ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିଲେ ମଧ୍ୟ ଅସନ୍ତୁଷ୍ଟ ନେତା ଦଳିୟ ନେତାଙ୍କୁ ନାକେଦମ୍‌ କରୁଛନ୍ତି। ଏଣୁ ଅସନ୍ତୁଷ୍ଟଙ୍କୁ ବୁଝାଇବା ପାଇଁ ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବସିଥିଲା ବୈଠକ। ବରଗଡ଼ ଜିଲ୍ଲାର ବିଜେଡି ନେତା ଓ କର୍ମୀ ଉପସ୍ଥିତ ରହି ମିଶନ୍‌ ବିଜେପୁର ପାଇଁ କସରତ କରିଥିଲେ। ବିଜେପୁର ବିଜୟ ପାଇଁ ମନ୍ଥନ କରିଥିଲେ।
ବରଗଡ଼ ଜିଲ୍ଲାର ସବୁ ବିଜେଡି ବିଧାୟକ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଓ ନିର୍ବାଚନମଣ୍ଡଳୀର ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ବୈଠକ ପରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ନେହାଙ୍ଗିନୀ ଛୁରିଆ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁର ଆସନ ଖାଲିପଡ଼ିଛି। ଏହି ଆସନକୁ ବିଜେପି ଏବଂ ବିଜେଡି ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି। ଉପ ନିର୍ବାଚନରେ ବିଜୟୀ ହେବା ପାଇଁ ଉଭୟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୁବଳ ସାହୁଙ୍କ ପରିବାର ବିଜେଡିରେ ଯୋଗ ଦେଇଛନ୍ତି। ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଏପଟେ ବିଜେପି ମଧ୍ୟ ବରପାଲ୍ଲିରେ ଶକ୍ତି ପ୍ରଦର୍ଶନ କରି ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଆପଣାଇ ନେଇଛି। ହେଲେ ପ୍ରାର୍ଥୀ କିଏ ହେବେ ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି।

LEAVE A REPLY

Please enter your comment!
Please enter your name here