ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବର୍ଷ କଂଗ୍ରେସ ପକ୍ଷରୁ ଇନ୍ଦିରାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ବିରାଟ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବର୍ତ୍ତମାନଠାରୁ ହିଁ ଦଳ ପକ୍ଷରୁ ଏ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମନେପକାଇ ଦେଉଛୁ ଯେ ଚଳିତ ନଭେମ୍ବର ମାସରେ ଇନ୍ଦିରାଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହେବ। କୁହାଯାଉଛି ଏହି ଅବସରରେ କଂଗ୍ରେସ ତା’ର ବଳିଦାନ ଓ ଉତ୍ସର୍ଗର କାହାଣୀ ନେଇ ଲୋକଙ୍କ ପାଖରେ ପହଞ୍ଚିବ।
ଶତବାର୍ଷିକୀ ପାଳନ ପାଇଁ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଇନ୍ଦିରାଗାନ୍ଧୀଙ୍କ ଅବଦାନକୁ ମନେ ପକାଇବେ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ନଭେମ୍ବର ୧୯ ପୂର୍ବରୁ ରାହୁଲ ଦଳର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିସାରିଥିବେ ଓ ନିଜ ଟିମ୍ ବାଛି ସାରିଥିବେ।
ଖବର ଆସୁଛି ଯେ ଇନ୍ଦିରାଗାନ୍ଧୀଙ୍କ ଶତବାର୍ଷିକୀ ଅବସରରେ କଂଗ୍ରେସ ପକ୍ଷରୁ ସବୁଠାରୁ ବଡ଼ ଓ ମନେରଖିବା ଭଳି କାର୍ଯ୍ୟକ୍ରମ କରାଯିବ। ଏହା ପଛରେ ଉଦ୍ଦେଶ୍ୟ ହେଉଛି ଇନ୍ଦିରାଙ୍କ ନାମରେ ଦଳକୁ ପୁଣି ସଂଗଠିତ କରିବା। ତା’ଛଡ଼ା ବିଜେପିର ସେଇ ଅଭିଯୋଗକୁ ମଧ୍ୟ ଦଳ ଜବାବ ଦେବାକୁ ଚାହୁଁଛି ଯେ ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ ଦେଶ ପାଇଁ କିଛି କରିନାହିଁ।
ଆହ୍ଲାବାଦରୁ ଏହି ଶତବାର୍ଷିକୀ କାର୍ଯ୍ୟକ୍ରମ ଆରମ୍ଭ ହେବ ଓ ଗୁଜରାଟ ପର୍ଯ୍ୟନ୍ତ ଯିବ। ପ୍ରତି ପଞ୍ଚାୟତରେ ଏହି ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଗୁଜରାଟରେ ଆଗାମୀ ଦିନରେ ନିର୍ବାଚନ ମଇଦାନକୁ ଦଳ ନୂଆ ଜୋସରେ ମଧ୍ୟ ଓହ୍ଲାଇବାକୁ ଚାହୁଁଛି। ଇନ୍ଦିରାଗାନ୍ଧୀଙ୍କ ଶତବାର୍ଷିକୀ ଅବସରରେ ଦିଲ୍ଲୀରେ ଏକ ବଡ଼ ସମ୍ମେଳନ ଆୟୋଜିତ ହେବ ଓ ବିଶ୍ୱର ବଡ଼ ବଡ଼ ନେତା ଓ ଚିନ୍ତକଙ୍କୁ ନିମନ୍ତ୍ରଣ କରାଯିବ।
ଏସବୁ କଥା ରାହୁଲଙ୍କ ନେତୃତ୍ୱରେ ହେବ। ଛୁଟିରୁ ଫେରିବା ପରେ ସେ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପରେଖ ଦେବେ। ଏହି ସମଗ୍ର ଦାୟିତ୍ୱ କୌଣସି ଏକ ବଡ଼ ବିଜ୍ଞାପନ ସଂସ୍ଥାକୁ ଦିଆଯାଇପାରେ।

Tags: Indira Gandhi, Rahul Gandhi, Congress, Politics, India Politics, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment