ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କରି ରାହୁଲ କ୍ୟାମ୍ପେନ୍‌ ଆରମ୍ଭ କରିବା ପରେ କଂଗ୍ରେସ ଗୁଜୁରାଟରେ ହିନ୍ଦୁ କାର୍ଡ ଖେଳୁଥିବା କୁହାଯାଉଛି।

ବିଜେପି ପରି ଏବେ କଂଗ୍ରେସ ହିନ୍ଦୁତ୍ବ କାର୍ଡ ଗୁଜୁରାଟରେ ଖେଳୁଛି। ଏହା ଉପରକୁ ସ୍ପଷ୍ଟ ଭାବେ ଜଣାପଡ଼ୁ ନଥିଲେ ମଧ୍ୟ  ଭିତରେ ଭିତରେ ଜୋରଦାର ଚାଲିଥିବା ଆଲୋଚନା ହେଉଛି। ଗୁଜୁରାଟ ଭୋଟକୁ ଦୃଷ୍ଟିରେ ରଖି ରାହୁଲ ବର୍ତ୍ତମାନ ସୁଦ୍ଧା ଯେତେଥର ଗୁଜୁରାଟ ଗସ୍ତ କଲେଣି ସେତେଥୀ ସେ ସଫ୍ଟ ହିନ୍ଦୁତ୍ବ କାର୍ଡ ଖେଳୁଥିବା ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

ରାହୁଲ ଗାନ୍ଧି ଯେତେବେଳେ ପ୍ରଥମ ଥର ଗୁଜୁରାଟ ଗସ୍ତ କରିଥିଲେ ସେତେବେଳେ ସେ ଦ୍ବାରକା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ ଅଭିନବ ଢଙ୍ଗରେ ପ୍ରଚାର କରିଥିଲେ। ଛୋଟ ପିଲାଙ୍କ ସହ କଥା ହେବା ସହ ଶଗଡ଼ ଯାତ୍ରା, ଖଟ୍‌ ସଭାକୁ ଯିବା ଏବଂ ଆଦିବାସୀଙ୍କ ସହ ନୃତ୍ୟ କରି ରାହୁଲ ଚର୍ଚ୍ଚାରେ ରହିଥିଲେ।

ଏହାର କିଛିଦିନ ପରେ ରାହୁଲ ଆରମ୍ଭ କରିଥିଲେ ଦ୍ବିତୀୟ ଗୁଜୁରାଟ ଯାତ୍ରା। ସେତେବେଳେ ରାହୁଲ କୌଣସି ମନ୍ଦିରକୁ ଯାଇ ନଥିଲେ ମଧ୍ୟ ତାଙ୍କ ହାବଭାବ କହୁଥିଲା ରାହୁଲ କିଛିଗୋଟେ ଗେମ୍‌ପ୍ଲାନ୍‌ରେ ବ୍ୟସ୍ତ ଅଛନ୍ତି। ଏହାର ପ୍ରମାଣ ମିଳିଥିଲା ଏଇ ନିକଟରେ। ରାହୁଲ୍‌ଙ୍କ ସଭା ମଞ୍ଚରେ ପଣ୍ଡିତ ଆସି ପୂଜାର୍ଚ୍ଚନା କରିବା ପ୍ରସଙ୍ଗ ପୁଣି ଚର୍ଚ୍ଚାରେ ରହିଥିଲା।

ଏବେ ପୁଣି ରାହୁଲ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଅକ୍ଷରଧାମ ମନ୍ଦିରରେ ପୂଜା କରି ସଫ୍ଟ ହିନ୍ଦୁତ୍ବ କାର୍ଡ ଖେଳୁଥିବା କୁହାଯାଉଛି। ଖାଲି ସେତିକି ନୁହେଁ, ପାଟିଦାର ସମ୍ପ୍ରଦାୟଙ୍କ ଭୋଟ ହାତେଇବା ପାଇଁ ରାହୁଲ ଅକ୍ଷରଧାମ ମନ୍ଦିର ଯାଇଥିବା ଆଲୋଚନା ହେଉଛି।

ସ୍ବାମୀ ନାରାୟଣ ପନ୍ଥ ନିର୍ମାଣ କରିଥିଲେ ଅକ୍ଷରଧାମ ମନ୍ଦିର। ଆଉ ସ୍ବାମୀଙ୍କର ବହୁ ଅନୁଗାମୀ ପଟିଦାର ସମ୍ପ୍ରଦାୟରେ ରହିଛନ୍ତି। ଏଣୁ ପଟିଦାର ସମ୍ପ୍ରଦା ଉପରେ ପ୍ରଭାବ ପକାଇବା ପାଇଁ ରାହୁଲ ଅକ୍ଷରଧାମ ମନ୍ଦିର ଯାଇଥିବା କୁହାଯାଉଛି।

ବିଜେପି ନେତା ନୀତିନ ପଟେଲ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାହୁଲ କାହିଁକି ମନ୍ଦିର ଯାଉଛନ୍ତି ବୋଲି ପଚାରିଛନ୍ତି। କଂଗ୍ରେସ ଧର୍ମନିରପେକ୍ଷତାକୁ ଛାଡ଼ି ହିନ୍ଦୁଙ୍କୁ ଆପଣାଉ ବୋଲି ସେ କହିଛନ୍ତି।

ଏହାର ଜବାବରେ କଂଗ୍ରେସ କହିଛି, ଯେଉଁ ଲୋକ ମନ୍ଦିର ଯିବାକୁ ବିରୋଧ କରୁଛନ୍ତି ସେମାନେ ଆଗାମୀ ଦିନରେ ଉଚିତ୍‌ ଜବାବ ପାଇବେ।

 

Comment