ଓଡ଼ିଶାଲାଇଭ୍‌ ବ୍ୟୁରୋ

“There are 37 reasons to be extra proud of Team India performance at World Dwarf Games” – ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ସଚିନ୍‍ ତେନ୍ଦୁଲକରଙ୍କର ସୋସିଆଲ୍‍ ମିଡିଆରେ ଏହି ମନ୍ତବ୍ୟ ଭାରତୀୟ ବାମନ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ବେଶ୍‌ ଉତ୍ସାହ ଆଣିଦେଇଛି। ସଚିନ୍‌ ଯେଉଁ ୩୭ଟି କାରଣ କଥା କହୁଛନ୍ତି, ତାହା ହେଉଛି ୨୦୧୭ ୱାର୍ଲ୍‌ଡ୍‌ ଡ୍ୱାର୍ଫ୍‌ ଗେମ୍ସରେ ଭାରତ ୧୫ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ ହାସଲ କରିବା, ଏହିପରି ମୋଟ୍‍ ୩୭ଟି ପଦକ ହାସଲ କରିବା।

ଚଳିତ ଅଗଷ୍ଟ ୪-୧୨ ପର୍ଯ୍ୟନ୍ତ କାନାଡାର ଓଣ୍ଟାରିଓସ୍ଥିତ ୟୁନିଭର୍ସିଟି ଅଫ୍‌ ଗୁଏଲ୍‌ଫଠାରେ ଏହି ଅନ୍ତର୍ଜାତୀୟ କ୍ରୀଡ଼ା ଅନୁଷ୍ଠିତ ହୋ‌ଇଯାଇଛି। ଏଥିରେ ଆମେରିକା ୨୯୩, ବ୍ରିଟେନ୍‍ ୨୦୧ ଏବଂ କାନାଡ଼ା ମୋଟ୍ ୧୦୫ଟି ପଦକ ହାସଲ କରି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

ମୋଟ୍‌ ୧୯ଟି ଦେଶ ଭାଗ ନେଇଥିବା ୱାର୍ଲ୍‌ଡ୍‌ ଡ୍ୱାର୍ଫ୍‌ ଗେମ୍ସରେ ଭାରତ ମୋଟ୍‌ ୩୭ଟି ପଦକ ପାଇ ଷଷ୍ଠ ସ୍ଥାନ ହାସଲ କରିଛି। ଏଥିପାଇଁ ଭାରତୀୟ ଖେଳାଳିମାନଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ବାର୍ତ୍ତା ମିଳିଛି।

୧୯୯୩ ମସିହାରେ ଆମେରିକାର ଚିକାଗୋଠାରେ ପ୍ରଥମେ ଏହି କ୍ରୀଡ଼ା ଆରମ୍ଭ ହୋ‍ଇଥିଲା। ଇଣ୍ଟରନ୍ୟାସନାଲ ଡ୍ୱାର୍ଫ୍‍ ଆଥ୍‌ଲେଟିକ୍‌ ଫେଡେରେସନ ଦ୍ୱାରା ପରିଚାଳିତ ଏହି ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବ ପ୍ରତି ୪ ବର୍ଷରେ ଥରେ ଆୟୋଜିତ ହୋ‌ଇଆସୁଛି। ଏଥିରେ ତୀରନ୍ଦାଜ, ବ୍ୟାଡମିଣ୍ଟନ, ବାସ୍କେଟବଲ, ଫ୍ଲୋର୍‍ ହକି, କର୍ଲିଂ, ଫୁଟ୍‌ବଲ୍‌, ସନ୍ତରଣ, ଟେବୁଲ୍‌ ଟେନିସ୍‌, ଭଲିବଲ୍‍ ଓ ଶକ୍ତି ଉତ୍ତୋଳନ ଆଦି ବିଭାଗରେ ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ବାମନ କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋ‌ଇଥାଏ।

Tags: World Dwarf Games, Team India, Sachin Tendulkar, Social Media, University of Guelph, International Dwarf Athletic Federation, IDAF

1 COMMENT

Comment