ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ ଭାରତରେ ପୁଣି ଜଣେ ଲୋକପ୍ରିୟ ଅଭିନେତା ଓହ୍ଲାଇବେ ରାଜନୀତି ମଇଦାନକୁ। ତାମିଲ ସୁପରଷ୍ଟାର କମଳ ହାସନ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପରୋକ୍ଷରେ ନୂଆ ଦଳ ଗଢିବାକୁ ଇସାରା ଦେଇଛନ୍ତି। ସେ କହିଛନ୍ତି, ତାମିଲନାଡୁ ରାଜନୀତିରେ ପରବର୍ତ୍ତନର ପ୍ରକ୍ରିୟା ଆରମ୍ଭ କରିବାକୁ ସେ ଚାହୁଁଛନ୍ତି।
୬୨ ବର୍ଷୀୟ ଅଭିନେତା କମଳ ହାସନ କହିଛନ୍ତି, “ତାମିଲନାଡୁ ରାଜନୀତିକୁ ପରିବର୍ତ୍ତନ କରାଯାଇପାରିବ ଏବଂ ମୁଁ ଚାହୁଁଛି ସେହି ପରିବର୍ତ୍ତନ ଆଣିବା ପାଇଁ, ତାହା ଯେତେ ମନ୍ଥର ହେଉ ପଛେ”।
ସେ କହିଛନ୍ତି, “ମୁଁ ସବୁ ସମସ୍ୟାର ସମାଧାନ କରିଦେବି ବୋଲି ପ୍ରତିଶ୍ରୁତି ଦେଉନାହିଁ। କିନ୍ତୁ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ପାଇଁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଉଛି”।
ସିଧା ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇବା ପାଇଁ ଇସାରା କରି କମଲ ହାସନ କହିଛନ୍ତି, “ମୋତେ ଭୋଟ ଦେଇ ପାଞ୍ଚ ବ​‌ର୍ଷ ପାଇଁ ନିର୍ବାଚିତ କରି ଅପେକ୍ଷା କରିବାକୁ ପଡିବନି। ଯଦି ଭୋଟ ପାଇବା ପରେ ମୁଁ କିଛି କରିପାରିବି ନାହିଁ, ତେବେ ମୋତେ ତୁରନ୍ତ ପଦରୁ କାଢିଦେବା ଉଚିତ”।
ରାଜନୀତିରେ ଦୁର୍ନୀତିକୁ ପ୍ରଶୟ ଦିଆଯାଇପାରିବନି ବୋଲି କହିଛନ୍ତି ଏହି ବରିଷ୍ଠ ଅଭିନେତା। ସେ ଜୋର ଦେଇଛନ୍ତି, “ମୁଁ ହଟିଯିବି, ନହେଲେ ରାଜନୀତିରୁ ଦୁର୍ନୀତି ହଟାଇଦେବି”।
କମଳ ହାସନଙ୍କ ମତରେ ତାମିଲନାଡୁରେ କୌଣସି ଦଳ ଦୁର୍ନୀତିମୁକ୍ତ ନୁହଁନ୍ତି। ଦୁର୍ନୀତିମୁକ୍ତ ରାଜନୈତିକ ଦଳ ପ୍ରତିଷ୍ଠା କରିବା ମୋର ଲକ୍ଷ ବୋଲି ସେ କହିଛନ୍ତି।
ବିଭିନ୍ନ ସମୟରେ ତାମିଲନାଡୁର ଦୁଇ ପ୍ରମୁଖ ଦଳ ଶାସକ ‘ଏଆଇଏଡିଏମକେ’ ଏବଂ ବିରୋଧୀ ‘ଡିଏମକେ’କୁ କଡ଼ା ସମାଲୋଚନା କରିଆସିଛନ୍ତି କମଳ ହାସନ।
ତାଙ୍କ ଇସାରାରୁ ଜଣାପଡୁଛି ସେ ଖୁବ ଶୀଘ୍ର ଏକ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି।
ଏହା କୁହାଯାଉଛି, ସିପିଏମ ଜେନେରାଲ ସେକ୍ରେଟାରୀ ସିତାରାମ ୟେଚୁରୀଙ୍କୁ ସେ ନିକଟରେ ଭେଟିଛନ୍ତି। ସେହିପରି କେରଳ ମୁଖ୍ୟମନ୍ତ୍ରୀ ତଥା​‌ ସିପିଏମ ପିଲିଟିବ୍ୟୁରୋ ସଦସ୍ୟ ପିନାରାୟୀ ବିଜୟନଙ୍କୁ ମଧ୍ୟ ସେ ସାକ୍ଷାତ ଆଲୋଚନା କରିଛନ୍ତି। ବିଜୟନଙ୍କୁ ଭେଟିବା ପରେ ସେ କହିଥିଲେ ଯେ ତାଙ୍କର ରଙ୍ଗ ନିଶ୍ଚିତ ଭାବେ ‘ସାଫ୍ରୋନ’ (ଦକ୍ଷିଣପନ୍ଥୀଙ୍କୁ ଲକ୍ଷ୍ୟ କରି) ନୁହେଁ, ସବୁବେଳେ ବାମପନ୍ଥୀ ନେତାମାନେ ତାଙ୍କର ଆଦର୍ଶ ରହି ଆସିଛନ୍ତି।
କମଳ ହାସନଙ୍କ ଏହି କଥାକୁ ଅନୁମାନ କରାଯାଉଛି ଯେ ସେ ସିପିଏମ ସହ ମିଶିପାରନ୍ତି କିମ୍ବା ବାମପନ୍ଥୀ ଆଦର୍ଶରେ ଏକ ନୂଆ ଦଳ ଗଢି ସେମାନଙ୍କ ସହ ମେଣ୍ଟ କରି ତାମିଲନାଡୁରେ ଏକ ରାଜନୈତିକ ବିକଳ୍ପ ମଞ୍ଚ ପ୍ରତିଷ୍ଠା କରିପାରନ୍ତି।
ତାମିଲ ସୁପରଷ୍ଟାର କମଳ ହାସନ ଦକ୍ଷିଣ ଭାରତରେ ଜଣେ ଲୋକପ୍ରିୟ ଅଭିନେତା। ବଲିଉଡ ଫିଲ୍ମରେ ମଧ୍ୟ ସେ ନିଜ ଅଭିନୟ ଯାଦୁରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି।
ଜୟଲଳିତାଙ୍କ ମୃତ୍ୟୁ ପରେ ତାମିଲନାଡୁରେ ଯେଉଁଭଳି ଭାବେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି, ସେହି ସମୟରେ କମଳ ହାସନଙ୍କ ରାଜନୀତିରେ ପ୍ରବେଶ ପାଇଁ ଇସାରା ନିଶ୍ଚିତ ଭାବେ ଗୁରୁତ୍ଵପୂର୍ଣ୍ଣ।
ତାମିଲନାଡୁରେ ଅନେକ ଫିଲ୍ମ କଳାକାର ରାଜନୀତିର ଶୀର୍ଷ ସ୍ଥାନକୁ ଛୁଇଁଛନ୍ତି।

Tags: Kamal Hassan, Indian film actor, Bollywood, Politics, Indian Politics, Tamilnadu Politics, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment