ଓଡ଼ିଶାଲାଇଭ୍‍ ବ୍ୟୁରୋ

୧୭ ଦିନ ପରେ ପୋଲିସ କୋରାପୁଟ ପୀଡିତାଙ୍କ ବୟାନ ରେକର୍ଡ କରିଛି। ହେଲେ ଘଟଣା ପଛର ଖଳନାୟକଙ୍କ ପାଖରେ ପୋଲିସ ପହଞ୍ଚି ପାରିନାହିଁ।
କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମକୁ ଆଜି ୧୭ ଦିନ ପୁରିଛି। ପୋଲିସ ପୀଡ଼ିତାଙ୍କ ଗାଁର ୪ ଜଣ ନାବଳକଙ୍କୁ ଡାକି ଦୁଇ ଦୁଇ ଥର ଜେରା କରିଛି। ଆଉ ଜଣକର ଲାଇ ଡିଟେକ୍ସନ ଟେଷ୍ଟ ବି କରିଛି। ହେଲେ ଏହି ଗଣଦୁଷ୍କର୍ମ ପଛର ଖଳନାୟକଙ୍କ ପାଖରେ ପୋଲିସ ପହଞ୍ଚି ପାରିନାହିଁ। ଅଭିଯୁକ୍ତ କିଏ ତାକୁ ନେଇ ପୋଲିସ ଖାଲି ଅନ୍ଧାରରେ ବାଡ଼ି ବୁଲାଉଛି।
୧୭ ଦିନ ପରେ ପୋଲିସ ପୀଡ଼ିତାର ବୟାନ ରେକର୍ଡ କରିଛି। କୋରାପୁଟ ଜେଏମ୍‌ଏଫ୍‌ସି କୋର୍ଟରେ ପୀଡିତାଙ୍କୁ ମେଡିକାଲରୁ ଆଣି ଧାରା ୧୬୪ରେ ବୟାନ ରେକର୍ଡ କରିଛି। ହେଲେ ଅଭିଯୁକ୍ତ ଧରାପଡ଼ିବେ କି ନାହିଁ ତାକୁ ନେଇ ସନ୍ଦେହ ଉପୁଜିଛି।
ପୋଲିସ ଏବଂ ତଦନ୍ତକାରୀ ଅଫିସରଙ୍କ କାର୍ଯ୍ୟକଳାପ ଉପରେ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଘଟଣାକୁ ଚାପି ଦେବା ପାଇଁ ପୋଲିସ ପୀଡିତାଙ୍କ ଉପରେ ଚାପ ପକାଉଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଅକ୍ଟୋବର ୧୧ ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୋରିଷପଦର ଜଙ୍ଗଲରେ ଘଟିଥିଲା ଏହି ଅଭାବନୀୟ ଘଟଣା। କୁନ୍ଦୁଲି ହାଟରୁ ଘରକୁ ଜନୈକା ନାବାଳିକା ଘରକୁ ଫେରୁଥିବା ବେଳେ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ସିଆର୍‌ପିଏଫ୍ ଯବାନଙ୍କ ହାତ ରହିଥିବା ପୀଡ଼ିତାଙ୍କ ଭାଇ ଅଭିଯୋଗ କରିଥିଲେ। ହେଲେ ସିଆର୍‌ପିଏଫ୍‌ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଥିଲା।
ଏହି ଘଟଣାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରେଡ୍ ଫ୍ଲାଗ କ୍ୟାଟେଗୋରୀରେ ଅନ୍ତର୍ଭୁକ୍ତ କରିଥିଲେ। କ୍ରାଇମବ୍ରାଞ୍ଚ ଟିମ୍‌ କୋରାପୁଟ ଗସ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ଚିହ୍ନଟ ହୋଇପାରି ନାହାନ୍ତି।

LEAVE A REPLY

Please enter your comment!
Please enter your name here