ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଆଇ ନାଁରେ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଛି। ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଦୁଇ ସୁରକ୍ଷା କର୍ମୀଙ୍କ ବୟାନକୁ ଆଧାରକରି ଏହି ମାମଲା ରୁଜୁ କରାଯାଇଥିବା ପୋଲିସ କମିଶନର ୱାଇ ବି ଖୁରାନିଆ ସୂଚନା ଦେଇଛନ୍ତି।
ଖୁରାନିଆ କହିଛନ୍ତି ଯେ ମଙ୍ଗଳବାର ରାତି ପ୍ରାୟ ୧ଟା ୩୦ରେ ସିବିଆଇ ଇନ୍ସପେକ୍ଟର ପି କେ ମିଶ୍ର ବିଚାରପତି ଦାଶଙ୍କ ବାସଭବନକୁ ଯାଇଥିଲେ। ତାଙ୍କ ସହିତ ସିବିଆଇର ଆଉ ୪ ଜଣ ଅଧିକାରୀ ସାମିଲ ଥିଲେ| ଏହାକୁ ନେଇ ସିବିଆଇ ଅଫିସର ଏବଂ ବିଚାରପତିଙ୍କ ଘରେ ଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ କ୍ୟାଣ୍ଟନମେଣ୍ଟ ଥାନା ପିସିଆର୍ ଭ୍ୟାନ୍ ଜଜ୍‌ଙ୍କ ଘର ନିକଟରେ ପହଞ୍ଚିଥିଲା|  ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରି ଛାଡି ଦେଇଥିଲା।
ଏହି ଘଟଣାକୁ ନେଇ ବୁଧବାର ଦିନ ହାଇକୋର୍ଟ ବାର୍ ଆସୋସିଏସନ ତୁମ୍ବିତୋଫାନ କରିଥିଲା। ଆସୋସିଏସନ ପକ୍ଷରୁ ଏହାର ପ୍ରତିବାଦସ୍ୱରୂପ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା| ଏହି ଆନ୍ଦୋଳନ ଗୁରୁବାର ପର୍ଯ୍ୟନ୍ତ ଚାଲିବ ବୋଲି ହାଇକୋର୍ଟ ବାର୍‍ ଆସୋସିଏସନ୍‍ ପକ୍ଷରୁ ସୂଚନା ଦିଆଯାଇଛି|
ସିବିଆଇ ଅଧିକାରୀ ପି କେ ମିଶ୍ର ଓ ଅନ୍ୟମାନଙ୍କ ବିରୋଧରେ ୧୨୦(ବି), ୩୫୩, ୫୧୧, ୩୪ ଆଇପିସିରେ ମାମଲା ରୁଜୁ ହୋଇଛି।
ଳିଥିବା ସୂଚନା ଅନୁଯାୟୀ ସିବିଆଇ ଅଧିକାରୀମାନେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇଏମ୍‍ କୁଦ୍ଦୁସିଙ୍କ ଘର ଚଢାଉ କରିବାକୁ ଯାଇ ବାଟବଣା ହୋ‍ଇଛି| ଯେଉଁ ଘରେ ଏକଦା ଜଷ୍ଟିସ୍‍ ଚିତ୍ତରଞ୍ଜନ ଦାଶ ରହୁଛନ୍ତି, ସେଠାରେ ପୂର୍ବରୁ ଜଷ୍ଟିସ୍‍ କୁଦ୍ଦୁସି ରହୁଥିଲେ| ସଂପୃକ୍ତ ସିବିଆଇ ଅଧିକାରୀମାନେ ପୋଲିସ ହାବୁଡ଼ରେ ପଡ଼ି ମଧ୍ୟ ଏକପ୍ରକାର ହଟହଟା ହୋ‍ଇଥିବା ଜଣାପଡ଼ିଛି| ପିସିଆର ଭ୍ୟାନରେ ଥିବା ପୋଲିସ ଅଧିକାରୀ ସିବିଆଇ ଟିମ୍‍କୁ ସର୍ଚ୍ଚ ୱାରେଣ୍ଟ ମାଗିଥିଲେ| କିନ୍ତୁ ସିବିଆଇ ଟିମ୍‍ ତାହା ଦେଖାଇନଥିଲେ| ଫଳରେ ପୋଲିସ ତାଙ୍କୁ ସ୍ଥାନୀୟ ଥାନାକୁ ଡାକି ନେଇଥିଲେ| ଗୋଟିଏ ପଟେ ପୋଲିସ ସେମାନଙ୍କୁ ପଚରାଉଚରା କରି ଛାଡ଼ିଦେଇଥିବା କୁହାଯାଉଥିବା ବେଳେ ସେମାନେ କିଛି ସମୟ ମଧ୍ୟରେ ସେମାନେ ଥାନାରୁ ଚାଲିଯାଇଥିବା ଜଣାପଡ଼ିଛି|
ଜଷ୍ଟିସ୍‍ ସିଆର ଦାଶଙ୍କ ବାସଭବନରେ ରାତି ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କ ଅଭିଯୋଗକୁ ଆଧାରକରି କ୍ୟାଣ୍ଟନମେଣ୍ଟ ଥାନାରେ ଏକ ଏଫଆଇଆର ରୁଜୁ ହୋ‍ଇଛି|

Comment