ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ବିଳମ୍ବିତ ରାତିରେ ମାଲକାନଗିରି ମୁନ୍ତା ଗାଁରେ ଜଣକ ଘରେ ପଶିଗଲା ବିଶାଳକାୟ କୁମ୍ଭୀର। ଫଳରେ ୪ଟି ଜୀବନ ଅଳ୍ପକେ ବର୍ତ୍ତିଯାଇଛି। କୁମ୍ଭୀରକୁ ଲୋକେ ଗଛରେ ବାନ୍ଧି ରଖିଛନ୍ତି।

ମାଲକାନଗିରି ମୁନ୍ତା ଗାଁରେ କୁମ୍ଭୀର ଆତଙ୍କ। ଦଶରଥ ମାଡକାମୀଙ୍କ ଘର ଭିତରୁ ଉଦ୍ଧାର ହେଲା ବିଶାଳକାୟ କୁମ୍ଭୀର। ଦଶରଥ ଏବଂ ତାଙ୍କ ପରିବାର ବୁଧବାର ରାତିରେ ଶୋଇଥିବା ବେଳେ ଏହି କୁମ୍ଭୀରଟି ଘରେ ପଶିଯାଇଥିଲା। ଭୋର ୩ଟାରେ ଦଶରଥ ବାହାରକୁ ଉଠିଥିବା ବେଳେ କୁମ୍ଭୀରଟି ଘର ଭିତରେ ରହିଥିବା ଦେଖି ପାଟି କରିଥିଲେ। ଗ୍ରାମବାସୀଙ୍କ ସହାୟତାରେ କୁମ୍ଭୀରକୁ ଉଦ୍ଧାର କରାଯାଇଛି।

ମାଲକାନଗିରି ସତୀଗୁଡ଼ା ଡ୍ୟାମ ନିକଟରେ ରହିଛି ମୁନ୍ତା ଗାଁ। ଏହି ଗାଁରେ ରହୁଛନ୍ତି ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ପରିବାର। ଏହି ଡ୍ୟାମ୍‌ରୁ କୁମ୍ଭୀରଟି ଘର ଭିତରକୁ ଚାଲି ଆସିଥିବା ଅନୁମାନ କରାଯାଉଛି।

ଦଶରଥ ମାଡକାମୀ କହିଛନ୍ତି,”ଆମେ ବୁଧବାର ରାତିରେ ଶୋଇଥିବା ବେଳେ ଘର ଭିତରକୁ କୁମ୍ଭୀରଟି ପଶିଆସିଥିଲା। ଗ୍ରାମବାସୀଙ୍କ ସହାୟତାରେ ମୋ ଦୁଇ ଝିଅଙ୍କୁ ଆଜବେଷ୍ଟସ୍ ଭାଙ୍ଗି ଉଦ୍ଧାର କରାଯାଇଥିଲା। ଲୋକେ କହୁଥିଲେ କୁମ୍ଭୀରକୁ ମାରିଦେବା ପାଇଁ। ହେଲେ ମୁଁ ମନା କରିବାରୁ କୁମ୍ଭୀରକୁ ଗ୍ରାମବାସୀ ବାନ୍ଧି ରଖିଛନ୍ତି।”

ଆଜି ପୂର୍ବାହ୍ନ ୧୦ଟାରେ ବନବିଭାଗ କର୍ମଚାରୀ ଖବରପାଇ ମୁନ୍ତାଗାଁକୁ ଆସିଥିଲେ। କୁମ୍ଭୀରଟିକୁ କେଉଁଠାରେ ଛଡ଼ାଯିବ ତାକୁନେଇ ଆଲୋଚନା ଚାଲିଛି। ଏହି କୁମ୍ଭୀରଟିର ଲମ୍ବ ୧୦ରୁ ୧୨ ଫୁଟ ହେବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here