ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାରଦୀୟ ଦୁର୍ଗାପୂଜା ଶେଷ ହେବା ପରେ ରବିବାର ମହାମାୟୀ ମା’ଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକରେ ୬୩ ପ୍ଲାଟୁନ୍ ଏବଂ ଭୁବନେଶ୍ୱରରେ ୩୫ ପ୍ଲାଟୁନ୍ ପୋଲିସ୍ ମୁତୟନ କରାଯାଇଛି। କଟକ ସହରରେ ଶନିବାର ରାତି ୧୧ ଟାରୁ ଭସାଣି ଉତ୍ସବ ଆରମ୍ଭ ହୋଇଛି। ଦେବୀଗଡାଠାରେ ଭସାଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଟକରେ ଚଳିତ ବର୍ଷ ମୋଟ ୧୭୧ ପୂଜା ପେଣ୍ଡାଲରେ ମା’ଙ୍କୁ ଆରାଧନା କରାଯାଇଥିଲା।
ସେହିପରି ପୁରୁଣା ଭୁବନେଶ୍ୱରରେ ପୂର୍ବାହ୍ନରୁ ଭସାଣ ପର୍ବ ଆରମ୍ଭ ହୋଇଥିଲା। ଅପରାହ୍ନରେ ସହିଦନଗର ଦୁର୍ଗାପୂଜା ପଡିଆ, ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀ ଦୁର୍ଗାପୂଜା ପଡିଆଠାରେ ବିଭିନ୍ନ ସ୍ଥାନର ମେଢ ସମବେତ ହେବା ପରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଭସାଣି ପାଇଁ କୁଆଖାଇ ଓ ଦୟାନଦୀ ପଠାରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଥିଲା। ଏହା ବ୍ୟତୀତ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିସର୍ଜନ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ବିଭିନ୍ନ ରୁଟରେ ଟ୍ରାଫିକ୍ କଟକଣା ଜାରି କରାଯାଇଥିଲା।
ବିସର୍ଜନ ଉତ୍ସବ ଦେଖିବା ପାଇଁ ଦୁର୍ଗାପୂଜା ପଡିଆ ଏବଂ ଶୋଭାଯାତ୍ରା ଯାଉଥିବା ରାସ୍ତାର ଦୁଇ କଡରେ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ପୂଜା ସମିତି ପକ୍ଷରୁ ଆକର୍ଷଣୀୟ ପାରମ୍ପରିକ ବାଦ୍ୟ, ଲୋକନୃତ୍ୟ, ସମର କଳା ଆଦି ପ୍ରଦର୍ଶନ କରାଯାଇଥିଲା। ଭସାଣ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ରହିଥିଲା।

Comment