ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ

ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବମୁଖର ହୋଇଯାଇଥିଲା ବିଶାଖାପାଟଣା ସହର। ସ୍ଥାନୀୟ ଅଧିବାସୀ ଆଡ଼ମ୍ବରପୂର୍ଣ୍ଣ ଭାବେ ‘ଦଶହରା’ ପାଳନ କରିଥିବା ବେଳେ ପ୍ରବାସୀ ଓଡ଼ିଆ ଓ ବଙ୍ଗାଳି ପରିବାରର ସଦସ୍ୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି।
ବିଶାଖାପାଟଣା ସହରର ଦଶପଲ୍ଲା ହିଲସ ନିକଟସ୍ଥ ଜଗନ୍ନାଥ ମନ୍ଦିର ପରିସରରେ ଅଗ୍ରଣୀ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ଦଶହରା ପୂଜା ପାଳନ କରାଯାଇଛି। ୧୯୭୨ ମସିହାରୁ ପ୍ରବାସୀ ଓଡ଼ିଆମାନେ ଏହି ପର୍ବ ପାଳନ କରି ଆସୁଛନ୍ତି। ମହାସପ୍ତମୀଠାରୁ ମା’ଙ୍କ  ପୂଜା ଆରମ୍ଭ ହୋଇଥିଲା। ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ସମେତ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀ ପୂଜା ପାଉଥିଲେ।
ପୂଜାମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ସାଜସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆକର୍ଷଣୀୟ ତୋରଣ ସାଙ୍ଗକୁ ରାସ୍ତାର ଉଭୟ ପାର୍ଶ୍ୱକୁ ରଙ୍ଗୀନ ଆଲୋକ ମାଳାରେ ସଜାଯାଇଥିଲା। ମହାଅଷ୍ଟମୀରେ ପ୍ରବାସୀ ଓଡ଼ିଆମାନେ ଦାଣ୍ଡିଆ ନାଚରେ ଝୁମିଥିଲେ। ପ୍ରତିଦିନ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ମହାଅଷ୍ଟମୀରେ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ନବମୀ ଓ ଦଶମୀରେ ମା’ଙ୍କ ସ୍ୱତନ୍ତ୍ର ପୂଜା ନୀତିସମ୍ପନ୍ନ ହେବା ପରେ ରବିବାର ମା’ଙ୍କୁ ମେଲାଣି ଦିଆଯାଇଛି।
ଉତ୍କଳ ସାଂସ୍କୃତିକ ସମାଜ ସଭାପତି ଜିତେନ୍ଦ୍ର କୁମାର ନାୟକ କହିଛନ୍ତି,”ଦୁର୍ଗାପୂଜାକୁ ସଫଳତାର ସହ ଆୟୋଜନ କରିବା ପାଇଁ ପ୍ରବାସୀ ଓଡ଼ିଆମାନେ ଆପ୍ରାଣ ଉଦ୍ୟମ କରିଛନ୍ତି। ପ୍ରବାସୀ ଓଡ଼ିଆଙ୍କ ଏକାଗ୍ରତା ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ଦୁର୍ଗାପୂଜା ସଫଳତାର ସହ ଶେଷ ହୋଇଛି।”
ସେହିପରି ସହରର ଇଷ୍ଟକୋଷ୍ଟ ରେଳବାଇରେ କାର୍ଯ୍ୟରତ ବଙ୍ଗାଳି ପରିବାର ପକ୍ଷରୁ ରେଳଷ୍ଟେସନ ନିକଟ ମା’ କାଳୀଙ୍କ ମନ୍ଦିର ପରିସରରେ ଧୁମଧାମରେ ଦୁର୍ଗାପୂଜା ପାଳନ କରାଯାଇଛି। ବଙ୍ଗାଳି ସେବା ସମିତି ତରଫରୁ ୯ ଦିନ ଧରି ପୂଜା ଆୟୋଜନ କରାଯାଇଥିଲା। ଏହି ପୂଜା ୫୨ ବର୍ଷରେ ପଦାର୍ପଣ କରିଛି।

 

LEAVE A REPLY

Please enter your comment!
Please enter your name here