ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠାତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଦିଲ୍ଲୀର ନବେ ଭାଗ ଆଇଏଏସ ଅଧିକାରୀ କାମ କରିବାକୁ ଇଚ୍ଛା ପ୍ରକଟ କରନ୍ତି ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ଏମାନଙ୍କ ଅସହଯୋଗ ଯୋଗୁଁ ବିକାଶ କାର୍ଯ୍ୟ ସଚିବାଳୟରେ ଅଟକିଯାଇଛି।
ଠିକା କର୍ମଚାରୀଙ୍କୁ ନିୟମିତ କରିବା ପ୍ରକ୍ରିୟାରେ ଏହି ଅଧିକାରୀମାନେ ଟାଳଟୁଳ ନୀତି ଧରିଛନ୍ତି ବୋଲି ସେ କହିଛନ୍ତି। ତାଙ୍କ ସରକାରଙ୍କ ପକ୍ଷରୁ ନିଆଯାଇ ଥିବା ନିଷ୍ପତ୍ତି ଅମଲାତନ୍ତ୍ର ଦ୍ୱାରା ବିରୋଧର ସମ୍ମୁଖୀନ ହେଉଛି। ଯଦି ଦିଲ୍ଲୀକୁ ପୂରା ରାଜ୍ୟର ମାନ୍ୟତା ମିଳିଥା’ନ୍ତା, ତେବେ ୨୪ ଘଣ୍ଟା ମଧ୍ୟରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇପାରିଥା’ନ୍ତା ବୋଲି କେଜରିୱାଲ ଦୃଢତାର ସହିତ କହିଛନ୍ତି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଲେ ଯେ, “ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ମୁଁ ଯେତେବେଳେ ପ୍ରସ୍ତାବ ଆଣିଲି, ସବୁ ଅଫିସର ମୋତେ ବିରୋଧ କଲେ। ମୁଁ କହିଲି ଯଦି ତାହା ହିଁ ହେବ ତେବେ ଧରି ନେବାକୁ ହେବ ଯେ ନବେ ଭାଗ ପ୍ରଶାସନିକ ଅଧିକାରୀ କାମରେ ମନ ଲଗାଉନାହାନ୍ତି ଏବଂ ସବୁ ନିଷ୍ପତ୍ତିରେ ଅଯଥା ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ମୁଁ କାହିଁକି କେଜାଣି ଅନୁଭବ କରୁଛି ଯେ ବିକାଶ ରାସ୍ତା ଟି ସଚିବାଳୟରେ ବନ୍ଦ ହୋଇଯାଇଛି।”

Comment