ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାନ୍ଧିଜୟନ୍ତୀ ଅବସରରେ ନାଲକୋ ପକ୍ଷରୁ ସୋମବାର ସକାଳେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ନାଲକୋ ଛକରୁ ମହାନଦୀ ନିବାସ ଯାଏଁ ରାସ୍ତାକୁ ସଫେଇ କରାଯାଇଛି। ନାଲକୋ ସିଏମଡି ଡ. ତପନ କୁମାର ଚାନ୍ଦ ଏବଂ ମହିଳା ସମିତିର ସଭାନେତ୍ରୀ ପ୍ରୀତି ରୟ ନାଲକୋ ଛକସ୍ଥିତ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ଚାରିପାଖରେ ଥିବା ଅଳିଆ ଆବର୍ଜନାକୁ ସଫେଇ କରିଥିଲେ।
ଏହି ସଫେଇ କାର୍ଯ୍ୟକ୍ରମରେ ବି.କେ.ଠାକୁର(ନିର୍ଦ୍ଦେଶକ ମାନବସମ୍ବଳ), ବାଲ୍‌ ସୁବ୍ରମଣ୍ୟମ୍(ନିର୍ଦ୍ଦେଶକ ଉତ୍ପାଦନ) ଏବଂ ନାଲକୋର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ତାରକା ଅନୁରାଧା ବିଶ୍ବାଳ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଶିବସୁନ୍ଦର ଦାସ, ଦେବାଶିଷ ମହାନ୍ତି, ବରିଷ୍ଠ ସାମ୍ବାଦିକ କେ.ରବି, ଦିଲ୍ଲୀପ ଶତପଥୀ ଏବଂ ଗାୟିକା ସୁସ୍ମିତା ଦାସ ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ନାଲକୋର ପୃଷ୍ଠପୋଷକତା ପାଇଥିବା କିସ୍‌ର ୫୦୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱଚ୍ଛ ଭାରତ ମିଶନକୁ ଆଗେଇ ନେବା ପାଇଁ ସ୍ଲୋଗାନ ଦେଇଥିଲେ।
ନାଲକୋ ସିଏମଡି କହିଛନ୍ତି ଯେ ନାଲକୋ ଅନେକ ଦିନ ହେବ ସ୍ୱଚ୍ଛତା ସମ୍ପର୍କରେ  ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି। ସ୍ୱଚ୍ଛତା ହିଁ ବିକାଶର ମାଧ୍ୟମ। ନ୍ୟୁ ଇଣ୍ଡିଆ ମିଶନକୁ ଆଗକୁ ନେବାକୁ ହେଲେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ନିହାତି ଦରକାର। ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ବାର୍ତ୍ତା ଦେବାକୁ ଚାହୁଁଛୁ ଯେ ସମସ୍ତେ ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ ।
ଏହି ଅବସରରେ ଡକ୍ଟର ତପନ କୁମାର ଚାନ୍ଦଙ୍କ ଦ୍ୱାରା ନାଲକୋ କଲୋନୀରେ ‘ପଣ୍ଡିତ୍ ଦୀନ ଦୟାଲ୍ ଉପାଧ୍ୟାୟ ମାର୍ଗ’ ଉଦ୍‌ଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଛୋଟ ପିଲାମାନଙ୍କ ଦ୍ୱାରା ଏକକ ଅଭିନୟର କାର୍ଯ୍ୟକ୍ରମ କରାଯାଇଥିଲା, ପିଲାମାନେ ସ୍ୱଚ୍ଛତା ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।

ଭୁବନେଶ୍ବର ସମେତ ଅନୁଗୁଳ ଏବଂ ଦାମନଯୋଡ଼ି ପ୍ଲାଣ୍ଟ ସାଇଡରେ ମଧ୍ୟ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନାଲ୍‌କୋ ଅଧିକାରୀ ଏବଂ କର୍ମୀଚାରୀମାନେ ସାମିଲ୍‌ ହୋଇ ସଫେଇ କରିଥିଲେ।

LEAVE A REPLY

Please enter your comment!
Please enter your name here