ଓଡ଼ିଶାଲାଇଭ୍ ବ୍ୟୁରୋ

ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ୍‌ରେ ପ୍ରଚାର ଜମି ଆସିଥିଲା। ପ୍ରାର୍ଥୀ ଘରଘର ବୁଲି ଜୋରଦାର କ୍ୟାମ୍ପେନ୍ ଆରମ୍ଭ କରିଦେଇଥିଲେ। ଆଉ ୪ ଦିନ ପରେ ହୋଇଥା’ନ୍ତା ଭାଗ୍ୟ ପରୀକ୍ଷା। ହେଲେ ବୋମାମାଡ଼ ଓ ଗୋଷ୍ଠୀ ସଂଘର୍ଷ ସବୁକିଛି ବିଗାଡ଼ି ଦେଇଛି। ବାଣୀବିହାରରୁ ଜୟପୁରର ବିକ୍ରମଦେବ କ୍ୟାମ୍ପସ୍‌ ଏବେ ଛାତ୍ର ଅଶାନ୍ତିକୁ ନେଇ ଥରୁଛି।

ନାମାଙ୍କନ ପତ୍ର ଦାଖଲର ଦୁଇ ଦିନ ପରେ ବିଭିନ୍ନ କ୍ୟାମ୍ପସ୍‌ରେ ଛାତ୍ର ଅଶାନ୍ତି ଉଗ୍ରରୂପ ଧାରଣ କରିଛି। ବାଣୀବିହାର ଓ ବିଜେବି କଲେଜ କ୍ୟାମ୍ପସ୍‌ରେ ବାରମ୍ବାର ବୋମାମାଡ଼ ଯୋଗୁଁ ନିର୍ବାଚନ ବାତିଲ ହୋଇଯାଇଛି। ବାଣୀବିହାରରେ ନିର୍ବାଚନ ବାତିଲ ହେବା ପରେ ମଧ୍ୟ ଛାତ୍ର ଅଶାନ୍ତି ଥମିବାର ନାଁ ଧରୁନି। ଗୋଟିଏ ଗୋଷ୍ଠୀର ଛାତ୍ର କୁଳପତିଙ୍କ ଅଫିସ ସମ୍ମୁଖରେ ବସି ଧାରଣା ଦେବା ସହ ଭଙ୍ଗାରୁଜା କରିଛନ୍ତି। ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୋମବାର ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବାଣୀବିହାର ବୋମାମାଡ଼ ପରେ ଭୁବନେଶ୍ୱର ମହର୍ଷି କଲେଜରେ ମଧ୍ୟ ଦୁଇଟି ବୋମାମାଡ଼ ହୋଇଛି। ଫଳରେ ମହର୍ଷି କ୍ୟାମ୍ପସ୍ ଗରମ ରହିଛି। ବିଶୃଙ୍ଖଳା ଏଡ଼ାଇବା ପାଇଁ କ୍ୟାମ୍ପସ୍‌ରେ ପୋଲିସ ମୁତୟନ କରାଯାଇଛି।
ପୁରୀ ଏସ୍‌ସିଏସ୍‌ କଲେଜରେ ମଧ୍ୟ ଛାତ୍ର ଅଶାନ୍ତି ଲାଗି ରହିଛି। ସୋମବାର ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଲାଗିବାରୁ ଜଣେ ପୋଲିସ୍ ଅଧିକାରୀ ଆହତ ହୋଇଛନ୍ତି।
କୋରାପୁଟ ଜିଲ୍ଲା ଜୟପୁରର ବିକ୍ରମଦେବ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଛାତ୍ର ଅଶାନ୍ତି ତେଜିଛି। ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଲାଗି ରହିବାରୁ ସୋମବାର ଗୋଟିଏ ଗୋଷ୍ଠୀର ଛାତ୍ର କଲେଜ ପରିସରରେ ଧାରଣା ଦେଇଛନ୍ତି।
କାକଟପୁର ମଙ୍ଗଳା କଲେଜରେ ବି ଆଜି ହିଂସାକାଣ୍ଡ କରିଛନ୍ତି ଛାତ୍ର। ସଭାପତି ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଯିବାରୁ ସମର୍ଥକମାନେ କଲେଜରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

Tags: Bhubaneswar News, BJB college, Breaking News, College Election, Election, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories, Utkal University, Vani Vihar College, Y B Khurania

Comment