ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୋଗ ପୋକ ଦାଉରେ ଫସଲହାନିକୁ ନେଇ ହତାଶ ହୋଇଯାଇଥିବା ଚାଷୀଙ୍କ ମୁଣ୍ଡରେ ଆଉ ଏକ ଚଡ଼କ ପଡ଼ିବାକୁ ଯାଉଛି। ସମ୍ଭାବ୍ୟ ଲଘୁଚାପକୁ ନେଇ ଏବେ ଚାଷୀ ପୁଣି ଚିନ୍ତାରେ ପଡ଼ିଛି।

ଚକଡ଼ା ପୋକ ଦୌରାତ୍ମ୍ୟ ନଯାଉଣୁ ଏବେ ଚାଷୀଙ୍କ ଉପରେ ଆଉ ଏକ ଦୁଃଖ ମାଡ଼ି ଆସୁଛି। ୧୩ରେ ସମ୍ଭାବ୍ୟ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀ ପୁଣିଥରେ ଆତଙ୍କିତ ହୋଇଯାଇଛନ୍ତି। ତେବେ ଆତଙ୍କିତ ନହେବା ପାଇଁ ଏବଂ ଆଗୁଆ ସତର୍କ ରହିବା ଲାଗି ସ୍ବତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି।

ଅମଳ ଧାନକୁ ଘୋଡ଼ାଇ ରଖିବା ପାଇଁ ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି। ଯଦି ଖଳାରେ ଧାନ କଟା ହୋଇ ରହିଛି ତାହାଲେ ଏହାକୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ଏସ୍‌ଆର୍‌ସି କହିଛନ୍ତି। ମଣ୍ଡିରେ ପଡ଼ି ରହିଥିବା ଧାନକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେବା ଲାଗି ସେ କହିଛନ୍ତି। ଏପଟେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି ମଧ୍ୟ ଧାନ କାଟି ନେବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି।

ଦକ୍ଷିଣ ପୂର୍ବ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହା ଧୀରେଧୀରେ ଆଣ୍ଡାମାନ ଉପକୂଳ ଆଡ଼କୁ ଗତି କରୁଛି। ୧୨ ତାରିଖରୁ ଲଘୁଚାପ ଜନିତ ବର୍ଷା ଆରମ୍ଭ ହୋଇଯିବ। ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ୧୫ରୁ ୧୮ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ନୟାଗଡ଼, ଫୁଲବାଣୀ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପାରିପାଗ ବିଭାଗ ପକ୍ଷରୁ କୁହାଯାଇଛି, ୧୨ ତାରିଖରୁ ଆକାଶ ମେଘାଛନ୍ନ ରହିବ। ଫଳରେ ଥଣ୍ଡା କମିବ। ୧୬ ତାରିଖରୁ ବର୍ଷା ହେବାର ଅନୁମାନ କରାଯାଉଛି। ହେଲେ ୧୩ ତାରିଖରେ ଲଘୁଚାପର ଚିତ୍ର ସ୍ପଷ୍ଟ ହେବ।

 

 

LEAVE A REPLY

Please enter your comment!
Please enter your name here