ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦାରିଦ୍ର୍ୟର ହାର କମୁଛି। ସରକାରଙ୍କର ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଯୋଗୁଁ ଗରିବୀ ୨୫ ପ୍ରତିଶତ କମିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ୭୧ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ତାଙ୍କ ଭାଷଣରେ କହିଛନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ଏହି ହାର ଆହୁରି ଦ୍ରୁତ ଗତିରେ ଖସିବ ବୋଲି ସେ ରାଜ୍ୟବାସୀଙ୍କୁ ବିଶ୍ୱାସ ଦେଇଛନ୍ତି।

ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାତ୍ମାଗାନ୍ଧି ଏବଂ ଅନ୍ୟ ଭାରତୀୟ ମହାପୁରୁଷଙ୍କ ବଳିଦାନ ଯୋଗୁଁ ଆମକୁ ସ୍ୱାଧୀନତା ମିଳିଛି। ଆଜି ସ୍ୱାଧୀନତାର ୭୦ ବର୍ଷ ମଧ୍ୟରେ ଭାରତ ବିଶ୍ଵର ଏକ ଅଗ୍ରଣୀ ଦେଶ ଭାବରେ ମୁଣ୍ଡ ଟେକିଉଠିଛି। ଦେଶର ବିକାଶର ଇତିହାସରେ ଓଡ଼ିଶା ଏକ ମଜଭୁତ ସ୍ଥାନ ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଓଡ଼ିଶାର ମହାନ୍ ସଂଗ୍ରାମୀ ଓ ଜନନେତାମାନଙ୍କୁ ସ୍ମରଣ କରିଥିଲେ। ସେହିପରି ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ କହିଥିଲେ। ଏହାସହ ପାଇକ ବିଦ୍ରୋହର ଅନ୍ୟତମ ସଂଗ୍ରାମୀ ଓ ସହିଦ ବକ୍ସି ଜଗବନ୍ଧୁଙ୍କୁ ସ୍ମରଣ କରିଥିଲେ।

ବିକାଶର ଧାରା ସମ୍ପର୍କରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାତୀୟ ମାପଦଣ୍ଡରେ ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଆଗରେ ରହିଛି। ବିଶେଷକରି ଦାରିଦ୍ର୍ୟ ହାର ଦୂରୀକରଣ କ୍ଷେତ୍ରରେ ଓଡ଼ିଶାର ସଫଳତା ନୀତି ଆୟୋଗଙ୍କ ରିପୋର୍ଟରୁ ମଧ୍ୟ ସ୍ପଷ୍ଟ ହୋଇପାରିଛି। ଆଗାମୀ ୨୦୩୬ ମସିହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ବେଳକୁ ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଗରିବୀ ହଟିଯାଇଥିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ଣ୍ଣ ବିଶ୍ଵାସ ପ୍ରକାଶ କରିଥିଲେ।

କୃଷି ହେଉଛି ଆମ ଅର୍ଥନୀତିର ମେରୁଦଣ୍ଡ। ତେଣୁ ରାଜ୍ୟରେ ଚାଷୀଙ୍କୁ ହକ୍ ଦେବା ପାଇଁ ତାଙ୍କ ସରକାର ସବୁ ପ୍ରକାର ଯୋଜନା ଓ ପଦକ୍ଷେପ ନେଉଛନ୍ତି ବୋଲି ଏହି ଅବସରରେ ସେ କହିଥିଲେ।

ରାଜ୍ୟରେ ମହିଳାମାନଙ୍କ ସଶକ୍ତିକରଣ ସହ ସେମାନଙ୍କ ସାମାଜିକ ଓ ଆର୍ଥିକ ନେତୃତ୍ୱ ବିକାଶ ପାଇଁ ସରକାର ବିଭିନ୍ନ  ପଦକ୍ଷେପ ନେଉଛନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ଏହି ସମ୍ଭାବନାକୁ ସତରେ ପରିଣତ କରିପାରୁଛି ବୋଲି ନବୀନ ପଟ୍ଟନାୟକ ଉଲ୍ଲେଖ କରିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣରେ ଆହୁରି କହିଥିଲେ ଯେ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ, ପୁଷ୍ଟି ସାଧନ ଏବଂ ଟିକାକରଣ କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଆଗଧାଡ଼ିରେ ରହିଛି। ସେହିପରି ରାଜ୍ୟର ଆଦିବାସୀଙ୍କ ବିକାଶ, ଦକ୍ଷତା ବିକାଶ, ନିଯୁକ୍ତି ସୃଷ୍ଟି, ସହରାଞ୍ଚଳରେ ବସ୍ତିବାସିନ୍ଦାଙ୍କ ଉନ୍ନୟନ, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ର ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି।

ଏହି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ ଅବସରରେ ରାଜ୍ୟ ପୋଲିସ, ଅଗ୍ନିଶମ, ପାରାମିଲିଟାରୀ, ରେଡକ୍ରସ୍‍, ରେଳବାଇ ସୁରକ୍ଷା ବାହିନୀ, ସିଭିଲ୍ ଡିଫେନସ ବାହିନୀ ସହ ବିଭିନ୍ନ ଶିକ୍ଷାନୁଷ୍ଠାନର କ୍ୟାଡେଟ୍‌ମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ନୂଆକରି ଗଢ଼ା ହୋଇଥିବା ତଥା ଓଡ଼ିଶାର ବ୍ଲାକ୍ କ୍ୟାଟ୍ ଭାବେ ପରିଚିତ ସ୍ୱିଫ୍ଟ ଆକ୍ସନ ଫୋର୍ସର ଯବାନମାନେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଭୁବନେଶ୍ୱର ମହର୍ଷି କଲେଜର ଡେଆର୍ ଡେଭିଲସ ଗ୍ରୁପର ଛାତ୍ରଛାତ୍ରୀମାନଙ୍କ ଦୁଃସାହସିକ ମଟରସାଇକେଲ୍ କ୍ରୀଡ଼ା ପ୍ରଦର୍ଶନ ଉପସ୍ଥିତ ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

(ଫଟୋ: ବଦ୍ରିଶ ନାରାୟଣ ପତି)

Tags: Aditya Prasad Padhi, Chief Minister, CMO Office, Independence Day, K B Singh, Mahatma Gandhi Marg, National Flag, Naveen Patnaik, Poverty Alleviation Program, Niti Aayog,

 

Comment