ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ବୁଧବାର ଗୁଳି ବିନିମୟ ହୋଇଛି। ଏଥିରେ ୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ନକ୍ସଲ ସାମିଲ ଅଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

ବିଜାପୁର ଜିଲ୍ଲାର ଚିକୁରବତି-ପୁସବାକା ନିକଟ ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଛତିଶଗଡ଼ ପୋଲିସର ଡିଆରଜି ବାହିନୀ, ସିଆରପିଏଫ ଓ କୋବ୍ରା ଟିମ୍ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ଏହି ସର୍ଚ୍ଚ ଅପରେସନ ସମୟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେବାକୁ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ। ଏହି ଏନକାଉଣ୍ଟର ଶେଷ ହେବା ପରେ ଘଟଣାସ୍ଥଳରୁ ୨ ଜଣ ମହିଳାଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୁରକ୍ଷାବାହିନୀଙ୍କ ପକ୍ଷରୁ ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। ତେବେ ଏନକାଉଣ୍ଟର ବେଳେ ଆଉ କିଛି ନକ୍ସଲ ଖସି ପଳାଇଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ବିଜାପୁର ଜିଲ୍ଲା ଛତିଶଗଡ଼ର ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଛି। ଏହି ଅଞ୍ଚଳରେ ଏପ୍ରିଲ ୧୯ ତାରିଖରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Tags: #Police-NaxaliteEncounter #Bijapur #CRPF #Chhattisgarh

Comment