ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଚ୍ଛେଦିନ୍‌ର ସ୍ଲୋଗାନ୍ ଦେଇ ସରକାର ଗଠନ କରିଥିବା ବିଜେପି ପାଇଁ ଆଛେଦିନ୍‌ ଆସି ଯାଇଛି। ଏହି ପାର୍ଟିର ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି। ବିଜେପି ହେଉଛି ଦେଶର ସବୁଠୁ ଧନୀ ରାଜନୈତିକ ଦଳ ବୋଲି ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।

ସାଧାରଣ ଲୋକଙ୍କ ପାଇଁ ଆଚ୍ଛେଦିନ୍‌ ଆସୁ କି ନଆସୁ କିନ୍ତୁ ରାଜନୈତିକ ଦଳ ପାଇଁ ଆଚ୍ଛେଦିନ୍‌ ଆସି ଯାଇଛି। ନିକଟରେ ପ୍ରକାଶ ପାଇଥିବା ଆସୋସିଏସନ୍‌ ଫର୍ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ବିଭିନ୍ନ ରାଜନୈତିକ ଦଳର ସମ୍ପତ୍ତି ତାଲିକାକୁ ଆଧାର କରି ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡିଛି ଯେ, ବିଜେପି ହେଉଛି ଦେଶର ସବୁଠୁ ଧନୀ ପାର୍ଟି। ଦ୍ବିତୀୟରେ କଂଗ୍ରେସ ରହିଥିବା ବେଳେ ତା ପଛକୁ ରହିଛି ବହୁଜନ ସମାଜବାଦୀ ପାର୍ଟି। ଖାଲି ସେତିକି ନୁହେଁ, ଏନ୍‌ସିପି, ସିପିଆଇ(ଏମ୍‌), ତୃଣମୂଳ କଂଗ୍ରେସର ସମ୍ପତ୍ତି ମଧ୍ୟ ବୃଦ୍ଧି ପାଇଛି। ୨୦୦୪-୦୫ରୁ ୨୦୧୫-୧୬ ପର୍ଯ୍ୟନ୍ତ ସମ୍ପତ୍ତି ତାଲିକାକୁ ନେଇ ଏହି ତଥ୍ୟ ପ୍ରକାଶ ପାଇଛି।
ବିଜେପି: କେନ୍ଦ୍ରରେ ସରକାର ଗଠନ କରିବା ସହ ବିଜେପି ଦେଶର ୧୮ଟି ରାଜ୍ୟରେ ବର୍ତ୍ତମାନ କ୍ଷମତାରେ ରହିଛି। ତେବେ ଏହି ପାର୍ଟିର ୨୦୦୪-୦୫ରେ ସମ୍ପତ୍ତି ଥିଲା ୧୨୨.୯୩ କୋଟି। ୧୨ ବର୍ଷ ପରେ ଏହି ପାର୍ଟିର ୬୨୭ ପ୍ରତିଶତ ସମ୍ପତ୍ତି ବୃଦ୍ଧି ପାଇଛି। ବର୍ତ୍ତମାନ ବିଜେପି ପାଖରେ ୮୯୩.୮୮ କୋଟିର ସମ୍ପତ୍ତି ରହିଛି।
କଂଗ୍ରେସ: ଦେଶର ସବୁଠୁ ପୁରୁଣା ପାର୍ଟି ହେଉଛି କଂଗ୍ରେସ। ତେବେ ସମ୍ପତ୍ତି ବୃଦ୍ଧି ତାଲିକାରେ ଏହି ଦଳ ପଛରେ ପଡ଼ି ନାହିଁ। ୧୨ ବର୍ଷ ଭିତରେ ଏହି ଜାତୀୟ ଦଳର ସମ୍ପତ୍ତି ୩୫୩ ପ୍ରତିଶତ ବୃଦ୍ଧି ପାଇଛି। ବର୍ତ୍ତମାନ କଂଗ୍ରେସ ପାଖରେ ୭୫୮.୭୯ କୋଟିର ସମ୍ପତ୍ତି ରହିଛି। ୨୦୦୪-୦୫ରେ କଂଗ୍ରେସର ସମ୍ପତ୍ତି ୧୬୭,୩୫ କୋଟି ଥିଲା। କଂଗ୍ରେସ ସମଗ୍ର ଦେଶରେ ସତ୍ତା ହରାଇଥିବା ବେଳେ ସମ୍ପତ୍ତି ବୃଦ୍ଧିରେ ପଛରେ ପଡ଼ିନାହିଁ।
ବିଏସ୍‌ପି: ୨୦୦୪-୦୫ରୁ ୨୦୧୫-୧୬ ମଧ୍ୟରେ ବିଏସ୍‌ପିର ସମ୍ପତ୍ତି ପରିମାଣ ୧୧୦୦ ପ୍ରତିଶତ ବୃଦ୍ଧି ପାଇଛି। ୧୨ ବର୍ଷ ତଳେ ଏହି ପାର୍ଟିର ସମ୍ପତ୍ତି ଥିଲା ୪୩.୦୯ କୋଟି। ଏହା ଏବେ ବଢ଼ି ୫୫୯.୦୧ କୋଟିରେ ପହଞ୍ଚିଛି।
ଏନ୍‌ସିପି: ଶରଦ ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ମଧ୍ୟ ସମ୍ପତ୍ତି ପରିମାଣ ବୃଦ୍ଧିରେ ପଛରେ ପଡ଼ିନାହିଁ। ୨୦୦୪-୦୫ରେ ଏହି ପାର୍ଟିର ସମ୍ପତ୍ତି ପରିମାଣ ଥିଲା ୧.୬ କୋଟି। ଏହା ଏବେ ବୃଦ୍ଧି ପାଇ ୧୪.୫୪ କୋଟି ହୋଇଯାଇଛି।
ସିପିଆଇ(ଏମ୍‌): ଜଳ, ଜଙ୍ଗଲ ଏବଂ ଜମିର କଥା କହୁଥିବା ସିପିଆଇ(ଏମ୍‌) ବି ସମ୍ପତ୍ତି ବୃଦ୍ଧି ତାଲିକାରେ ପଛରେ ପଡ଼ିନି। ୧୨ ବର୍ଷ ଭିତରେ ଏହି ପାର୍ଟିର ସମ୍ପତ୍ତି ୩୮୩ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୪-୦୫ରେ ଏହି ପାର୍ଟିର ସମ୍ପତ୍ତି ଥିଲା ୯୦.୫୫ କୋଟି। ଏହା ବଢ଼ିକରି ୪୩୭.୭୮ କୋଟି ରହିଛି।
ତୃଣମୂଳ କଂଗ୍ରେସ: ବାମପନ୍ଥୀ ଶାସନକୁ ପଶ୍ଚିମବଙ୍ଗରୁ ହଟାଇଥିବା ତୃରମୂଳ କଂଗ୍ରେସର ସମ୍ପତ୍ତି ପରିମାଣ ଢ଼େର ଅଧିକ। ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପାର୍ଟି ଟିଏମ୍‌ସିର ସମ୍ପତ୍ତି ପରିମାଣ ୨୦୦୪-୦୫ରେ ୨୫ ଲକ୍ଷ ଥିଲା। ଏବେ ଏହାର ସମ୍ପତ୍ତି ପରିମାଣ ୪୪.୫ କୋଟିରେ ପହଞ୍ଚିଛି।
ବିଭିନ୍ନ ସୂତ୍ରରୁ ରାଜନୈତିକ ଦଳମାନେ ପାଣ୍ଠି ସଂଗ୍ରହ କରିଥାନ୍ତି। ଦଳର ସଦସ୍ୟ, ବ୍ୟାଙ୍କ ସୁଧ ଆଦରୁ ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି କେତେକ ରାଜନୈତିକ ଦଳ ଦାବି କରୁଛନ୍ତି। ତେବେ ଆଉ କିଛି ରାଜନୈତିକ ଦଳ ବିଦେଶରୁ ବିଭିନ୍ନ ଉପାୟରେ ପାଣ୍ଠି ସଂଗ୍ରହ କରିଥାନ୍ତି ବୋଲି କୁହାଯାଉଛି।
 

Comment