ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପ୍ରମୁଖ ଆଞ୍ଚଳିକ ରାଜନୈତିକ ଦଳ ସମାଜବାଦୀ ପାର୍ଟି ପାଖରେ ରହିଛି ସର୍ବାଧିକ ସମ୍ପତ୍ତି। ଦେଶର ମୋଟ ୪୪ଟି ଆଞ୍ଚଳିକ ରାଜନୈତିକ ଦଳକୁ ସମ୍ପତ୍ତି ତାଲିକାରେ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଛି ୟୁପିର ସମାଜବାଦୀ ପାର୍ଟି। ଏହାର ମୋଟ ସମ୍ପତ୍ତି ୫୬୩.୪୭୦ କୋଟି ଟଙ୍କା ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ(ଏଡିଆର) ସାର୍ବଜନୀନ କରିଥିବା ରାଜନୈତିକ ଦଳମାନଙ୍କ ସମ୍ପତ୍ତି ତାଲିକାରୁ ଏହା ଜଣାପଡ଼ିଛି। ସେହିପରି ସମ୍ପତ୍ତି ତାଲିକାର ଦ୍ଵିତୀୟରେ ରହିଛି ଟିଆରଏସ। ଏହାର ମୋଟ ସମ୍ପତ୍ତି ରହିଛି  ୩୦୨.୪୭ କୋଟି ଟଙ୍କା ଓ ତୃତୀୟ ସ୍ଥାନରେ ରହିଥିବା ଏଆଇଏଡିଏମକେର ସମ୍ପତ୍ତି ରହିଛି ୨୬୭,୬୧ କୋଟି ଟଙ୍କା। ଓଡ଼ିଶାରେ ୨୧ ବର୍ଷ ଧରି ଶାସନରେ ରହିଥିବା ବିଜୁ ଜନତା ଦଳ(ବିଜେଡି) ସମ୍ପତ୍ତି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି। ବିଜେଡିର ମୋଟ ସମ୍ପତ୍ତି ୧୨୮ କୋଟି ୭୫ ଲକ୍ଷ ୨୦ ହଜାର ଟଙ୍କା ରହିଥିବା ସମ୍ପତ୍ତି ତାଲିକାରୁ ଜଣାପଡ଼ିଛି।

୨୦୧୯-୨୦ ଆର୍ଥିକ ବର୍ଷରେ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳକମାନଙ୍କ ପକ୍ଷରୁ ସମ୍ପତ୍ତି ଘୋଷଣା ଏନେଇ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ(ଏଡିଆର) ରିପୋର୍ଟ ସାର୍ବଜନୀନ କରିଛି। ରିପୋର୍ଟରେ ମୋଟ ୪୪ଟି ଆଞ୍ଚଳିକ ରାଜନୈତିକ ଦଳମାନଙ୍କ ଦ୍ଵାରା ଘୋଷିତ ସମ୍ପତ୍ତିର ପରିମାଣ ଉଲ୍ଲେଖ କରାଯାଇଛି। ଏଥିରେ ମୋଟ ୨,୧୨୯.୩୮ କୋଟି ଟଙ୍କା ରହିଛି ଏବଂ ସ୍ଥାୟୀ ଜମା ପରିମାଣ ୧୬୩୯.୫୧ କୋଟି ଟଙ୍କା ରହିଛି।

ରିପୋର୍ଟ ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷରେ ବିଜେଡିର ମୋଟ ୧୨୮ କୋଟି ୭୫ ଲକ୍ଷ ୨୦ ହଜାର ଟଙ୍କା ରହିଥିବାବେଳେ ବ୍ୟାଙ୍କରେ ସ୍ଥାୟୀ ଜମା ପରିମାଣ ୧୧୮.୪୨୫ କୋଟି ଟଙ୍କା ରହିଛି। ଏଥିରେ ୧.୪୭୨ କୋଟି ଟଙ୍କାର ସ୍ଥାୟୀ ସମ୍ପତ୍ତି, ୬.୨୨୩ କୋଟି ଟଙ୍କାର ଅନ୍ୟାନ୍ୟ ସମ୍ପତ୍ତି ଏବଂ ୨.୬୨୩୫ କୋଟି ଟଙ୍କା ଋଣ ଓ ଅଗ୍ରୀମ ଭାବେ ଏବଂ ୮୫ କୋଟି ଟଙ୍କା ଟିସିଏସ ଭାବେ ରହିଛି।

ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ସମ୍ପତ୍ତି ପ୍ରଥମ ସ୍ଥାନରେ ରହିଛି। ସମାଜବାଦୀ ପାର୍ଟିର ମୋଟ ସମ୍ପତ୍ତି ପରିମାଣ ରହିଛି ୫୬୩.୪୭୦ କୋଟି ଟଙ୍କା। ବ୍ୟାଙ୍କରେ ଏହାର ସ୍ଥାୟୀ ଜମା ୪୩୪.୨୧୯ କୋଟି ଟଙ୍କା ରହିଛି। ଦ୍ଵିତୀୟରେ ରହିଥିବା ଟିଆରଏସର ସମ୍ପତ୍ତି ୩୦୨.୪୭ କୋଟି ଟଙ୍କା ଏବଂ ତୃତୀୟ ସ୍ଥାନରେ ରହିଥିବା ଏଆଇଏଡିଏମକେର ସମ୍ପତ୍ତି ରହିଛି ୨୬୭,୬୧ କୋଟି ଟଙ୍କା। ଆଞ୍ଚଳିକ ଦଳମାନଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସମ୍ପତ୍ତି ପରିମାଣ ଦୃଷ୍ଟିରୁ ବିଜେଡି ଅଷ୍ଟମ ସ୍ଥାନରେ ରହିଛି।

Comment