ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରସିଦ୍ଧ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ ଅବସରରେ ଡିଜିଟାଲ୍‌ ମିଡିଆରେ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ମହାନ ସୁରକାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ତଥା କଣ୍ଠଶିଳ୍ପୀ ନମ୍ରତା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ୪ଟି ଗୀତକୁ ୱେବ୍ ଚ୍ୟାନେଲ୍ ‘ଓଡିଶାଲାଇଭ୍’ ପକ୍ଷରୁ ଏହି ଅବସରରେ ଡିଜିଟାଲ୍‍ ମିଡିଆରେ ପ୍ରସାରଣ କରାଯାଇଛି।
ଅକ୍ଷୟ ମହାନ୍ତିଙ୍କ ଅତି ପରିଚିତ ଗୀତ ’ସ୍ମୃତି ତମେ ପାଉଁଶ ତଳର ନିଆଁ’ ଗୀତଟିକୁ ନମ୍ରତା ତାଙ୍କ ଆବେଗଭରା ସ୍ୱରରେ ଗାଇ ଅକ୍ଷୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତା’ ସହିତ ଏହି ଅବସରରେ ସେ ଆଉ ତିନୋଟି ଗୀତ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯେଉଁଗୁଡ଼ିକ ଅତୀତରେ ଆକାଶବାଣୀ ମାଧ୍ୟମରେ ଶ୍ରୋତାଙ୍କ ପାଖକୁ ପହଞ୍ଚିଥିଲା।
“ଏହିସବୁ ଗୀତ ଅକ୍ଷୟ ମହାନ୍ତିଙ୍କ କମ୍ପୋଜିସନ୍‍। ମୁଁ ମଧ୍ୟ ବହୁ ଦିନ ପୂର୍ବରୁ ଏହି ଗୀତଗୁଡ଼ିକ ଅଲ୍‍ ଇଣ୍ଡିଆ ରେଡିଓରେ ଗାଇଥିଲି। ମୁଁ ଚାହୁଁଥିଲି ସେଗୁଡ଼ିକ କିଭଳି ଆଜି ଲୋକମାନଙ୍କ ପାଖରେ ପହଞ୍ଚୁ। ସେଥିପାଇଁ ମୁଁ ଏହି ଗୀତଗୁଡ଼ିକୁ ନୂଆ ରୂପରେ ତିଆରି କଲି। ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନରେ ଏହାକୁ ରିଲିଜ୍‌କରିଥିବାରୁ ମୋତେ ଖୁସି ଲାଗୁଛି”, କହିଛନ୍ତି ନମ୍ରତା।
ସେ ଆହୁରି କହିଛନ୍ତି,“ଏହିସବୁ ସଫ୍ଟ ଟାଇପ୍‌ର ଗୀତ। ମୋର ବିଶ୍ୱାସ ଏହା ଶ୍ରୋତାମାନଙ୍କର ନିଶ୍ଚୟ ପସନ୍ଦ ହେବ। ଓଡ଼ିଶାଲାଇଭ୍ ପକ୍ଷରୁ ଏଗୁଡ଼ିକୁ ଇଂଟରନେଟ୍ ମାଧ୍ୟମରେ ଉପସ୍ଥାପନ କରାଯାଇଥିବାରୁ ଏହା ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆ ସଂଗୀତପ୍ରେମୀ ବିଶେଷକରି ଅକ୍ଷୟ ମହାନ୍ତିଙ୍କ ଫ୍ୟାନ୍‌ମାନଙ୍କୁ ନିଶ୍ଚୟ ଆକର୍ଷିତ କରିବ। ଏଥିପାଇଁ ମୁଁ ଓଡ଼ିଶାଲାଇଭ୍‌କୁ ବିଶେଷ ଧନ୍ୟବାଦ ଦେବାକୁ ଚାହେଁ।”
ଏହି ଅବସରରେ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତି କହିଛନ୍ତି, “ଅକ୍ଷୟଙ୍କ ପାଖରେ ବସି ନମ୍ରତା ସେତେବେଳେ ଏହି ଗୀତଗୁଡ଼ିକର ସ୍ୱର କରିଥିଲେ। ୨୦ ବର୍ଷ ପୂର୍ବରୁ ମୁଁ ଗୀତଗୁଡ଼ିକ ଶୁଣିଥିଲି। ତେବେ ବର୍ତ୍ତମାନ ଯେତେବେଳେ ମୁଁ ନମ୍ରତାଙ୍କ କଣ୍ଠରେ ସେହି ଗୀତଗୁଡ଼ିକ ପୁଣି ଶୁଣୁଛି, ମୋତେ ଆହୁରି ଭଲ ଲାଗୁଛି।”
ଏହି ଡିଜିଟାଲ ରିଲିଜ ଅବସରରେ ଓଡିଶାଲାଇଭର ପ୍ରତିଷ୍ଠାତା ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି, “ଅକ୍ଷୟ ମହାନ୍ତି ଓଡ଼ିଆ ସଙ୍ଗୀତ ଦୁନିଆରେ ଜଣେ ଅତି ଆବେଗମୟ ନାଁ। ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଆମ ସମୟର ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀଙ୍କ ସ୍ୱର ମାଧ୍ୟମରେ ତାଙ୍କ ଭଳି ଜଣେ ବିରାଟ ବ୍ୟକ୍ତିତ୍ୱଙ୍କ ସଙ୍ଗୀତକୁ ଡିଜିଟାଲ୍‌ ମିଡିଆ ମାଧ୍ୟମରେ ପ୍ରସାରିତ କରି ଆମେ ଖୁସି। ମୋର ବିଶ୍ୱାସ ଏହି ଗୀତଗୁଡ଼ିକ ଇଂଟରନେଟ୍ ଏବଂ ମୋବାଇଲ୍ ମିଡିଆ ମାଧ୍ୟମରେ ଏକ ବ୍ୟାପକ ଶ୍ରୋତା ମହଲରେ ପହଂଚିପାରିବ।”
ଏହି ଅଡିଓ ଟ୍ରାକଗୁଡ଼ିକ (ସ୍ମୃତି ତୁମେ, କୁନ୍‌ମୁନ୍‌ କେବେ ଥିଲି, ଦିନଟେ ନୀରବ ରହିଲି ବୋଲି, ଜାଣିଛି ତମକୁ ମୁଁ) ଏବେ ଓଡ଼ିଶାଲାଇଭର ୱେବ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ www.youtube.com/odishalive ଓ www.odisha.live ମାଧ୍ୟମରେ ଉପଲବ୍ଧ ରହିଛି। ‘ଓଡିଶାଲାଇଭ୍’ ଏକ ପ୍ରିମିୟମ୍ ମିଡିଆ କମ୍ପାନି ଭାବେ ବହୁ ଲୋକପ୍ରିୟ ସର୍ଜନାର ଗ୍ଲୋବାଲ ଡିଜିଟାଲ ଉନ୍ମୋଚନ କରିଆସୁଛି।

1 COMMENT

  1. Its a most welcome news.Namrata ………….hats up to you.You are great.Askhaya will remain immortal in the heart of Odia morden music lovers around the World.

Comment