ଓଡ଼ିଶାଲାଇଭ୍ ବ୍ୟୁରୋ

ରେଲୱେ କର୍ତ୍ତୃପକ୍ଷ ନୂଆ ନିୟମ ଜାରି କରିଛନ୍ତି। ଏଣିକି ଟ୍ରେନ୍‌ରେ ରାତି ୧୦ଟା ପୂର୍ବରୁ ଯାତ୍ରୀ ଶୋଇପାରିବେ ନାହିଁ ବୋଲି କର୍ତ୍ତୃପକ୍ଷ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ପୂର୍ବରୁ ଶୋଇବା ସମୟ ରାତି ୯ଟାରୁ ସକାଳ ୬ଟା ଯାଏଁ ଧାର୍ଯ୍ୟ କରାଯାଇଥିଲା। ଏହାକୁ ରାତି ୧୦ଟା କରି ଦିଆଯାଇଛି। ମୁଖ୍ୟତଃ ଯାତ୍ରୀଙ୍କ ମଧ୍ୟରେ ବସିବାକୁ ନେଇ ଲାଗି ରହୁଥିବା କଳି ଝଗଡାକୁ ଏଡାଇବା ଲାଗି ରେଲୱେ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି।
ଟ୍ରେନ୍ ଯାତ୍ରା ବେଳେ ରାତିରେ ଶୋଇବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ବିଶେଷକରି ମିଡିଲ ବର୍ଥ ଏବଂ ଲୋୟର ବର୍ଥରେ ଏହି ସମସ୍ୟା ଦେଖାଦେଉଥିଲା। ଏହି ସମସ୍ୟା ସମାଧାନ ଲାଗି ନୂଆ ନିୟମ ଜାରି କରାଯାଇଛି। ଶୋଇବା ସମୟ ରାତି ୧୦ଟା ଧାର୍ଯ୍ୟ କରାଯାଇଥିବାରୁ ମିଡିଲ ବର୍ଥ ଓ ଅନ୍ୟ ଯାତ୍ରୀମାନେ କିଛି ସମୟ ଲୋୟର ବର୍ଥରେ ଆରାମ୍‌ରେ ବସିପାରିବେ।
ରେଳ ମନ୍ତ୍ରାଳୟ ମୁଖପାତ୍ର ଅନୀଲ ସାକ୍ସେନା କହିଛନ୍ତି, ”ଟ୍ରେନରେ ଶୋଇବା ବ୍ୟବସ୍ଥାକୁ ନେଇ କେତେକ ଯାତ୍ରୀମାନଙ୍କଠାରୁ ମତାମତ ସଂଗ୍ରହ କରିଥିଲୁ। ମତାମତକୁ ବିଚାରକୁ ନେଇ ବିଭାଗ ନୂଆ ନିୟମ ଜାରି କରିଛି।”
ପୂର୍ବରୁ ଯାତ୍ରୀମାନଙ୍କ ପାଇଁ ଶୋଇବା ସମୟ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଏବେ ଏଥିରେ ୧ ଘଣ୍ଟା କାଟି ଦିଆଯାଇଛି। ଏହି ନିୟମ କେବଳ ସଂରକ୍ଷଣ ବଗିରେ ଥିବା ସ୍ଲିପର୍ ସିଟ୍ ଗୁଡିକ ପାଇଁ ଲାଗୁ କରାଯିବ। ତେବେ ଏହି ନିୟମ ବୃଦ୍ଧ, ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ଲାଗୁହେବ ନାହିଁ। ଯଦି ଯାତ୍ରୀମାନେ ଚାହାଁନ୍ତି, ତାହାଲେ ସେମାନଙ୍କ ସହ ବୁଝାମଣା କରି ତାଙ୍କ ସିଟ୍‌ରେ ବସିବାକୁ ଅନୁମତି ଦେଇପାରିବେ। ଏହି ନିୟମ ଲାଗୁ କରିବା ପାଇଁ ବାଣିଜ୍ୟ ନିୟମାବଳିର ପାରାଗ୍ରାଫ୍ ୬୫୨କୁ ହଟାଇ ଦିଆଯାଇଛି।

Tags: Railways, Indian Railways, Sleeping Time, Train Passengers, Train traveler, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here