ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୧ତମ ସ୍ଵାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଛୋଟ ଭାଷଣରେ ୧୧ଟି ବଡ଼ କଥା କହିଥିଲେ। ୪ ବର୍ଷ ମଧ୍ୟରେ ମୋଦିଙ୍କ ଏହା ହେଉଛି ଅଳ୍ପ ସମୟର ଭାଷଣ। ଗତ ବର୍ଷ ସେ ୯୬ ମିନିଟ ଉଦବୋଧନ ଦେଇଥିଲେ। ଏ ବର୍ଷ ତାହା ୫୭ ମିନିଟକୁ ଖସି ଆସିଛି।
ମୋଦି ଯେଉଁ ୧୧ଟି କଥା କହିଲେ ତାହା କିଛି ଏହିଭଳି।
୧. ଗୋରଖପୁର
ଐତିହାସିକ ଲାଲକିଲାରୁ ମୋଦୀ ଗୋରଖପୁର ଶିଶୁ ମୃତ୍ୟୁ ଘଟଣା ସମ୍ପର୍କରେ କହିଲେ ଯେ ଏହା ଏକ ଦୁଃଖଦାୟକ ଘଟଣା। ଏହି ସଙ୍କଟ ବେଳେ ସମଗ୍ର ଭାରତବାସୀ ଏକାଠି ହୋଇପାରିଛନ୍ତି। ଏହିଭଳି ଘଟଣାରେ ସମ୍ବେଦନଶୀଳ ରହିବା ଦରକାର।
୨. କୃଷ୍ଣ
ମୋଦି କହିଲେ ଏକତା ରେ ଯେଉଁ ଶକ୍ତି ଅଛି ତାହା ଅନ୍ୟଥିରେ ନାହିଁ। ଏକତାର ବଳରେ ହିଁ ଭଗବାନ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତ ଉଠାଇ ପାରିଥିଲେ ଓ ଶ୍ରୀରାମ ଚନ୍ଦ୍ର ସେତୁ ନିର୍ମାଣ କରି ଲଙ୍କା ପହଞ୍ଚିଥିଲେ। ସେହି ଏକତା ବଳରେ ମହାତ୍ମାଗାନ୍ଧି ଦେଶକୁ ସ୍ଵାଧୀନତା ଆଣିଥିଲେ। ସେ କହିଲେ ୧୨୫ କୋଟି ଲୋକଙ୍କ ଦେଶରେ କେହି ଛୋଟ କି କେହି ବଡ଼ ନୁହେଁ।
୩. ପ୍ରାକୃତିକ ବିପର୍ଯ୍ୟୟ
ପିଏମ କହିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ଅନେକ ସମୟରେ କଷ୍ଟକର ବ୍ୟାପାର ହୋଇଥାଏ। ଭଲ ବର୍ଷା ଯୋଗୁଁ ଭଲ ଫସଲ ଅମଳ ହୁଏ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାକୁ ମୁକାବିଲା କରିବା ପାଇଁ ଅଧିକ ସମ୍ବଳ ଦରକାର।
୪. ତିନ ତଲାକ
ମୋଦି କହିଲେ ଯେ ତିନ ତଲାକ ଯୋଗୁଁ ମୁସଲିମ ସମ୍ପ୍ରଦାୟର ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେଉଁ ମହିଳାମାନେ ଏବେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଇବା ପାଇଁ ଚାହୁଁଛି।
୫. ନୋଟବନ୍ଦୀ
ପିଏମ ମୋଦି କହିଲେ ଯେ ନୋଟ ବନ୍ଦୀ ପରେ ୩ ଲକ୍ଷ କୋଟି ଟଙ୍କା ବ୍ୟାଙ୍କିଙ୍ଗ୍‍ ବ୍ୟବସ୍ଥା ଭିତରକୁ ଆସିଛି। ନୋଟବନ୍ଦୀ ଯୋଗୁଁ ଦୁର୍ନୀତି ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୩ ବର୍ଷ ମଧ୍ୟରେ ୨୫ ହଜାର କୋଟି ଟଙ୍କାର କଳାଧନ ଧରାପଡ଼ିଛି।
୬. କାଶ୍ମୀର
ଲାଲ କିଲ୍ଲା ପ୍ରାଚୀର ଉପରୁ ମୋଦୀ କହିଲେ ଯେ ଗାଳି କି ଗୁଳି ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ ବରଂ ଗଳାକୁ ଗଳାରେ ଲଗାଇଲେ ଓ ପରସ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ରହିଲେ ସମାଧାନ ବାହାରି ପାରିବ। ଜମ୍ମୁ କାଶ୍ମୀରର ବିକାଶ ପାଇଁ ତାଙ୍କ ସରକାର ପ୍ରତିବଦ୍ଧ।
୭. ବେନାମି ସମ୍ପତ୍ତି
କଳା ଧନ ରୋଜଗାର କରୁଥିବା ୩ ଲକ୍ଷ ସେଲ କମ୍ପାନି ମଧ୍ୟରୁ ଅଧିକାଂଶ କମ୍ପାନୀକୁ ବନ୍ଦ କରିଛନ୍ତି ସରକାର। ଅଳ୍ପ ସମୟ ମଧ୍ୟରେ ବେନାମି କାରବାର ଉପରେ ଚଢ଼ାଉ କରାଯାଇଛି।
୮. ନ୍ୟୁ ଇଣ୍ଡିଆ
ମୋଦି କହିଲେ ଯେ ଆମେ ଏକ ନୂଆ ଭାରତ ଗଢିବା ଚାହୁଁଛୁ ଯାହା ସୁରକ୍ଷିତ, ସମୃଦ୍ଧ ଓ ଶକ୍ତିଶାଳୀ ହୋଇପାରିବ। ଯେଉଁଠି ସମସ୍ତଙ୍କୁ ସମାନ ସୁଯୋଗ ମିଳୁଥିବ ଓ ଯେଉଁଠି ଆଧୁନିକ ବିଜ୍ଞାନ ପହଁଚି ପାରୁଥିବ। ସେ କହିଛନ୍ତି ଯେ ଆମ ସମସ୍ତଙ୍କ ମିଳିତ ଉଦ୍ୟମରେ ୨୦୨୨ ସୁଦ୍ଧା ନୂଆ ଭାରତର ସ୍ୱପ୍ନ ସାକାର ହୋଇ ପାରିବ।
୯. ଜୁଆନଙ୍କ ଦେଶ
ପିଏମ କହିଲେ ଯେ ୨୦୧୮ ଜାନୁଆରୀ ପହିଲା ସାଧାରଣ ଦିନ ନୁହେଁ ଏହି କଥାକୁ ମାନି ଆମକୁ ଆଗକୁ ଯିବାକୁ ହେବ। ଏକବିଂଶ ଶତାବ୍ଦୀରେ ଜନ୍ମିତ ଯୁବକମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ୧୮ ବର୍ଷ ପୂରଣ କରୁଥିବା ଯୁବକଙ୍କ ହାତରେ ଦେଶ।
୧୦. କିଷାନ
ମୋଦି କହିଲେ ଯେ ଏ ବର୍ଷ ରେକର୍ଡ ପରିମାଣର ଫସଲ ଅମଳ ହେବାକୁ ଯାଉଛି। ଏ ବର୍ଷ ଆମେ ସିଧାସଳଖ ଚାଷୀଙ୍କଠାରୁ ଡାଲି କିଣୁଛୁ ଯାହା ଆଗରୁ କେବେ ନଥିଲା। ଚାଷୀଙ୍କ ପାଇଁ ୨୧ଟି ଯୋଜନାକୁ ପୂରଣ କରା ଯାଇଛି।
୧୧. ସର୍ଜିକାଲ୍‌ ଷ୍ଟ୍ରାଇକ୍
ପ୍ରଧାନମନ୍ତ୍ରୀ ମୋଦି କହିଲେ ଯେ ସ୍ଵାଧୀନ ଭାରତ ପାଇଁ ସୁରକ୍ଷା ଚିନ୍ତା ଏବେ ବି ରହିଛି। ଆମ ସେନା ପକ୍ଷରୁ ଯେଉଁ ବଳିଦାନ ଓ ଉତ୍ସର୍ଗ କରାଯାଇଛି ତାହା ଅଦ୍ୱିତୀୟ। ସର୍ଜିକାଲ୍‌ ଷ୍ଟ୍ରାଇକ୍ ପରେ ଭାରତର ତାକତ କେତେ ସମଗ୍ର ବିଶ୍ଵ ଜାଣିପାରିଲା।

Tags: Independence Day, Narendra Modi, Freedom Fighters, Surgical Strike, Modi, Prime minister, Independence

Comment