ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜନୀତିର ଚକ୍ରବ୍ୟୁହରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ଏବେ ବଳିପଡ଼ିଯାଇଛି। 

ଏହି ବିଦ୍ରୋହକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ଏହାକୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ପାହାଚର ମାନ୍ୟତା ଦେବାପାଇଁ ଉଭୟ ବିଜେଡି ଓ ବିଜେପି ତତ୍ପର ହୋଇଉଠିଛନ୍ତି। ଏହି ଦୁଇ ଦଳ ନିଜ ନିଜ ତରିକାରେ ଉଦ୍ୟମ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଉଭୟ ଦଳର ନେତାଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ବାକ୍‍ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯାଇଛି।

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ସମାରୋହକୁ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଗୁରୁବାର ସନ୍ଧ୍ୟାରେ ଉଦ୍‍ଘାଟନ କରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇଛନ୍ତି ।

ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମହେଶ ଶର୍ମା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଚଳଚଞ୍ଚଳ ହୋଇଉଠିଛି।

ବିଜେଡି ଏହି ମୌକାରେ ଏପରି ଏକ ସୁଯୋଗକୁ ହାତଛଡ଼ା କରିବାକୁ ମଧ୍ୟ ଚାହିଁ ନାହିଁ। କ୍ୟାବିନେଟ ବୈଠକରେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ପାହାଚ ମାନ୍ୟତା ଦେବା ପାଇଁ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବା ନେଇ ପାରିତ ହୋଇଛି। ଏ ନେଇ ଆଉ ପାଦେ ଆଗକୁ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଏହି ମାନ୍ୟତା ଦେବାପାଇଁ ଏକ ପତ୍ର ଲେଖିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ପାଇକ ବିଦ୍ରୋହକୁ ନେଇ ଉଭୟ ଦଳ କାହିଁକି ତତ୍ପର ହୋଇଉଠୁଛନ୍ତି ? 

ଏହା ପଛରେ ରାଜନୈତିକ ଗନ୍ଧ ସ୍ପଷ୍ଟ ବାରିହୋଇପଡ଼ୁଛି ବୋଲି କୁହାଯାଇପାରେ। ୧୮୧୭ ମସିହାରେ ପ୍ରଥମେ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ଆରମ୍ଭ ହେବାପରେ ଏହା କ୍ରମଶଃ ରାଜ୍ୟର ବିଭିନ୍ନ ପ୍ରାନ୍ତରକୁ ବ୍ୟାପିଥିଲା। ଏହାପରେ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଆନ୍ଦୋଳନ ଚାଲୁ ରହିଥିଲା। ୧୮୧୭ ମସିହା କଥା ଭୁଲିଯାଇ କେନ୍ଦ୍ର ସରକାର ୧୮୫୭ ମସିହାର ସିପାହୀ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମକୁ ପ୍ରଥମ ସଂଗ୍ରାମ ବୋଲି ମାନ୍ୟତା ଦେଇଦେଲେ। ତେବେ ଦୀର୍ଘ ୪୦ ବର୍ଷ ବ୍ୟବଧାନରେ ଥିବା ଏହି ବିଦ୍ରୋହ ମଧ୍ୟରୁ କେଉଁଟି ଆଗ ହୋଇଥିଲା ସେ ନେଇ କେନ୍ଦ୍ର ସରକାର ନଜର ମଧ୍ୟ ଦେଲେ ନାହିଁ।

କିନ୍ତୁ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ପାଳନ ପ୍ରଥା ପ୍ରଥମେ ବିଜେପି ଆରମ୍ଭ କରିଥିଲା। ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜଭବନରେ ପାଇକ ଦାୟଦମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାବ୍ୟତୀତ ଖୋର୍ଦ୍ଧାରେ ମଧ୍ୟ ଏକ ଆଖିଦୃଶିଆ ସମାବେଶ ଆୟୋଜନ କରାଯାଇଥିଲା।

୨୦୧୯ ନିର୍ବାଚନକୁ ଆଖିଆଗରେ ରଖି ଭୋଟ୍‍ ବ୍ୟାଙ୍କ୍‍ ସୃଷ୍ଟି କରିବା ଲକ୍ଷ୍ୟରେ ଏପରି କରାଯାଉଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଉଛନ୍ତି। 

ଉଭୟ ଦଳ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ସ୍ୱାଗତଯୋଗ୍ୟ। ତେବେ ବିଜେପି ଓ ବିଜେଡି ଏ ନେଇ ଯେଉଁ ସଂଗ୍ରାମ ଆରମ୍ଭ କରିଛନ୍ତି ତାକୁ କେନ୍ଦ୍ର ସରକାର ଶୁଣିବେ କି ନାହିଁ ତାହା ମଧ୍ୟ ଉହ୍ୟ ହୋଇ ରହିଯାଇଛି। କାରଣ କେନ୍ଦ୍ରରେ ଥିବା ସରକାରମାନେ ଅତୀତରେ ହେଉ କିମ୍ବା ବର୍ତ୍ତମାନ ହେଉ ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି। ଏ ନେଇ ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ସରକାର ମଧ୍ୟ ଆନ୍ଦୋଳନକୁ ବାରମ୍ବାର ଓହ୍ଲାଉଥିବା ଦେଖିବାକୁ ମିଳୁଛି। ଯଦି ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଯାଆନ୍ତା ତେବେ ଫଳ କିଛି ମିଳନ୍ତା।

କିନ୍ତୁ ବିଜେଡି ସରକାର କେବଳ ପତ୍ର ଲେଖି ଚୁପ୍‍ଚାପ୍‍ ବସିରହିଲେ ଏ ମାନ୍ୟତା ମିଳିବା ଦୁରୂହ ବ୍ୟାପାର ହୋଇପଡ଼ିବ। ତେଣୁ ଉଭୟ ଦଳ ମିଳିମିଶି ଏହି ସଂଗ୍ରାମକୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ପାହାଚର ମାନ୍ୟତା ଦେବାପାଇଁ ଜୋରଦାର ଉଦ୍ୟମ ଜାରିରଖିଲେ ସେଥିରୁ କିଛି ଫଳ ମିଳିପାରେ। 

କେନ୍ଦ୍ର ସରକାରଙ୍କ ଉପରେ ଦୁଇ ଦଳ ଚାପ ପକାଇଲେ ପରିସ୍ଥିତି ଭିନ୍ନ ରୂପ ନେବ ନିଶ୍ଚୟ। କିନ୍ତୁ ସେମାନେ ତାହା କରିବେ କି ? ତେଣୁ ସମସ୍ତେ ଏହିଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ବିଚାରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଲେ ଏହା ଓଡ଼ିଶା ପାଇଁ ଶୁଭଙ୍କର ହୋ‌ଇପାରେ।

(ପ୍ରସ୍ତୁତି: ସରୋଜ)

Comment