ୍ନ ଦେଖୁଥିଲା ବେଳେ ଜୟୀ ରାଜଗୁରୁ ଅହରହ ଅତ୍ୟାଚାରୀ ବିଦେଶୀ ଶାସନ କବଳରୁ ନିଜ ଇଲାକାର ପ୍ରଜାମାନଙ୍କୁ ରକ୍ଷା କରିବାକୁ ଚିନ୍ତା ମଗ୍ନ ଥିଲେ। ସଂସାର କରିବାର ମାୟା ତାଙ୍କୁ ବେଶୀ ଆକୃଷ୍ଟ କରିପାରିନଥିଲା। ମାତା ହାରାମଣୀଙ୍କର ଦୁଇଟି ଇଚ୍ଛା ମଧ୍ୟରୁ ଗୋଟିଏ ସେ ପୂରଣ କରିଥିଲେ। ଖୋର୍ଦ୍ଧା ରାଜାଙ୍କୁ ସାକ୍ଷାତ କରି ରାଜଗରୁ ପଦବୀରେ ଅଧିଷ୍ଠିତ ହେଲେ ଓ ନିଜର ବିଚକ୍ଷଣ ବୁଦ୍ଧି, ଦେଶପ୍ରୀତି, ଭକ୍ତି, ସାହାସ ଓ ଶକ୍ତି ବଳରେ ଜିଣିଗଲେ ଖୋର୍ଦ୍ଧା ରାଜାଙ୍କର ହୃଦୟ ଓ କାଳକ୍ରମେ ରାଜ୍ୟର ପ୍ରଧାନମନ୍ତ୍ରୀ, ମୁଖ୍ୟ ପରାମର୍ଶଦାତା, ସେନାଧ୍ୟକ୍ଷ ଓ ରାଜ୍ୟର ମୁଖ୍ୟ ବେବର୍ତ୍ତା ରୂପେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରୁକରୁ ଭୁଲିଗଲେ ନିଜର ସ୍ୱାର୍ଥକୁ, ନିଜର ସଂସାରକୁ, ନିଜର ମୋହ, ମାୟା, କାମନା, ଲୋଭ ଓ ଲାଳସାକୁ; ଭୁଲିଗଲେ ନିଜର ପରିବାର ଓ ପାରିବାରିକ ସମସ୍ୟା। ବ୍ରହ୍ମଚାରୀ ହୋଇଗଲେ ଠିକ୍ ମହାଭାରତର ଭୀଷ୍ମ ପିତାମହଙ୍କ ପରି।

ମରହଟ୍ଟା ଶାସନାଧୀନ ଓଡ଼ିଶାକୁ ଇଂରେଜମାନେ ୧୮୦୩ ମସିହାରେ ଦଖଲ କଲେ। ଓଡ଼ିଶାର ଏହି ଦୁର୍ଦ୍ଦିନରେ ରାଜା ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ଖୋର୍ଦ୍ଧା ରାଇଜର ମେରୁଦଣ୍ଡକୁ ଦୋହଲାଇ ଦେଲା। ନାବାଳକ ପୁତ୍ର ମୁକୁନ୍ଦଦେବ ଖୋର୍ଦ୍ଧା ରାଜସିଂହାସନରେ ଅଳଙ୍କୃତ ହେଲେ ସତ; କିନ୍ତୁ ଅଭିଜ୍ଞ, ଦକ୍ଷ ରାଜନୀତିଜ୍ଞ, କୁଶଳୀ କୁଟନୀତିଜ୍ଞ, ସେନାଧ୍ୟକ୍ଷ, ମହାମନ୍ତ୍ରୀ, ମୁଖ୍ୟ ପରାମର୍ଶଦାତା ଜୟୀ ରାଜଗୁରୁଙ୍କ ମୁଣ୍ଡରେ ରାଜ୍ୟର ସମଗ୍ର ଭାର ଲଦି ହୋଇଗଲା। ଜୟୀ ରାଜଗୁରୁ ପାଲଟିଗଲେ ମୁକୁଟବିହନୀ ସମ୍ରାଟ। ଦେଶରକ୍ଷା ହେଲା ମୂଳମନ୍ତ୍ର। ଇଂରେଜମାନଙ୍କୁ ଦେଶରୁ ବିତାଡ଼ିତ କରି ରାଜ୍ୟର ଅଖଣ୍ଡତା ବଜାୟ ରଖିବା ହେଲା ତାଙ୍କର ପ୍ରଥମ କାମ। ଏତାଦୃଶ କାର୍ଯ୍ୟକୁ ତାଙ୍କର ପୂର୍ବ ପିତୃପୁରୁଷ କୌଟିଲ୍ୟ ଓରଫ ଚାଣକ୍ୟଙ୍କ କାର୍ଯ୍ୟସହ  ତୁଳନା କରାଯାଇପାରେ।

ନନ୍ଦବଂଶର  ଧ୍ୱଂସ ଓ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କୁ ସିଂହାସନରୂଢ଼ କରିବାର ଯେଉଁ ବଜ୍ର ଶପଥ ନେଇଥିଲେ ଓ କାର୍ଯ୍ୟରେ ସମ୍ପାଦନ କରି ଦେଖେଇ ଦେଇଥିଲେ ତାହା ଆଜି ଇତିହାସ ପୃଷ୍ଠାରେ ବର୍ଣ୍ଣିତ। ଚାଣକ୍ୟଙ୍କ ଦାୟାଦ ହୋଇ ଜୟୀ ରାଜଗୁରୁ ବା ସେଥିରୁ ବାଦ୍ ଯାଆନ୍ତେ କିପରି ? ଗଜପତିଙ୍କ ସୁରକ୍ଷା ପ୍ରଦାନ କରିବା ସହ ପ୍ରତିରକ୍ଷା ଶକ୍ତିକୁ ମଜବୁତ୍ କରିବା ଲାଗି ପ୍ରତ୍ୟେକ ପରିବାରରୁ ଜଣେ ଲେଖାଁଏ ସୈନ୍ୟ ବାହିନୀରେ ଯୋଗଦେବା ନିମନ୍ତେ ପ୍ରବର୍ତ୍ତାଇ ଥିଲେ। ମରହଟ୍ଟାମାନଙ୍କ କବଳରୁ ରାହାଙ୍ଗ, ଚବିଶକୁଦ, ସିରେଇ, ଲେମ୍ବେଇ ଏହି  ଚାରି ପ୍ରଗଣାକୁ ମୁକ୍ତ କରିଥିଲେ। କାରଣ ଏହି ୪ଟି ପ୍ରଗଣାର ଆୟ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ପୂଜାର ପରିଚାଳନା ପାଇଁ ଉଦ୍ଦିଷ୍ଟ ଥିଲା। ୧୮୦୩ ମସିହା ପରଠାରୁ ଇଂରେଜ ମାନଙ୍କର ଉପସ୍ଥିତି ଖୋର୍ଦ୍ଧା ରାଜ୍ୟକୁ ବହୁ ସମସ୍ୟାର ସମ୍ମୁଖୀନ କରାଇଥିଲା। ଖୋର୍ଦ୍ଧାଗଡ଼ ଇଂରେଜମାନଙ୍କର ପ୍ରଧାନ ଶତ୍ରୁ ଥିଲା ଇଂରେଜମାନଙ୍କର ସାମ୍ରାଜ୍ୟବାଦ ନୀତି ଓ ପ୍ରତ୍ୟେକ ଅନ୍ୟାୟ ପଦକ୍ଷେପର ଦୃଢ଼ ପ୍ରତିବାଦ କରୁଥିଲା ଖୋର୍ଦ୍ଧାଗଡ଼ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ।

ଓଡ଼ିଶାକୁ ସମ୍ପୂର୍ଣ୍ଣ ଦଖଲ କରିବାରେ ଜୟୀ ରାଜଗୁରୁ ହିଁ ମୁଖ୍ୟ ପ୍ରତିବନ୍ଧକ ଥିଲେ। ଏ ପରିପ୍ରେକ୍ଷୀରେ ଇଂରେଜମାନେ ସିଧାସଳଖ ଖୋର୍ଦ୍ଧା ଦଖଲ କରିବାର ଯୋଜନା କଲେ। ରାଜାଙ୍କର ପାଇକ ଦଳ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାର ପିପିଲି, ଡେଲାଙ୍ଗ ମଝି ରାସ୍ତାରେ ଇଂରେଜ ସୈନ୍ୟମାନଙ୍କୁ ହତ୍ୟା କଲେ। ପ୍ରକାଶ ଥାଉକି ପୂର୍ବରୁ ପୁରୀ ଜିଲ୍ଲାର ପିପିଲିଠାରେ ଇଂରେଜମାନେ ସେମାନଙ୍କର ବାଣିଜ୍ୟ କୋଠି ସ୍ଥାପନ କରି ସ୍ଥାୟୀ ଭାବେ ବସବାସ କରୁଥିଲେ। ଇଂରେଜ ସୈନ୍ୟମାନଙ୍କୁ ହତ୍ୟା କରିବା ସହ ସେମାନଙ୍କ ବନ୍ଧୁକ, ଆଧୁନିକ ଅସ୍ତ୍ରଶସ୍ତ୍ର ଅକ୍ତିଆର କରି ଆଣିଲେ। ଇଂରେଜମାନେ ଶୋଚନୀୟ ଭାବେ ପରାଜୟ ବରଣ କଲେ। କର୍ଣ୍ଣେଲ ହାର୍‌କୋର୍ଟଙ୍କ ପାଇଁ ଏହା ଥିଲା ଜୟୀ ରାଜଗୁରୁଙ୍କର ସିଧାସଳଖ ଆହ୍ୱାନ। ହାରିଗଲେ କର୍ଣ୍ଣେଲ ହାରକୋର୍ଟ। ମାନ୍ଦ୍ରାଜରୁ ଓ କଲିକତାରୁ ଦକ୍ଷ ସୈନ୍ୟମାନଙ୍କୁ ଡକାଇଲେ।

୧୮୦୪ ନଭେମ୍ବର ମାସରେ ମେଜର ଫ୍ଲେଚରଙ୍କ ନେତୃତ୍ୱରେ ଇଂରେଜ ସେନା ପୁନର୍ବାର ଖୋର୍ଦ୍ଧାଗଡ଼ ଆକ୍ରମଣ କଲେ। ବିଭିନ୍ନ ପ୍ରକାରର ଆପତ୍ତିଜନକ ସର୍ତ୍ତ ନମାନିବାର ଫଳ ଭୋଗିବାକୁ ପଡ଼ିଲା ଖୋର୍ଦ୍ଧାଗଡ଼କୁ। ଇଂରେଜମାନଙ୍କର ସାମ୍ରାଜ୍ୟବାଦର ଶିକାର ହୋଇଗଲା ଓଡ଼ିଶା ମାଟି ଓ ତତ୍‌ସହିତ ଖୋର୍ଦ୍ଧାଗଡ଼। ତା୦୫.୧୨.୧୮୦୪ ମସିହାର ଖୋର୍ଦ୍ଧାଦୁର୍ଗ ବିଧ୍ୱସ୍ତ ହୋଇଗଲା, ବାଜ୍ୟାପ୍ତି ହୋଇଗଲା। ମେଜର ଫ୍ଲେଚର ଖୋର୍ଦ୍ଧାଗଡ଼ ଶାସକ, ମାଲିକ ହୋଇଗଲେ। ଏହି ଘୋଷଣା କର୍ଣ୍ଣେଲ ହାର୍‌କୋଟ ତା ୦୭.୧୨.୧୮୦୪ ମସିହାରେ କରିଥିଲେ। ଜୟୀ ରାଜଗୁରୁ ବନ୍ଦୀ ହେଲେ। ‘‘ଗୃହ ଶତ୍ରୁ ବିଭୀଷଣ’’। କେତେକ କଳଙ୍କିତ, ନିମକହାରାମ ଚରିତ୍ରମାନଙ୍କ ସାହାଯ୍ୟ ନେଇ ଇଂରେଜମାନେ ବନ୍ଦୀ କଲେ ଜୟୀ ରାଜଗୁରୁଙ୍କୁ। ସପ୍ତରଥୀଙ୍କ ମିଳିତ ଆକ୍ରମଣର ଶିକାର ହୋଇଗଲେ ଅଭିମନ୍ୟୁ। ସିଂହ ପିଞ୍ଜରାବଦ୍ଧ ହୋଇଗଲା।

ଏସବୁ ପରିସ୍ଥିତିରେ ଆତ୍ମଗୋପନ କରିଥିବା ରାଜା ମୁକୁନ୍ଦଦେବ ତାଙ୍କ ସିରସ୍ତାଦାର ୱାଦି ମହମ୍ମଦର ବିଶ୍ୱାସଘାତକତା ଯୋଗୁଁ ତା ୦୩.୦୧.୧୮୦୫ ମସିହାରେ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହେଲେ। ଏଥିପାଇଁ ୱାଦି ମହମ୍ମଦ ଇଂରେଜଙ୍କଠାରୁ ତିନିହଜାର ଟଙ୍କା ପୁରସ୍କାର ପାଇଲେ। ବିଶ୍ୱାସୀମାନେ ଅବିଶ୍ୱାସୀ ପାଲଟିଗଲେ।

କିନ୍ତୁ ବନ୍ଦୀ ରାଜା ମୁକୁନ୍ଦଦେବ ନାବାଳକ ଥିଲେ। ଇଂରେଜମାନଙ୍କ ବିରୋଧରେ ହୋଇଥିବା ସମସ୍ତ ଷଡଯନ୍ତ୍ର ଓ ବିଦ୍ରୋହ, ଜୟୀ ରାଜଗୁରୁଙ୍କ ପ୍ରରୋଚନାରେ ହୋଇଛି ବୋଲି ଜଣାଇ ଦେଇ ନିଜେ ମୁକ୍ତି ପାଇଲେ ଓ ପୁରୀ ମନ୍ଦିରରେ ପରିଚାଳନାର ଅଧିକାର ପାଇଲେ। ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଦେଲେ। ସ୍ୱାର୍ଥାନ୍ଧ ପାଲଟିଗଲେ।

ତା୦୫.୦୩.୧୮୦୬ରେ କର୍ଣ୍ଣେଲ ହାର୍‌କୋଟ ଜୟୀ ରାଜଗୁରୁଙ୍କୁ ନିର୍ମମ ମୃତ୍ୟୁ ଦଣ୍ଡାଦେଶ ଘୋଷଣା କଲେ। ପ୍ରଥମେ ମୁକୁନ୍ଦଦେବ ଓ ଜୟୀ ରାଜଗୁରୁଙ୍କୁ ବାରବାଟୀ ଦୁର୍ଗରେ ବନ୍ଦୀ କରାଯାଇଥିଲା। ଏହାପରେ ବିରାଟ ଗଣ ବିପ୍ଳବର ଆଶଙ୍କାରେ ଜୟୀ ରାଜଗୁରୁଙ୍କୁ ଦୂର ମେଦିନିପୁର ଜେଲ୍‌କୁ ସ୍ଥାନାନ୍ତରିତ କରାଗଲା।

ମୃତ୍ୟୁଦଣ୍ଡ ନିଶ୍ଚିତ ବୋଲି ଜାଣି ସୁଦ୍ଧା ସେ ବିବ୍ରତ ନଥିଲେ। ସତର୍କର ବାଣୀ ଶୁଣାଇଥିଲେ ଇଂରେଜ ଶାସକଙ୍କୁ ‘‘ହେ ଗୋଲାମ ଦଳ! ଭାରତ ଛାଡ଼ିବାକୁ ପ୍ରସ୍ତୁତ ହୁଅ, ନଚେତ୍ ମୋ ଚିତା ଭସ୍ମରୁ ଶହ ଶହ, ହଜାର ହଜାର ଜୟୀ ରାଜଗୁରୁ ଜନ୍ମ ନେବେ ଓ ମାତୃଭୂମିର ମାନ ରକ୍ଷା ପାଇଁ ତମମାନଙ୍କ ଭଳି ନିର୍ଲଜ ଶତ୍ରୁମାନଙ୍କୁ ଗଳା ଧକ୍କା ଦେଇ ବିତାଡ଼ିତ  କରିବାକୁ ପଛେଇବେ ନାହିଁ।’’ ୧୮୦୬ ଡିସେମ୍ବର ୬ ତାରିଖ ଜୟୀ ରାଜଗୁରୁଙ୍କ ମୃତ୍ୟୁଦଣ୍ଡର ଦିନ। ସେ ମୃତ୍ୟୁଦଣ୍ଡ କିନ୍ତୁ ଥିଲା ଅତ୍ୟନ୍ତ କଠୋର ଓ ପୈଶାଚିକ। ମେଦିନିପୁର ଜେଲ୍‌ର ନାଳ ନିକଟରେ ଥିବା ବାଘିତୋଟାସ୍ଥ ବରଗଛର ଦୁଇଟି ଡାଳକୁ ଭିଡ଼ିଆଣି ବିପ୍ଳବୀ ଜୟୀ ରାଜଗୁରୁଙ୍କର ହାତ ଓ ଗୋଡ଼କୁ ଉଭୟ ଡାଳରେ ବାନ୍ଧି ଡାଳ  ଦୁଇଟିକୁ ଛାଡ଼ି ଦିଆଗଲା। ଜୟୀ ରାଜଗୁରୁଙ୍କ ଶରୀର ଦୁଇଫାଳ ହୋଇ ଚିରି ହୋଇଗଲା। ଆହତ ସିଂହର ରଡ଼ି ବନ୍ଦ ହୋଇଗଲା। ଝରଝର ତାଜା ରକ୍ତରେ ମାଟି ମାଆ କାନ୍ଦି ଉଠିଲା। ସ୍ତବ୍ଧ ହୋଇଗଲେ ମାନବ ସମାଜ ଓ ଜୀବଜଗତ! ଅସହ୍ୟ ବେଦନାରେ ସର୍ବେ ଛଟପଟ ହେଲେ। ଧରଣୀ ଲୁହ ନକାନ୍ଦି ରକ୍ତ କାନ୍ଦିଲା। ମାନବବାଦର ଇତିହାସରେ ଏକ ଜଘନ୍ୟ କଳଙ୍କିତ ଅଧ୍ୟାୟ ପୁଣି ଯୋଡ଼ି ହୋଇଗଲା। ମାନବଜାତି ଅସ୍ତଗାମୀ ଲାଲ୍ ସୂର୍ଯ୍ୟକୁ ଚାହିଁ ଶିହରି ଅଶ୍ରୁଳ ନୟନରେ ଗୁଞ୍ଜରି ଉଠିଲା।

ଏ କ’ଣ ହେଲା? ଏ କ’ଣ ହେଲା ମହାପ୍ରଭୁ !! ହେଲେ ସେତେବେଳକୁ ସବୁ କିଛି ସରି ଯାଇଥିଲା।

ଇଂରେଜ ଶାସନକୁ ବିରୋଧ କରିବାର ଫଳ କ’ଣ ତାହା ନିଷ୍ଠୁର ଇଂରେଜ ଶାସକମାନେ ସର୍ବ ସମ୍ମୁଖରେ ଏଭଳି ଦଣ୍ଡର ଆୟୋଜନ କରି ଦେଖେଇଦେଲେ ଯେ ସେମାନେ କେତେ ନିଷ୍ଠୁର ଓ ହୃଦୟହୀନ ନିଜ ସ୍ୱାର୍ଥ ହାସଲ ପାଇଁ। ମହାଭାରତର କାଳଜୟୀ ଭୀଷ୍ମ ବୋଧହୁଏ ଉତ୍କଳଖଣ୍ଡରେ ଜୟୀ ରାଜଗୁରୁ ରୂପେ ଜନ୍ମ ନେଇଥିଲେ। ମରି ବି ଅମର ହୋଇଗଲେ ଯୁଗ ଯୁଗକୁ।

ଓଡ଼ିଶାର ସ୍ୱାଧୀନତା ଓ ସ୍ୱାର୍ଥରକ୍ଷା ପାଇଁ ହୃଦୟହୀନ, ନିଷ୍ଠୁର, ସାମ୍ରାଜ୍ୟବାଦ ଇଂରେଜ ବିରୋଧରେ ପ୍ରଥମ ବିଦ୍ରୋହୀ ଭାବେ ବୀର ପୁରୁଷ ଜୟୀ ରାଜଗୁରୁଙ୍କୁ ଯେପରି ଦଣ୍ଡିତ କରାଗଲା ତାହା କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବର୍ଷର ଇତିହାସରେ ଏଭଳି ତ୍ୟାଗ ଓ ବୀରତ୍ୱର ତୁଳନା ନାହିଁ। ଓଡ଼ିଆ ଜାତି ତାଙ୍କର ଏ ନିଃସ୍ୱାର୍ଥପର ତ୍ୟାଗକୁ ଭୁଲିନି  କି ଭବିଷ୍ୟତରେ ଭୁଲିପାରିବନି। ଜୟୀ ରାଜଗୁରୁ ! ଧନ୍ୟ ତୁମର ନିଷ୍ଠା ଓ ସାଧନା। ତୁମ ଅମର ଆତ୍ମା ପାଇଁ ଏ ଜାତିର କୋଟିକୋଟି ଅନନ୍ତ ପ୍ରଣାମ।

‘‘ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମାତୃଭୂମିର ସ୍ୱାଧୀନତା ରକ୍ଷା ନିମନ୍ତେ ସଂଘର୍ଷ ଚାଲୁ ରହିବ, ଏହା ହେଉଛି ମୋ ଜୀବନର ଅନ୍ତିମ ଲକ୍ଷ୍ୟ’’। ମାଟି ମାଆର ମୁକ୍ତି ପାଇଁ ଏହାହିଁ ଥିଲା ଅମର ସହିଦ ଜୟୀ ରାଜଗୁରୁଙ୍କର ଆଗ୍ନେୟ ଶପଥ।

(ଲେଖକ ଜଣେ ଅବସରପ୍ରାପ୍ତ ଶିକ୍ଷକ)

Tags: Indian Rebellion, Indian Rebellion of 1857, Jai Rajguru, Krushnachandra Sahoo, Paik, Paik Rebellion, Paika Bidroha, Paika Rebellion, Paikas, Paiks, The Revolt of 1857

 

LEAVE A REPLY

Please enter your comment!
Please enter your name here