ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟ ସିଟିର ବହୁ ପୁରୁଣା ବସ୍‌ଷ୍ଟାଣ୍ଡର ରୂପରେଖ ବଦଳିବ। ଏହି ବସ୍‌ଷ୍ଟାଣ୍ଡକୁ ରାଜ୍ୟର ସବୁଠୁ ସୁନ୍ଦର ଓ ସ୍ମାର୍ଟ ବସ୍‌ଷ୍ଟାଣ୍ଡରେ ପରିଣତ କରିବାକୁ ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି (ବିଡିଏ) ଅଣ୍ଟା ଭିଡ଼ିଛି।
ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅତ୍ୟାଧୁନିକ ଅନ୍ତଃରାଜ୍ୟ ବସ୍ ଟର୍ମିନାଲ୍‌ରେ ପରିଣତ ହେବାକୁ ଯାଉଛି। ବିଡ଼ିଏ ଏଥିପାଇଁ ନୂଆଦିଲ୍ଲୀର ଦିଲ୍ଲୀ ଇଣ୍ଟିଗ୍ରେଟେଡ଼ ମଲ୍‌ଟିମୋଡାଲ୍  ଟ୍ରାନ୍‌ଜିଟ ସିଷ୍ଟମ୍ ଲିମିଟେଡ୍ (ଡିଆଇଏମ୍‌ଟିଏସ୍)କୁ ଡିଜାଇନ୍ ପ୍ରସ୍ତୁତ ନିମନ୍ତେ ପ୍ରଥମ ଦଫାରେ ୭୯ଲକ୍ଷ ଟଙ୍କା ପ୍ରଦାନ କରିଛି। ଡିଆଇଏମ୍‌ଟିଏସ୍ ପୂର୍ବରୁ ଦିଲ୍ଲୀ ସମେତ ବିହାର, ଝାଡ଼ଖଣ୍ଡରେ ବିଭିନ୍ନ ଉନ୍ନତିକରଣ ଡିଜାଇନ୍ ପ୍ରସ୍ତୁତ କରିସାରିଛି।
ବି୍ଡିଏ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାଢ଼େ ୧୫ ଏକର ଜମିରେ ଏହି ବସ୍‌ଷ୍ଟାଣ୍ଡ ଟର୍ମିନାଲ୍ ପ୍ରସ୍ତୁତ ହେବ। ଯେଉଁଠାରେ ଅତ୍ୟାଧୁନିକ ବ୍ୟବସ୍ଥା ସହ, ୱାଇଫାଇ, ରିଅଲ ଟାଇମ୍ ପାର୍କିଂ ସୂଚନା ଓ ଆନ୍ତଃରାଜ୍ୟ ବସ୍‌ର  ଯିବାଆସିବା ସମୟ ଏଲ୍‌ଇଡ଼ି ଡିସ୍‌ପ୍ଲେ ମାଧ୍ୟମରେ ପ୍ରତି ମୁହୂର୍ତ୍ତରେ ସୂଚନା ଦିଆଯିବ। ଯାହାଫଳରେ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ଯାତ୍ରୀମାନେ ଏହାର ସୁବିଧା ପାଇପାରିବେ। ଏହି ବସ୍‌ଷ୍ଟାଣ୍ଡର ଡିଜାଇନ୍ କନସେପ୍ଟ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ନେଇ ପ୍ରସ୍ତୁତ ହେବ।
ନୂଆକରି ତିଆରି ହେବାକୁ ଥିବା ଏହି ବସ୍‌ଷ୍ଟାଣ୍ଡ ସୁରକ୍ଷା ଦୃଷ୍ଟିକୋଣରୁ ବସ୍‌ଷ୍ଟାଣ୍ଡର ଚତୁଃପାର୍ଶ୍ୱରେ ସିସିଟିଭିର ବ୍ୟବସ୍ଥା ରହିବ, ଫଳରେ ବସ୍‌ଷ୍ଟାଣ୍ଡରେ ଘଟୁଥିବା ସମସ୍ତ ଘଟଣା ଟିକ୍‌ନିଖ୍ କରି ଯାଞ୍ଚ କରିହେବ। ଭିନ୍ନକ୍ଷମ, ଅସହାୟ ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ବସ୍‌ଷ୍ଟାଣ୍ଡ ମଧ୍ୟରେ  ପବ୍ଲିକ୍ ଟ୍ରାନ୍ସପୋର୍ଟ, ବାଇସାଇକେଲ୍, ଅଟୋରିକ୍ସା, ଇ-ରିକ୍ସା ଭଳି ସମସ୍ତ ପ୍ରକାର ଯାନବାହନ ପାଇଁ ଏଥିରେ  ବ୍ୟବସ୍ଥା ରହିଛି। ଯାହାଫଳରେ ଜଣେ ବସ୍‌ରୁ ଓହ୍ଲାଇଲା ପରେ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ।

Tags: Smart City, Bhubaneswar, Baramunda Bus stand, Bus stand, Wi-fi, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment