ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ୍‌ରେ ଭାଷଣ ଦେଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ସେ ତାଙ୍କ ଭାଷଣ ସମ୍ପୂର୍ଣ୍ଣ କରିପାରିନଥିଲେ। ତେବେ କିଛି ସମୟ ବସିବା ପରେ ସେ ଉଠି ଠିଆହେବା ସହ ବିଭିନ୍ନ ପୁରସ୍କାର ପ୍ରଦାନ କରିଥିଲେ ଏବଂ ପ୍ୟାରେଡ୍‌ରେ ଭାଗ ନେଇଥିବା ପୋଲିସ୍ ଏବଂ ଅନ୍ୟ ବାହିନୀର ଅଭିବାଦନ ଗ୍ରହଣ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଧାରିତ ସମୟରେ ପ୍ୟାରେଡ୍ ସ୍ଥଳରେ ଥିବା ଅଭିବାଦନ ମଞ୍ଚରେ ପହଞ୍ଚି ଜାତୀୟପତାକା ଉତ୍ତୋଳନ କରିଥିଲେ। ପରେ ପରେ ସେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଆରମ୍ଭ କରିଥିଲେ। ତେବେ ତାଙ୍କ ଭାଷଣର ଶେଷ ଭାଗରେ ପହଞ୍ଚିଲା ବେଳକୁ ହଠାତ୍ ତାଙ୍କ ସ୍ୱର ଧିମା ହୋଇ ଯାଇଥିଲା। ତାଙ୍କ ମୁହଁରୁ ଝାଳ ବହିବା ଦେଖିବାକୁ ମିଳିଥିଲା।

ମୁଖ୍ୟମନ୍ତ୍ରୀଙ୍କ ଏହି ହଠାତ୍ ଅସୁସ୍ଥତା ଦେଖି ପାଖରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ଚୌକିରେ ବସିବା ପାଇଁ ବ୍ୟବସ୍ଥା କରିଥିଲେ। ସେହି ସମୟରେ ଅଭିବାଦନ ମଞ୍ଚରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପୋଲିସ ମହାନିର୍ଦ୍ଦେଶକ କେ ବି ସିଂ ଉପସ୍ଥିତ ଥିଲେ। ଏହି ଘଟଣାକୁ ନେଇ ମଞ୍ଚରେ ଥିବା ବରିଷ୍ଠ ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଉଦ୍‌ବେଗ ଦେଖାଦେଇଥିଲା। ତେବେ କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଣି ଛିଡ଼ା ହୋଇ ବିଭିନ୍ନ ବିଜେତା ଦଳକୁ ପୁରସ୍କାର ଦେବା ସହ ପ୍ୟାରେଡ୍‌ରେ ଭାଗ ନେଇଥିବା ସୁରକ୍ଷା ବାହିନୀ ଓ ଅନ୍ୟ ସଙ୍ଗଠନର କ୍ୟାଡେଟମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପ୍ରବଳ ଗୁଳୁଗୁଳି ଯୋଗୁଁ ମୁଖ୍ୟମନ୍ତ୍ରୀ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ। ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Tags: Chief Minister, Naveen Patnaik, CMO, Aditya Prasad Padhi, K B Singh, Mahatma Gandhi Marg, Independence Day Parade, National Flag

 

Comment